ଜନଜାତିଙ୍କ ପାଇଁ ଗୌରବ ଆଣିଲେ ଡ଼ଙ୍ଗରିଆ ଯୁବକ: ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷାରେ ଉତୀର୍ଣ୍ଣ ହେଲେ ମୁକ୍ତେଶ୍ୱର ୱାଡାକା

153

କନକ ବ୍ୟୁରୋ: ବଣପାହାଡ ଘେରା ଅଂଚଳ । ପାହାଡ ଉପରେ ରୁହନ୍ତି ଡଙ୍ଗରିଆ ଜନଜାତି । ଯେଉଁଠି ବିକାଶର ଚିତ୍ର ତାଙ୍କ ପାଇଁ ସ୍ୱପ୍ନ । ସେହିଭଳି ଅଂଚଳରେ ବିକାଶର ସ୍ୱପ୍ନ ଦେଖାଇ ଡଙ୍ଗରିଆ ମାନଙ୍କ ଗର୍ବ ଓ ଗୌରବ ପାଲଟିଛନ୍ତି ଜଣେ ଯୁବକ । ପ୍ରଥମ କରି ଓଡ଼ିଶା ଲୋକସେବା ଆୟୋଗରେ ଉତୀର୍ଣ୍ଣ ହୋଇଛନ୍ତି ଡଙ୍ଗରିଆର ଯୁବକ ମୁକ୍ତେଶ୍ୱର ୱାଡାକା । ଗଣିତ ଅଧ୍ୟାପକ ଭାବେ ପାଇଛନ୍ତି ନିଯୁକ୍ତି ଆଉ ଅନ୍ୟ ମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ନିୟମଗିରି ପାହାଡ ଉପରେ ଥିବା ଖମ୍ବେଶୀ ଗାଁର ଯୁବକ ମୁକ୍ତେଶ୍ୱର ୱାଡାକା ଗଣିତ ବିଭାଗରେ ସହକାରୀ ପ୍ରଫେସର ଭାବେ ନିଯୁକ୍ତ ହୋଇଛନ୍ତି । ମୁକ୍ତେଶ୍ୱରଙ୍କ ଏହି ସଫଳତା ନେଇ ସାରା ଡଙ୍ଗରିଆ ବେଶ ଖୁସି ଜାହିର କରିଥିବା ବେଳେ ସେ ସମସ୍ତ ଶ୍ରେୟ ନିଜ ପରିବାର ଓ ଶିକ୍ଷକଙ୍କୁ ଦେଇଛନ୍ତି । ଆଗକୁ ଡଙ୍ଗରିଆ ମାନଙ୍କ ଉନ୍ନତି ସହ ଶିକ୍ଷାର କିଭଳି ବିକାଶ ହେବ ସେଥିପ୍ରତି ଗୁରୁତ୍ୱ ଦେବାକୁ କୁହନ୍ତି ମୁକ୍ତେଶ୍ୱର । ତାଙ୍କର କଠିନ ପରିଶ୍ରମ ଓ ଅଧ୍ୟବସାୟ ଯୋଗୁ ମିଳିଥିବା ସଫଳତା ଆଗକୁ ଅନ୍ୟ ମାନଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣା ପାଲଟିବ ।