ଗାଁକୁ ନାହିଁ ରାସ୍ତା: ଦେଓନଦୀ ପାର ହୋଇ ବିପଦସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଲୋକେ

44

କନକ ବ୍ୟୁରୋ: ଗାଁକୁ ନାହିଁ ରାସ୍ତା । ନଦୀ ପାର ହୋଇ ଯିବାଆସିବା କରୁଛନ୍ତି ଉଦଳା ବ୍ଲକ କୁଣ୍ଡାବାଇ ପଂଚାୟତରେ ଥିବା ବାଲମା, ଉପରବାଲମା, ମାତକାମବିର ଗ୍ରାମବାସୀ । ପ୍ରାୟ ୭୫ରୁ ଅଧିକ ଆଦିବାସୀ ପରିବାର ଦେଓନଦୀ ଭିତରେ ପଶି ବିପଦସଙ୍କୁଳ ଭାବେ ଯିବାଆସିବା କରୁଛନ୍ତି ଯଦି ଏହି ରାସ୍ତାକୁ ବାଦ ଦିଆଯିବ ତେବେ ୩୦ କିଲୋମିଟର ଅଧିକ ବାଟ ବୁଲିକି ଯିବାକୁ ପଡ଼ିବ । ଖରା, ଶୀତ ଦିନେ ଲୋକେ ଯେଣେତେଣେ ଯିବାଆସିବା କରୁଥିବା ବେଳେ ବର୍ଷା ଦିନେ ଏହି ରାସ୍ତା ଦେଇଯିବା ସମ୍ଭବ ପର ହୁଏ ନାହିଁ । ସବୁଠାରୁ ବଡ଼ କଥା ହେଲା ଏହି ରାସ୍ତା ଦେଇ ଛୋଟ ଛୋଟ ପିଲାମାନେ ବିଦ୍ୟାଳୟକୁ ଯାଇଥାନ୍ତି । ହାତୀ ଘଉଡ଼ାଇବା ପାଇଁ ବନବିଭାଗ ମଧ୍ୟ ଏହି ରାସ୍ତା ଦେଇ ଯାଆନ୍ତି । ରାସ୍ତା ସମସ୍ୟା ନେଇ ଭୋଟ ବର୍ଜନ କରିଥିଲେ ଗ୍ରାମବାସୀ । ହେଲେ ସ୍ଥିତିରେ ସୁଧାର ଆସିନି । ନଦୀ ଉପରେ ପୋଲ ନିର୍ମାଣ ପାଇଁ ଗାଁ ଲୋକ ଦାବି କରିଆସୁଥିଲେ ବି ଏ ଦିଗରେ ପ୍ରଶାସନ କୌଣସି ନିଷ୍ପତି ନେଇନି ।