ଶେଷରେ ଦାମ ବାବୁ ଭୁଲ ମାଗିଲେ ! ବ୍ରାହ୍ମଣ ସମାଜକୁ ଅପମାନ କରି ଆସିଥିଲେ ବିବାଦକୁ । ତୁଣ୍ଡକୁ ନେଇ ପୁଣି ଅଡ଼ୁଆରେ କୃଷିମନ୍ତ୍ରୀ

43

କନକ ବ୍ୟୁରୋ : ଶେଷରେ ଭୁଲ ମାଗିଲେ ଦାମ । ବ୍ରାହ୍ମଣଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ କ୍ଷମା ମାଗିଲେ ଦାମ । ବ୍ରାହ୍ମଣ ସମାଜ ପ୍ରତି ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗରେ ଦୁଃଖ ପ୍ରକାଶ କରିଛନ୍ତି କୃଷି ମନ୍ତ୍ରୀ ଦାମୋଦର ରାଉତ । ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରବଳ ବିରୋଧ ପରେ ନିଜ ମନ୍ତବ୍ୟକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଦାମ । ତେବେ ତାଙ୍କ କଥାର ଅର୍ଥକୁ ଅନର୍ଥ କରାଯାଇଥିବା ସେ କହିଛନ୍ତି । ମନ୍ତ୍ରୀ ଦାମୋଦର ରାଉତଙ୍କ ମନ୍ତବ୍ୟକୁ ନେଇ ପୁରୀ ଶ୍ରୀମନ୍ଦିର ସାମନା ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଗତକାଲି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କୃଷି ମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ବ୍ରାହ୍ମଣ ସମାଜ । ମାଲକାନଗିରି ମାଲ୍ୟବନ୍ତ ମହୋତ୍ସବରେ ଦାମ କହିଥିଲେ ଯେ ବ୍ରାହ୍ମଣ ମାନେ ବରଂ ଭିକ ମାଗନ୍ତି କିନ୍ତୁ ଆଦିବାସୀମାନେ କେବେ ବି ଭିକ ମାଗନ୍ତି ନାହିଁ ।

ସୂଚନାଯୋଗ୍ୟ ସବୁବେଳେ ବିବାଦୀୟ ମନ୍ତବ୍ୟ ଦେଇ ଆଲୋଚନାର ଶୀର୍ଷକ ସାଜୁଥିବା ଦାମ ରାଉତ ଦୁଇ ଦିନ ପୂର୍ବରୁ ବ୍ରାହ୍ମଣଙ୍କୁ ନେଇ ଦେଇଥିଲେ ବିବାଦୀୟ ମନ୍ତବ୍ୟ । ମାଲକାନଗିରିର ସାଂସ୍କୃତିକ ଗଣପର୍ବ ମାଲ୍ୟବନ୍ତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସେଠାରେ କୃଷିମନ୍ତ୍ରୀ ଡାକ୍ତର ଦାମୋଦାର ରାଉତ କହିଥିଲେ ବ୍ରାହ୍ମଣ ହାତ ପତେଇ ସମସ୍ତଙ୍କୁ ଭିକ ମାଗନ୍ତି । ଆଦିବାସୀଙ୍କୁ ପ୍ରଶଂସା କରିବାକୁ ଯାଇ ବ୍ରାହ୍ମଣ ସମାଜ ବିରୋଧରେ ଏଭଳି କଟୁ ସମାଲୋଚନା କରିଥିଲେ କୃଷିମନ୍ତ୍ରୀ । ଆଉ କହିଥିଲେ ଆଦିବାସୀ କେବେବି ଭିକ ମାଗନ୍ତି ନାହିଁ । ଝରଣା ପାଣି ପିଇ ବଂଚିଯିବେ ସିନା ଆଦିବାସୀ ଭିକ ମାଗିବେ ନାହିଁ । ହେଲେ ବ୍ରାହ୍ମଣ ହାତ ପତେଇ ସମସ୍ତଙ୍କୁ ଭିକ ମାଗନ୍ତି । ବସଷ୍ଟାଣ୍ଡରେ ବ୍ରାହ୍ମଣଙ୍କୁ ଏମିତି ହାତ ପତେଇ ଭିକ ମାଗୁଥିବାର ଦୃଶ୍ୟ ଦେଖିବାକୁ ମିଳେ ବୋଲି କହିଥିଲେ କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ।

ଦାମଙ୍କ ଏଭଳି ବୟାନକୁ ପ୍ରତିବାଦ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ବିରୋଧ ପ୍ରଦର୍ଶନ ହୋଇଥିଲା । କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ କ୍ଷମା ପ୍ରାର୍ଥନା ଦାବି କରିଥିଲେ ବ୍ରାହ୍ମଣ ସମାଜ । ମାଲକାନଗିରିରେ ମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ବ୍ରାହ୍ମଣଙ୍କ ମନରେ ନିଆଁ ଲଗାଇ ଦେଇଥିଲା । ଆଉ ପ୍ରତିବାଦର ନିଆଁ ତୀବ୍ର ହୋଇଥିଲା । ତେବେ ଏହି ଘଟଣା ରାଜ୍ୟ ରାଜନୀତିକୁ ଗରମ କରୁଥିବା ବେଳେ ବିରୋଧୀ ଦଳ ଏହାକୁ ନେଇ ତୁମ୍ବି ତୋଫାନ ଆରମ୍ଭ କରିଥିଲେ । ଜାତିବାଦର ଜହର ଓଡ଼ିଶାରେ ଅନ୍ୟରାଜ୍ୟ ତୁଳନାରେ ଅତି ନଗନ୍ୟ ଥିଲେ ସୁଦ୍ଧା ମୌକାରେ ଚୌକା ମାରିକାକୁ ପଛାଇ ନଥିଲେ ପ୍ରତିପକ୍ଷ ଦଳରେ ଥିବା ନେତା । ବିଜେପି କହିଥିଲା, ବ୍ରାହ୍ମଣଙ୍କ ପ୍ରତି ଏଭଳି ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ । ଏଥିପାଇଁ ଓଡ଼ିଶାବାସୀଙ୍କ ଆଗରେ ମନ୍ତ୍ରୀ ଦାମ ରାଉତ କ୍ଷମା ମାଗିବା ଉଚିତ ଏବଂ ମୁଖ୍ୟମନ୍ତ୍ରୀ ଏ ବାବଦରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଦଳ ଦାବି କରିଥିଲା । ସେହିଭଳି କଂଗ୍ରେସ ମଧ୍ୟ କହିଥିଲା ବ୍ରାହ୍ମଣଙ୍କ ପ୍ରତି ଏଭଳି ମନ୍ତବ୍ୟ ଅଶୋଭନୀୟ ।