ରିମାଣ୍ଡରେ ଗଲେ ପ୍ରଶାନ୍ତ ରାଉତ : ୫ ଦିନିଆ ରିମାଣ୍ଡରେ ନେଲା ଭିଜିଲାନ୍ସ; ପୂର୍ବରୁ ଦିଆଯାଇଛି ବାଧ୍ୟତାମୂଳକ ଅବସର

390

କନକ ବ୍ୟୁରୋ : ରିମାଣ୍ଡରେ ଗଲେ ପ୍ରଶାନ୍ତ ରାଉତ । ୫ ଦିନିଆ ରିମାଣ୍ଡରେ ନେଲା ଭିଜିଲାନ୍ସ । ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ଖୋଳତାଡ କରିବ ଭିଜିଲାନ୍ସ । ପୂର୍ବରୁ ପ୍ରଶାନ୍ତଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଦୁଇ ଦିନ ତଳେ ଗିରଫ କରାଯାଇଥିଲା । ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଥିଲା । ତାଙ୍କ ଘରୁ ୩ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଥିଲା । ପ୍ରଶାନ୍ତ କୁମାର ରାଉତଙ୍କର ୫ କୋଟିରୁ ଅଧିକ ପରିମାଣର ହିସାବ ବହିର୍ଭୂତ ସଂପତ୍ତି ଅଛି । ନିଜ ଆୟଠାରୁ ପ୍ରଶାନ୍ତଙ୍କ ୫୦୦ ପ୍ରତିଶତ ଅଧିକ ସଂପତ୍ତି ଠାବ ହୋଇଛି। ଏନେଇ ଭିଜିଲାନ୍ସ ଏସ ପି ଏମ ରାଧାକ୍ରିଷ୍ଣନ୍ ସୂଚନା ଦେଇଥିଲେ ।

ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୯ଟି ଜାଗାରେ ଚଢ଼ଉ ବେଳେ ପ୍ରଶାନ୍ତଙ୍କ କାନନବିହାର ଏଚ୍ଆଇଜି-୧୧୫ରେ ଥିବା ଘରୁ ୨କୋଟି ୩ଲକ୍ଷ ୫୦୦ ଟଙ୍କା ଜବତ କରାଯାଇଥିଲା । ଚଢ଼ଉ ବେଳେ ପ୍ରଶାନ୍ତ ୬ଟି ସିଲ୍ ପେଟି ଓ ଗୋଟିଏ ଆଟାଚି ଭର୍ତ୍ତି ଟଙ୍କା ପଡ଼ୋଶୀଙ୍କ ଛାତ ଉପରକୁ ଫିଙ୍ଗି ଦେଇଥିଲେ । ପଡ଼ୋଶୀ ମଧ୍ୟ ଏହି ଟଙ୍କା ପେଟି ଘରକୁ ନେଇ ଯାଇଥିଲେ । ଭିଜିଲାନ୍ସ ଅଧିକାରୀମାନେ ପଡ଼ୋଶୀଙ୍କ ଘର ଭିତରେ ପଶି ଟଙ୍କା ଜବତ କରିଥିଲେ । କୋଟି କୋଟି ଟଙ୍କା ଜବତ ହେବା ପ୍ରଚାର ହେବାପରେ ସ୍ଥାନୀୟ ବାସିନ୍ଦା ଦେଖିବା ଲାଗି ଘର ବାହାରକୁ ମଧ୍ୟ ଚାଲି ଆସିଥିଲେ ।

ଖାଲି ଭୁବନେଶ୍ବର ନୁହେଁ, ନବରଙ୍ଗପୁର ସରକାରୀ କ୍ବାର୍ଟର୍ସରୁ ଦୁଇଟି ପର୍ଯ୍ୟାୟରେ ୮୮ ଲକ୍ଷ ୯୩ ହଜାର ୩୦୦ ଟଙ୍କା ଜବତ କରାଯାଇଥିଲା । ସେହିପରି ଚଢ଼ଉ ଜାରି ରହିଥିବା ବେଳେ ସନ୍ଧ୍ୟାରେ ଆଉ ୧୦ ଲକ୍ଷ ୩୭ ହଜାର ଟଙ୍କା ଭୁବନେଶ୍ବର କାନନବିହାର ଘରୁ ଜବତ କରାଯାଇଥିଲା । ଏହି ଟଙ୍କାକୁ ସେ ବହି ରୢାକ୍ ପଛପଟ କାନ୍ଥରେ ଲୁଚାଇ ରଖିଥିଲେ । ଏବେ ସୁଦ୍ଧା ୩କୋଟି ୨ ଲକ୍ଷ ୩୦ ହଜାର ୮୦୦ ଟଙ୍କା ଜବତ କରାଯାଇଥିଲା। ଚଢ଼ଉ ଜାରି ରହିଥିବା ବେଳେ ନଗଦ ଟଙ୍କା ମିଳୁଥିବାରୁ ଭିଜିଲାନ୍ସ ଅଧିକାରୀମାନେ ମଧ୍ୟ ତାଜୁବ୍ ହୋଇଯାଇଥିଲେ।