ଶ୍ରୀମନ୍ଦିର ଅଭିମୁଖେ ଗଡିଲା ବଡଠାକୁରଙ୍କ ରଥ : ଶରଧାବାଲିରୁ ତାଳଧ୍ୱଜ ରଥକୁ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ

94

କନକ ବ୍ୟୁରୋ : ନବଦିନାତ୍ମକ ଯାତ୍ରା ସାରି ଆଜି ଶ୍ରୀମନ୍ଦିର ଅଭିମୁଖେ ଗଡିଲା ଚତୁର୍ଦ୍ଧାମୂରତିଙ୍କ ରଥ । ପରମ୍ପରା ଅନୁଯାୟୀ ସମସ୍ତ ନୀତି ଶେଷ ପରେ ପୁନର୍ବାର ରଥରେ ବସି ତିନି ଠାକୁର ରତ୍ନବେଦୀ ଅଭିମୁଖେ ମହାପ୍ରଭୁ । ତେବେ ନୀତି ନିର୍ଘଣ୍ଟ ଅନୁସାରେ ସମସ୍ତ ରୀତିନୀତି ସୁରୁଖୁରରେ ସମ୍ପନ୍ନ ହୋଇଛି । ମଧ୍ୟାହ୍ନ ସୁଦ୍ଧା ପହଣ୍ଡି ନୀତି ଏବଂ ପରେ ଛେରାପହଁରା ନୀତି ଶେଷ ହୋଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ବଡ ଠାକୁର ଶ୍ରୀବଳଭଦ୍ରଙ୍କ ରଥ ତାଳଧ୍ୱଜ ରଥ ପ୍ରଥମେ ଟଣାହୋଇଥିଲା ।

ତେବେ ମହାପ୍ରଭୁଙ୍କ ଇଚ୍ଛା ନ ଥିଲେ କିଛି ବି ହୁଏ ନାହିଁ। ପୂର୍ବରୁ ସ୍ଥିରୀକୃତ ହୋଇଥିଲା କି ଅପରାହ୍ନ ୪ଟା ସମୟରେ ରଥଟଣା ଆରମ୍ଭ ହେବ । କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସବୁ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଶୃଙ୍ଖଳିତ ଭାବେ ଶେଷ ହୋଇ ରଥଟଣା ଆରମ୍ଭ ହୋଇଯାଇଛି । ଅପରାହ୍ନ ପ୍ରାୟ ୧.୧୦ମିନିଟରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଅଭିମୁଖେ ଗଡ଼ିବା ଆରମ୍ଭ କରିଛି ତାଳଧ୍ୱଜ। ଘଣ୍ଟଘଣ୍ଟା, ହୁଳହୁଳି ଓ ଶଙ୍ଖ ଧ୍ୱନୀ ମଧ୍ୟରେ ଧୀରେଧୀରେ ଗଡ଼ିବାରେ ଲାଗିଛି ତାଳଧ୍ୱଜ । ରଥର ଚତୁଃପାର୍ଶ୍ୱରେ ପୁଲିସ ପକ୍ଷରୁ କର୍ଡନ କରାଯାଇଛି । ଫଳରେ ବିନା କୌଣସି ଅସୁବିଧାରେ ଚାଲିଛି ରଥଟଣା କାର୍ଯ୍ୟ ।