ଆରମ୍ଭ ହେଲା ଛେରାପହଁରା ନୀତି : ତାମଯାନରେ ଆସିଲେ ଗଜପତି ମହାରାଜ

119

କନକ ବ୍ୟୁରୋ : ଆରମ୍ଭ ହେଲା ଛେରାପହଁରା ନୀତି । ତାମଯାନରେ ଆସିଲେ ଗଜପତି ମହାରାଜ । ତାଳଧ୍ୱଜ ରଥରେ ଛେରାପହଁରା ନୀତି ସମ୍ପନ୍ନ । ଦର୍ପଦଳନ ରଥରେ ଚାଲିଛି ଛେରାପହଁରା ନୀତି ।

ପୁରୀ ଗଜପତି ମହାରାଜା ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବ୍ୟତୀତ ଦୋଳବେଦୀରେ , ସ୍ନାନବେଦୀରେ ଓ ଚାପଉପରେ ଛେରା ପହଁରା ସେବା କରନ୍ତି । ସେହି ସ୍ଥାନକୁ ସୁନା ପହଁରାରେ ଓଳେଇ ସଫା କରିଥାନ୍ତି । ଶ୍ରୀଗୁଣ୍ଡିଚା ଓ ବାହୁଡା଼ ଯାତ୍ରାର ଅନ୍ୟତମ ମୂଖ୍ୟ ଆକର୍ଷଣ ହେଉଛି ପୁରୀ ଗଜପତି ମହାରାଜାଙ୍କ ତିନି ରଥ ଉପରେ ଛେରାପହଁରା ସେବା । ଏହି ଛେରାପହଁରା ନୀତିକୁ ଦେଖିବା ଲାଗି ଉଭୟ ସିଂହଦ୍ୱାର ଓ ଗୁଣ୍ଡିଚା ମନ୍ଦିରଠାରେ ଲକ୍ଷାଧିକ ଭକ୍ତ ତଥା ଜନସାଧାରଣଙ୍କ ସମାଗମ ହୋଇଥାଏ ।

ସର୍ବପ୍ରଥମେ ବଳଭଦ୍ରଙ୍କ ରଥରେ ଛେରା ପହଁରା କରନ୍ତି। ପ୍ରଥମେ ଗରାବଡୁ ସେବକଙ୍କଠାରୁ ହାତୁଆଣି (ରାଜାଙ୍କ ହାତକୁ ଉକ୍ତ ସେବକ ପାଣି ବଢାଇଥାନ୍ତି) ନେଇ ଗଜପତି ପୁଷ୍ପାଞ୍ଜଳି ପ୍ରଦାନ କରିଥାନ୍ତି। ସୁନା କର୍ପୂର ଆଳତିରେ କର୍ପୂର ବସାଇ ଭଣ୍ଡାର ମେକପ ରାଜାଙ୍କ ହସ୍ତକୁ ବଢାଇଥାନ୍ତି । ରାଜା ଠାକୁରଙ୍କ ସମ୍ମୁଖରେ ଆରତି କରି ସୁନା ଚାମର ଆଲଟ ସେବା କରିଥାନ୍ତି । ତତ୍ପରେ ରଥ ଉପରେ ସିଂହାସନ ତଳକୁ ଓହ୍ଲାଇଥାନ୍ତି। ପୂର୍ବରୁ ଦୟଣାମାଳି ଦେଇଥିବା ଶୁକ୍ଳ ଫୁଲ ଭଣ୍ଡାର ମେକାପ ପୂଜା ପିଙ୍ଗଣରେ ଧରିଥାଏ । ଏହି ସମୟରେ ରାଜଗୁରୁ ମୁଦୁଲି ସେବକଙ୍କଠାରୁ ସୁନା ଖଡି଼କା ଆଣି ସଂସ୍କାର କରି ଗଜପତିଙ୍କ ହାତକୁ ବଢାଇଥାନ୍ତି । ଭଣ୍ଡାର ମେକପ ରଥର ଚାରି ପାଖରେ ବୁଲି ଶୁକ୍ଳ ଫୁଲ ଆଗରେ ପକାଉଥିବେ ଓ ଗଜପତି ମହାରାଜା ସୁନା ଖଡିକା ଧରି ରଥ ଚାରି ପାଖେ ପହଁରିଥାନ୍ତି ।

ଏହା ପରେ ଘଟୁଆରୀ ପ୍ରଦତ୍ତ ରୂପା ପିଙ୍ଗଣରେ ଥିବା ଚନ୍ଦନ ପାଣିକୁ ରାଜଗୁରୁ ସଂସ୍କାର କରିବାପରେ ଭଣ୍ଡାର ମେକପ ଗଜପତିଙ୍କ ହସ୍ତକୁ ବଢାଇଥାନ୍ତି। ତତ୍ପରେ ଗଜପତି ଚନ୍ଦନପାଣି ରଥ ଚାରିପଟରେ ଛିଞ୍ଚିଥାନ୍ତି । ଏହି କ୍ରମରେ ବଳଭଦ୍ର, ଜଗନ୍ନାଥ ଓ ସୁଭଦ୍ରାଙ୍କ ରଥ ଉପରେ ଛେରା ପହଁରା ସରିଥାଏ । ଛେରା ପହଁରା ନୀତି ସରିବା ପରେ ତାମଯାନରେ ଗଜପତି ମହାରାଜା ପଟୁଆର ସହ ଶ୍ରୀନଅର ଅଭିମୁଖେ ଯାତ୍ରା କରିଥାନ୍ତି । ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ତଥା ପରମ୍ପରା ଅନୁଯାୟୀ ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ଉକ୍ତ ସେବା ମୁଦିରଥ ସେବକ କରିଥାନ୍ତି। ଏପରିକି ଅତୀତରେ ବହୁବର୍ଷ ଧରି ମୁଦିରଥ ସେବକ ଛେରା ପହଁରା ସେବା କରିଥିବାର ପ୍ରମାଣ ରହିଛି ।