୭ରେ ଲଘୁଚାପ, ୯ ତାରିଖରେ ବାତ୍ୟା ଆଶଙ୍କା । ସାମୁଦ୍ରିକ ଝଡ଼ ନେଇ ବଙ୍ଗୋପସାଗରରେ ଅନୂକୂଳ ସ୍ଥିତି । ପଢନ୍ତୁ, କଣ କହିଲେ ଆଇଏମଡି ଡିଜି…

923

କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟାକୁ ନେଇ ପାଣିପାଗ ବିଭାଗର ଆକଳନ ରାଜ୍ୟବାସୀଙ୍କ ଚିନ୍ତାକୁ ବଢ଼ାଇ ଦେଇଛି । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ, ୯ତାରିଖ ବେଳକୁ ଅଧିକ ଘନିଭୂତ ହୋଇ ବାତ୍ୟାର ରୂପ ନେଇପାରେ । ତେବେ ଏହାର ଗତି ପଥ କଣ ହେବ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ପାଣିପାଗ ସଂସ୍ଥା ୱିଣ୍ଡିର ଦୁଇଟି ମଡେଲର ଆକଳନ ଅନୁସାରେ ୧୨ତାରିଖରେ ବାତ୍ୟା ବାଂଲାଦେଶ-ମିଆଁମାର ମଝିରେ ସ୍ଥଳଭାଗ ଛୁଇଁପାରେ ।

  • ୯ ତାରିଖରେ ବାତ୍ୟା ଆଶଙ୍କା!
  • ୭ରେ ଲଘୁଚାପ, ୮ରେ ଅବପାତ ସମ୍ଭାବନା!

ଆଇଏମଡି ୱେବସାଇଟରେ ଦିଆଯାଇଥିବା ବଙ୍ଗୋପସାଗରର ସାଟେଲାଇଟ୍ ଚିତ୍ରରେ ଦେଖିବାକୁ ମିଳିଛି ଯେ, ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଅନୁକୂଳ ହେବାରେ ଲାଗିଛି ସ୍ଥିତି । ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୬ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ୭ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେଇପାରେ । ଆଉ ୮ ତାରିଖକୁ ଏହା ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବା ଆଶଙ୍କା କରିଛି ପାଣିପାଗ ବିଭାଗ । ଏହାପରେ ଉତ୍ତର ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗର ଆଡକୁ ଗତି କରିବା ସମ୍ଭାବନା ରହିଛି । ୯ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେଇପାରେ । ପ୍ରେସମିଟ୍ କରି ସମ୍ଭାବ୍ୟ ବାତ୍ୟା ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ଆଇଏମଡି ଡିଜି କହିଛନ୍ତି ଯେ…

  • ସମୁଦ୍ର ଭିତରେ ବାତ୍ୟା ନେଇ ପାରିପାଶ୍ୱିର୍କ ସ୍ଥିତି ସମ୍ପୂର୍ଣ୍ଣ ଅନୁକୂଳ ରହିଛି
  • ୭ ତାରିଖରୁ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ
  • ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି
  • ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ଗତିପଥ ସ୍ପଷ୍ଟ ହେବ

ଯଦି ବାତ୍ୟା ହୁଏ, ତେବେ ବାତ୍ୟାର ନାଁ ରହିବ ‘ମୋଚା’ । ଭାରତୀୟ ଉପକୂଳରେ ସ୍ଥଳଭାଗ ଛୁଇଁବ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଅନ୍ତର୍ଜାତୀୟ ପାଣପାଗ ସଂସ୍ଥା ୱିଣ୍ଡି ଡଟ୍ କମର ଆକଳନ ଅନୁସାରେ ବାତ୍ୟା ବାଂଲାଦେଶ ଉପକୂଳ ପାଖାପାଖି ଲ୍ୟାଣ୍ଡଫଲ୍ କରିପାରେ । ୧୨ ତାରିଖ ଦିନ ୨ଟା ପରେ ସ୍ଥଳଭାଗ ଛୁଁଇପାରେ ବାତ୍ୟା । ସେହିପରି ଜିିଏଫଏସ୍ ମଡେଲ୍ ମଧ୍ୟ ବାତ୍ୟା ଲ୍ୟାଣ୍ଡଫଲ କରିପାରେ ବୋଲି ଆକଳନ କରିଛି । ସେହି ୧୨ ତାରିଖ ରାତି ୧୦ଟା ପରେ ଅର୍ଥାତ ବିଳମ୍ବିତ ରାତିରେ ବାଂଲାଦେଶ ଓ ମିଆଁମାର ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ତେବେ ଭାରତୀୟ ପାଣିପାଗ ବିଭାଗ ମାପିଚୁପି ପୂର୍ବାନୁମାନ କରୁଥିବା ବେଳେ, ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଗତିପଥ ସଂପର୍କରେ ସ୍ପଷ୍ଟ ଚିତ୍ର ଆସିବ ବୋଲି କୁହାଯାଉଛି ।

ଏପଟେ ରାଜ୍ୟ ସରକାର ମଧ୍ୟ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଉଭୟ ରାଜ୍ୟ ଓ ଜିଲ୍ଲା ସ୍ତରରେ ଅଧିକାରୀମାନଙ୍କୁ ଆଲର୍ଟ କରାଯାଇଛି । ପାଣିପାଗ ବିଭାଗ ସହ ସମନ୍ୱୟ ରଖାଯାଇ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଉଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ତେବେ ମେ’ ମାସରେ ପୁଣିଥରେ ବାତ୍ୟା ଆଶଙ୍କା ସୃଷ୍ଟି ହୋଇଥିବାରୁ ଉପକୂଳବାସୀଙ୍କ ମନରେ ଛନକା ସୃଷ୍ଟି ହୋଇଛି । ୨୦୨୨କୁ ଛାଡିଦେଲେ ଗତ ୪ ବର୍ଷରେ ବଙ୍ଗୋପସାଗରରେ ୩ ଥର ବାତ୍ୟା ଆସିଛି ।