ଟି-୨୦ ସିରିଜରେ ରିଙ୍କୁଙ୍କୁ ମିଳିଲାନି ସ୍ଥାନ । ସୋସିଆଲ ମିଡ଼ିଆରେ ବିସିସିଆଇ ଉପରେ ବର୍ଷିଲେ କ୍ରିକେଟପ୍ରେମୀ ।

823

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ବିରାଟ, ରୋହିତ, ସାମିଙ୍କ ଭଳି ବରିଷ୍ଠ ଖେଳାଳୀଙ୍କୁ ଟି-୨୦ ସିରିଜରୁ ବିଶ୍ରାମ ଦିଆଯାଇଛି । ତେବେ ଏହି ଟିମରେ ରିଙ୍କୁ ସିଂଙ୍କୁ ସ୍ଥାନ ମିଳିନାହିଁ । ଯାହାକୁ ନେଇ କ୍ରିକେଟ ପ୍ରଂଶସକ ନିରାଶ ହୋଇଛନ୍ତି । କାରଣ ଆଇପିଏଲରେ ରିଙ୍କୁ ଦମଦାର ପ୍ରଦର୍ଶନ କରିଥିଲେ ମଧ୍ୟ ଟିମରେ ତାଙ୍କୁ ସ୍ଥାନ ନ ମିଳିବା ଅନେକ କ୍ରିକେଟପ୍ରେମୀଙ୍କୁ ଚକିତ କରିଛି । କୋଲକାତା ପାଇଁ ବିଧ୍ୱଂସୀ ଇନିଂସ ଖେଳୁଥିବା ରିଙ୍କୁଙ୍କୁ ଟିମ୍ ଇଣ୍ଡିଆର ଆଗାମୀ ଫିନିସର ବୋଲି କୁହାଯାଉଥିଲା । ଏପରିକି ତାଙ୍କୁ ତୁରନ୍ତ ଟିମ୍ ଇଣ୍ଡିଆରୁ ଡାକରା ଆସିବ ବୋଲି ମଧ୍ୟ କ୍ରିକେଟପ୍ରେମୀ ଆଶା ବାନ୍ଧି ବସିଥିଲେ । କିନ୍ତୁ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରେ ରିଙ୍କୁ ସ୍ଥାନ ନ ପାଇବାରୁ ବିସିସିଆଇ ଉପରେ ଖପ୍ପା ହୋଇଛନ୍ତି କ୍ରିକେଟପ୍ରେମୀ ।

ରିଙ୍କୁ ଦଳରେ ସ୍ଥାନ ନ ପାଇବା କାରଣରୁ ସୋସିଆଲ ମିଡ଼ିଆରେ ଉଭୟ ବିସିସିଆଇ ଓ ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ଉପରେ ପ୍ରଶ୍ନ ଉଠାଇଛନ୍ତି ପ୍ରଶଂସକ । ଏପରିକି କିଛି ପ୍ରଶଂସକ ଟିମ୍ ଚୟନ ପଛରେ ମୁମ୍ବାଇ ଲବି କାମ କରୁଥିବା ଅଭିଯୋଗ କରିଛନ୍ତି । ଟିମ୍ ଇଣ୍ଡିଆ ଧୋନୀଙ୍କ ଭଳି ଫିନିସର ଆବଶ୍ୟକ କରୁଥିଲେ ମଧ୍ୟ ରିଙ୍କୁ ସିଂଙ୍କୁ ସ୍ଥାନ ନମିଳିବାକୁ ନେଇ କ୍ରିକେଟପ୍ରେମୀ ଟ୍ୱିଟରରେ ବସିସିଆଇକୁ ଟାର୍ଗେଟ କରିଛନ୍ତି । ଧୋନୀ ଓ ରିଙ୍କୁଙ୍କ ରେକର୍ଡର ଫଟୋ ସେୟାର କରି ଲେଖିଛନ୍ତି ରିଙ୍କୁଙ୍କ ଭଳି ପ୍ରତିଭାକୁ ଅଣଦେଖା କରାଯାଉଛି । କିନ୍ତୁ ଏହାଦ୍ୱାରା ଟିମ୍ ଇଣ୍ଡିଆ କ୍ଷତିଗ୍ରସ୍ତ ହେଉଛି । ଗତ ଆଇପିଏଲରେ ରିଙ୍କୁ ୧୪ଟି ମ୍ୟାଚରୁ ୧୫୦ରୁ ଅଧିକ ଷ୍ଟ୍ରାଇକ ରେଟରେ ୪୭୪ ରନ୍ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଖାସକରି ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ଶେଷ ଓଭରରେ ୫ ଛକା ମାରି ରାତାରାତି ଷ୍ଟାର ପାଲଟିଯାଇଥିଲେ ରିଙ୍କୁ ସିଂ ।