ପୁଣି ଲେଉଟିଲାଣି କରୋନା । ଦିନକରେ ପ୍ରାୟ ୮୦୦ ସଂକ୍ରମିତ ଚିହ୍ନଟ, ୬ ରାଜ୍ୟକୁ ଚିଠି ଲେଖି ସତର୍କ କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

191

କନକ ବ୍ୟୁରୋ : ୪ ମାସର ବ୍ୟବଧାନ ପରେ ପୁଣି ବଢୁଛି କରୋନା ସଂକ୍ରମଣ । ମାର୍ଚ୍ଚ ଆରମ୍ଭରେ ଦୈନିକ ସଂକ୍ରମଣ ୨୦୦ ଥିବା ବେଳେ ଶୁକ୍ରବାର ଏହା ପ୍ରାୟ ୮୦୦ ଛୁଇଁଛି । ଶୁକ୍ରବାର ଚିହ୍ନଟ ହୋଇଥିବା ୭୯୬ ଜଣ ସଂକ୍ରମିତଙ୍କୁ ମିଶାଇ ଦେଶରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ଅତିକ୍ରମ କରିଯାଇଛି । ୧୦୯ ଦିନ ପରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ପାର କରିଛି । ସଂକ୍ରମଣ ବଢୁଥିବାରୁ ମହାରାଷ୍ଟ୍ର, ଉତରପ୍ରଦେଶ, ଗୁଜରାଟ ସମେତ ୬ ରାଜ୍ୟକୁ ଚିଠି ଲେଖି ସତର୍କ ରହିବାକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଟେଷ୍ଟିଂ, ଟ୍ରାକିଂ, ଟିକା, ଚିକିତ୍ସା ଉପରେ ଗୁରୁତ୍ୱ ଦେବା ସହ ଛୋଟ ସ୍ତରରେ ସଂକ୍ରମଣ ରୋକିବାକୁ ପଦକ୍ଷେପ ନେବାକୁ କହିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।

ଇନଫ୍ଲ୍ୟୁଏଞ୍ଜା-ଏ ସବ ଭାରିଆଣ୍ଟ ଏଚ୩ଏନ୨ରେ ସଂକ୍ରମିତ ହୋଇ ଆଉ ଦୁଇ ଜଣ ପ୍ରାଣ ହରାଇଥିବା ଶୁକ୍ରବାର ସୂଚନା ମିଳିଛି । ଫୁସଫୁସ୍ ଜନିତ ରୋଗରେ ପୀଡିତ ଥିବା ଜଣେ ୭୩ ବର୍ଷିୟ ବୃଦ୍ଧ ଏବଂ ଜଣେ ୬୭ ବର୍ଷିୟ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ, ବିହାରରେ ସଂକ୍ରମଣ ଦୃତ ଗତିରେ ବ୍ୟାପୁଥିବାରୁ ହସ୍ପିଟାଲ ବେଡ ପ୍ରସ୍ତୁତ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ପୁଡୁଚେରୀରେ ସ୍କୁଲ ବନ୍ଦ କରାଯାଇଛି । ବିଭିନ୍ନ ରାଜ୍ୟରେ ଏଚ୩ଏନ୨ ସଂକ୍ରମଣ ବଢୁଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଛୁଇଁଛି । ଏଚ୩ଏନ୨ ସଂକ୍ରମଣରୁୁ ଦୂରେଇ ରହିବା ପାଇଁ ମାସ୍କ ପିନ୍ଧିବା, ଭିଡ ସ୍ଥାନକୁ ନଯିବା, ହାତ ଧୋଇବା, ସାମାଜିକ ଦୂରତା ବଜାୟୀ ରଖିବାକୁ ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେଇଛନ୍ତି ।