ସାହାଯ୍ୟ ଅପେକ୍ଷାରେ ମାମୁନି। ରୋଗ ଯନ୍ତ୍ରଣାରେ ବାପଘରେ ପଡିରହିଛନ୍ତି ମାମୁନି ଓଝା।

100

କନକ ବ୍ୟୁରୋ: ଆଖିରୁ ଲୁହ ଝରାଇ ବାହୁନି ବାହୁନି କାନ୍ଦୁଛି ମା’ । ନା ଚିକିତ୍ସା ପାଇଁ ଶାଶୂଘର ଲୋକ ସାହାଯ୍ୟ କରୁଛନ୍ତି ନା ବୋହୂକୁ ଟିକିଏ ଦେଖିବାକୁ ଆସୁଛନ୍ତି । ୭ ବର୍ଷର କୁନି ଛୁଆକୁ ମଧ୍ୟ ପାଖକୁ ଛାଡ଼ୁନାହାନ୍ତି । ରୋଗ ଯନ୍ତ୍ରଣାରେ ବାପଘରେ ପଡ଼ିରହିଛନ୍ତି ବରମୁଣ୍ଡା ବେହେରା ସାହି ଅଞ୍ଚଳର ମାମୁନି ଓଝା ।

ଗୋଡ଼ ହାତ ସବୁ ଶୁଖିଗଲାଣି । ଫୁସଫୁସ୍ ଦୁଇଟା ନଷ୍ଟ ହୋଇଯିବା ପରେ ମାତ୍ର ୨୬ ବର୍ଷ ବୟସରରେ ଏମିତି ଯନ୍ତ୍ରଣା ଭୋଗୁଛନ୍ତି ମାମୁନି । ବାପା କାଠ କାମ କରନ୍ତି । ୨୦୧୫ରେ ବାଳକାଟି ଭୈରପୁରର ବୃ୍ନ୍ଦାବନ ଓଝାଙ୍କ ପୁଅ ଭୁବନାନନ୍ଦ ଓଝାଙ୍କ ସହ ତାଙ୍କର ବାହାଘର ହୋଇଥିଲା । ହେଲେ ବାହାଘରର ୪ ଦିନ ପରେ ତାଙ୍କ ଉପରେ ଆରମ୍ଭ ହୋଇଯାଇଥିଲା ଯୌତୁକ ନିର୍ଯାତନା । ଶାଶୁଘର ଲୋକ ଖାଇବାକୁ ନଦେଇ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏନେଇ ପରିବାର ଲୋକ ବାରମ୍ବାର ଆଇନର ଆଶ୍ରୟ ନେଉଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହେବା ପରେ ତାଙ୍କର ଦୁଇଟି ଯାକ ଫୁସଫୁସ୍ ସମ୍ପୂର୍ଣର୍ ନଷ୍ଟ ହୋଇଯାଇଛି ।

ପରିବାର ଲୋକଙ୍କ କହିବା ଅନୁସାରେ ବାହାଘର ସମୟରେ ମାମୁନି ସମ୍ପୂଣ୍ଣ ସୁସ୍ଥ ଥିଲେ । ଦେହ ଖରାପ ହେଲେ ବାପଘରକୁ ପଠାଇଦେଉଥିଲେ । ସୁସ୍ଥ ହୋଇ ଶାଶୂଘର ଯିବା ପରେ ପୁଣି ଅକତନୀୟ ଅତ୍ୟାଚାର ଦେଉଥିଲେ । ଏବେ ସ୍ତ୍ରୀ ମରଣ ସହ ସଂଗ୍ରାମ କରୁଥିଲେ ବି ସେ କେମିତି ଅଛି ସ୍ୱାମୀ ମଧ୍ୟ ଥରେ ପଚାରୁନାହିଁ ।

ଅନ୍ୟପଟେ ବାହାଘର ପରେ ବାପଘର ରାସନ କାର୍ଡ଼ରୁ ମାମୁନିଙ୍କ ନା କଟିଯାଇଛି । ବିଏସକେୱାଇ କାର୍ଡ଼ରେ ମଧ୍ୟ ତାଙ୍କର ନା ନାହିଁ । ଅର୍ଥ ଅଭାବରୁ ମାମୁନିଙ୍କ ଚିକିତ୍ସା ମଧ୍ୟ ହୋଇପାରୁନାହିଁ । ତେଣୁ ମାମୁନିଙ୍କ ଚିକିତ୍ସା ପାଇଁ ସହାୟତା କରିବାକୁ ନିବେଦନ କରିଛନ୍ତି ତାଙ୍କ ପରିବାର ।