ବୁଷ୍ଟର ଡୋଜରେ ନେବେ କେଉଁ ଟିକା ? ଦ୍ୱର ହେଲା ଦ୍ୱନ୍ଦ୍ୱ; ଜାନୁଆରୀ ୧୦ରୁ ସାରା ଦେଶରେ ଆରମ୍ଭ ହେବ ବୁଷ୍ଟର ଡୋଜ୍ ଟିକାକରଣ

327

କନକ ବ୍ୟୁରୋ : ଜାନୁଆରୀ ୩ ତାରିଖରୁ ପିଲାଙ୍କ ଟିକାକରଣ ଆରମ୍ଭ ହେଉଥିବା ବେଳେ ୧୦ରୁ ଦିଆଯିବ ବୁଷ୍ଟର ଡୋଜ । ଦେଶରେ ପ୍ରାୟ ୩ କୋଟି ସ୍ୱାସ୍ଥ୍ୟ କର୍ମୀ, ପାଖାପାଖି ସମାନ ସଂଖ୍ୟକ ଆଗ ଧାଡ଼ିର କୋଭିଡ ଯୋଦ୍ଧାଙ୍କୁ ଦିଆଯିବ କରୋନା ଟିକାର ତୃତୀୟ ଡୋଜ । ସେହିପରି ୬୦ ବର୍ଷରୁ ଅଧିକ ଏବଂ ଏକାଧିକ ରୋଗ ଥିବା ପାଖାପାଖି ୩କୋଟି ଲୋକ ନେଇପାରିବେ ବୁଷ୍ଟର ଡୋଜ ।

ହେଲେ ବୁଷ୍ଟର ଡୋଜ ଆକାରରେ କେଉଁ ଟିକା ଦିଆଯିବ ତାକୁ ନେଇଥିବା ଦ୍ୱନ୍ଦ୍ୱ ଦୂର ହୋଇଛି । କୋଭାକ୍ସିନ ନେଇଥିଲେ ବୁଷ୍ଟରରେ ମିଳିବ କୋଭାକ୍ସିନ, କୋଭିସିଲ୍ଡର ୨ଟି ଡୋଜ୍ ନେଇଥିଲେ ତୃତୀୟ ଡୋଜରେ ବି ମିଳିବ କୋଭିସିଲ୍ଡ । ତେବେ ଟିକା ମିଶ୍ରଣ ନେଇ ଚାଲିଥିବା କ୍ଲିନିକାଲ ଟ୍ରାଏଲର ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏହି ରିପୋର୍ଟ ଆସିବା ପରେ ତୃତୀୟ ବା ବୁଷ୍ଟର ଡୋଜ ଆକାରରେ ଯେକୌଣସି ଟିକା ଦିଆଯାଇପାରିବ ବୋଲି କୁହାଯାଇଛି ।

ସେପଟେ, କରୋନା ଟିକାର ଦ୍ବିତୀୟ ଡୋଜ୍‌ ଏବଂ ବୁଷ୍ଟର୍‌ ଡୋଜ୍‌ ମଧ୍ୟରେ ୯ରୁ ୧୨ ମାସର ବ୍ୟବଧାନ ରହିପାରେ। କୋଭାକ୍ସିନ ଏବଂ କୋଭିସିଲ୍‌ଡ ଟିକାର ଦ୍ବିତୀୟ ଡୋଜ୍‌ ଓ ବୁଷ୍ଟର ଡୋଜ୍‌ ମଧ୍ୟରେ ସମୟ ବ୍ୟବଧାନ ସ୍ଥିର କରିବା ପାଇଁ ଏବେ ବ୍ୟାପକ ବିଚାର ବିମର୍ଶ ଜାରି ରହିଛି। ଖୁବ୍‌ଶୀଘ୍ର ଏ ବାବଦରେ ସରକାରଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ଆସିଯିବ ବୋଲି କୁହାଯାଉଛି ।

ଜାନୁଆରି ୧୦ରୁ ସ୍ବାସ୍ଥ୍ୟକର୍ମୀ ଏବଂ ଫ୍ରଣ୍ଟ୍‌ଲାଇନ୍‌ କର୍ମୀଙ୍କ ପାଇଁ ବୁଷ୍ଟର୍‌ ଡୋଜ୍‌ ପ୍ରଦାନ ଆରମ୍ଭ ହେବାକୁ ଯାଉଥିବା ବେଳେ ଟିକା ବ୍ୟବଧାନ ସଂପର୍କରେ ସ୍ଥିତି ସ୍ପଷ୍ଟ କରିବାକୁ ସରକାର ଖୁବ୍‌ଶୀଘ୍ର ଘୋଷଣା କରିପାରନ୍ତି । ବିଶ୍ବରେ ଏବେ ୩୬ଟି ରାଷ୍ଟ୍ରରେ ବୁଷ୍ଟର ଡୋଜ୍‌ ଦିଆଯିବା ପ୍ରକ୍ରିୟା ଚାଲିଛି । ଓମିକ୍ରନ୍‌ ପ୍ରଜାତି ଦ୍ବାରା ସଂକ୍ରମଣ ବଢ଼ୁଥିବାରୁ ଅଧିକରୁ ଅଧିକ ରାଷ୍ଟ୍ର ଡୋଜ୍‌ ବୁଷ୍ଟର୍‌ ଡୋଜ୍‌ ପ୍ରଦାନ ପାଇଁ ନିଷ୍ପତ୍ତି ନେଉଛନ୍ତି ।