ବରଗଡ ପରେ କଳାହାଣ୍ଡି ଚାଷୀଙ୍କ ଦୁଃଖ : କପା ଚାଷରେ କାଣ୍ଡବିନ୍ଧାର ରାଜ୍, ଅମଳର ୭ଦିନ ପୂର୍ବରୁ ୫୪ହଜାର ହେକ୍ଟର କପା ଚାଷରେ ଲାଗିଲା ପୋକ

21

କନକ ବ୍ୟୁରୋ : ବରଗଡ ପରେ କଳାହାଣ୍ଡିରେ ଫସଲରେ ଦାଉ ସାଧୁଛି ପୋକ । କପା ଚାଷ କରି ବେଶ ଦୁଇ ପଇସା ରୋଜଗାର କରିବାକୁ ଆଶା ରଖିଥିଲା ଚାଷୀ । ହେଲେ ଆଉ ସପ୍ତାହକ ପରେ ପ୍ରଥମ ଅମଳ ହେବାକୁ ଥିଲା କିନ୍ତୁ ଚାରିଆଡେ ପ୍ରାୟ ୫୪ହଜାର ହେକ୍ଟର କପା ଚାଷରେ କାଣ୍ଡବିନ୍ଧା ପୋକ ଲାଗିଯାଇଛି । ଫଳରେ ଋଣ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ପଡିଯାଇଛି ।

କଳାହାଣ୍ଡିର ଏକର ଏକର ଜମିରେ କପା ଚାଷ କରିଛନ୍ତି ଚାଷୀ । ପ୍ରାୟ ୧୫ବର୍ଷ ହେଲା କଳାହାଣ୍ଡିର ଅଣଜଳସେଚୀତ ଜମିରେ କପା ଚାଷୀଙ୍କୁ ବେଶ ଫାଇଦା ଦେଇଛି । ଏଥର ବି ଫସଲ ଭଲ ହୋଇଥିଲା । ଏବଂ ଚାଷୀ ଅନେଇ ବସିଥିଲା ଭଲ ଅମଳ ହେବ ଏବଂ ପକେଟକୁ ଦି ପଇସା ଆସିବ ।

ସାଧାରଣତଃ ୩ଥର ଅମଳ ହେଉଥିବା ଏହି କପା ଚାଷ ଆଉ ସପ୍ତାହକ ପରେ ପ୍ରଥମ ଅମଳ ହେବାକୁ ଥିଲା କିନ୍ତୁ ଚାରିଆଡେ ପ୍ରାୟ ୫୪ହଜାର ହେକ୍ଟର କପା ଚାଷରେ କାଣ୍ଡବିନ୍ଧା ପୋକ ଲାଗିଯାଇଛି । ଏହି କାଣ୍ଡବିନ୍ଧା ପୋକ କପାକୁ ପୁରାପୁରି ଭାବରେ ଖାଇଯାଏ । ସେପଟେ ବରଗଡରେ ଧାନ ଗଛରେ ଚକଡା ପୋକ ଚାଷୀର ମୁଣ୍ଡବିନ୍ଧାର କାରଣ ପାଲଟିଥିବାବେଳେ ଏପଟେ କଳାହାଣ୍ଡିରେ କପା ଗଛରେ କାଣ୍ଡବିନ୍ଧା ପୋକ ଚାଷୀର ସବୁଠାରୁ ବଡ ଚିନ୍ତା ପାଲଟିଛି ।
ଅଦିନିଆ ବର୍ଷା କାରଣରୁ କପା ଗଛରେ କାଣ୍ଡବିନ୍ଧା ପୋକ ଲାଗିଯାଏ ।

ଏଥର ବି ସେଇୟା ହେଇଛି । ଆଉ ଏହି ଘଟଣା ଚାଷୀର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି । ପ୍ରତି ଏକର କପା ଚାଷ ପାଇଁ ଚାଷୀକୁ ପ୍ରାୟ ୩ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡେ । ଏବଂ ଯଦି ଅମଳ ଠିକ୍ ହୁଏ ତେବେ ୭-୮କ୍ୱିଂଟାଲ କପା ଅମଳ ହୁଏ । ଆଉ ଏହା ପ୍ରାୟ ୧୫ରୁ ୧୬ହଜାର ଟଙ୍କାରେ ବିକ୍ରି ହୁଏ । କିନ୍ତୁ ଯଦି କାଣ୍ଡବିନ୍ଧା ପୋକ ଲାଗିଯାଏ ତେବେ ଅମଳ ଅଧା ହୋଇଯିବାର ଆଶଙ୍କା ରହିଛି ।

ଜିଲ୍ଲା କୃଷି ଉପନିର୍ଦ୍ଦେଶକଙ୍କ କଥା ଶୁଣିଲେ ସେ ଏତେ ଗମ୍ଭୀର ଥିବା ପରି ମନେହୁଏନାହିଁ । କହୁଛନ୍ତି ଚାଷୀଙ୍କ ପାଖରେ କୀଟନାଶକ ଅଛି । କିନ୍ତୁ କପାରେ କାହିଁକି ଏଭଳି ଅବସ୍ଥା ହେଲା ଏବଂ ଚାଷୀ ଏଥିରୁ ବର୍ତ୍ତିବେ କିପରି ତାର ଜବାବ ଏହି ମହାଶୟଙ୍କ ପାଖରେ ନାହିଁ ।