ସତର୍କ କଲା ଏସବିଆଇ । କାହା ସହ ବି କରନାହିଁ ଓଟିପି ସେୟାର ।

183

କନକ ବ୍ୟୁରୋ : ଅନଲାଇନ କାରବାର ଉପରେ ଏବେ ଲୋକେ ଅଧିକ ଫୋକସ କରୁଛନ୍ତି । ଚା’ ପେମେଣ୍ଟ ଠାରୁ ଆରମ୍ଭ କରି ବଡ ବଡ ମଲରେ ପେମେଣ୍ଟ ପାଇଁ ଅନଲାଇନ ପ୍ଲାଟଫର୍ମକୁ ଆପଣାଉଛନ୍ତି ଲୋକେ । ଡିଜିଟାଲ ଦୁନିଆରେ ସ୍ମାର୍ଟଫୋନରେ ଗୋଟିଏ କ୍ଲିକରେ ହିଁ ଅଧିକାଂଶ କାମ ହେଉଛି । ତେବେ ଅନଲାଇନ କାରବାର ଯେମିତି ହେଉଛି ଅନଲାଇନ ଠକେଇ ମଧ୍ୟ ସେହିମାତ୍ରାରେ ବଢି ଚାଲିଛି । ସାଇବର ଠକେଇର ନୂଆ ମାଧ୍ୟମ ସାଜିଛି ଅନଲାଇନ କାରବାର ।

ଗତ କିଛି ବର୍ଷ ହେବ ଅନଲାଇନ ଠକେଇର ସଂଖ୍ୟା ଲଗାତାର ବଢି ଚାଲିଛି । ସାଇବର ଠକ ମାନେ ୟୁଜର୍ସମାନଙ୍କୁ ବିଭିନ୍ନ ଉପାୟରେ ଠକେଇ ଜାଲରେ ପକାଉଛନ୍ତି । ଆଉ ଏସବୁ ଭିତରେ ଦେଶର ସବୁଠୁ ବଡ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜର କୋଟି କୋଟି ଗ୍ରାହକଙ୍କୁ ସତର୍କ କରିଛି । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଟ୍ୱିଟ୍ କରି ଗ୍ରାହକଙ୍କୁ ସତର୍କ କରିଛି । ଷ୍ଟେଟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, କୌଣସି ବି ପରିସ୍ଥିତିରେ ନିଜର ଓଟିପି ନମ୍ବର କାହା ସହ ସେୟାର କରନ୍ତୁ ନାହିଁ ।

ସାଇବର ଠକ ମାନେ ଗ୍ରାହକଙ୍କୁ ଫୋନ୍ କରି ଲୋଭନୀୟ ଅଫର ଦେଇ ଓଟିପି ହାସଲ କରିବାକୁ ଚେଷ୍ଟା କରିଥାନ୍ତି । ଆଉ ଓଟିପି ହାସଲ କରିବା ପରେ ଆକାଉଣ୍ଟ ହୋଇଯାଏ ଖାଲି । ଗତ କିଛିବର୍ଷ ହେବ ଏଭଳି ଅନେକ ମାମଲା ସାମ୍ନାକୁ ଆସିଛି । ଖାସକରି ୨୦୧୮ ପରଠାରୁ ସାଇବର ଅପରାଧ ଲଗାତାର ଭାବେ ବଢି ଚାଲିଛି । ୨୦୧୮ରେ ସାଇବର ଠକେଇ ମାମଲା ୨ ଲକ୍ଷ ରହୁଥିବା ବେଳେ ୨୦୨୧ ବେଳକୁ ଏହା ୧୪ ଲକ୍ଷରୁ ଅଧିକରେ ପହଞ୍ଚିଛି । ଯେଉଁଥିପାଇଁ ନିଜ ଗ୍ରାହକଙ୍କୁ ଲଗାତାର ସତର୍କ କରୁଛି ଏସବିଆଇ ।