କଙ୍ଗନାଙ୍କ ଉପରେ ଆପତିଜନକ ମନ୍ତବ୍ୟ ଦେଇ ବିବାଦରେ କଂଗ୍ରେସ ମୁଖପାତ୍ର । ସ୍ପଷ୍ଟୀକରଣ ରଖିଲେ ସୁପ୍ରିୟା ସ୍ରିନେତ

154

କନକ ବ୍ୟୁରୋ :  କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେଟଙ୍କ ସୋସିଆଲ ମିଡିଆ ଆକାଉଂଟ୍ରୁ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ନେଇ ଏକ ଆପତିଜନକ ପୋଷ୍ଟ ପରେ ବଡ ବିବାଦ ମୁଣ୍ଡ ଟେକିଛି । ଏହାକୁ ନେଇ କଙ୍ଗନା କହିଛନ୍ତି, ପ୍ରତ୍ୟେକ ମହିଳାଙ୍କ ସ୍ୱାଭିମାନ ଅଛି । ବିଜେପି ଓ କଙ୍ଗନା ବିବାଦୀୟ ପୋଷ୍ଟକୁ ନେଇ ପ୍ରଶ୍ନ ଉଠାଇବା ପରେ ସୁପ୍ରିୟାଙ୍କ ସୋସିଆଲ ମିଡିଆରେ ସେହି ବିବାଦୀୟ ପୋଷ୍ଟ୍ ଡିଲିଟ୍ ହୋଇ ଯାଇଛି । ଏଥିସହ ସୁପ୍ରିୟା ନିଜ ପୋଷ୍ଟକୁ ନେଇ ସଫେଇ ରଖିଛନ୍ତି । ସୁପ୍ରିୟା କହିଛନ୍ତି, ମୁଁ ଏଭଳି କେବେ କରି ପାରିବି ନାହିଁ । ମୋ ସୋସିଆଲ ମିଡିଆ ଆକାଉଂଟ୍ରେ କେହି ଜଣେ ଏଭଳି ପୋଷ୍ଟ କରିଥାଇପାରେ । ଅନେକ ଜଣ ମୋ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି ।

ସୁପ୍ରିୟା ଶ୍ରୀନେଟ୍ ନିଜ ପୋଷ୍ଟକୁ ହଟାଇ ଦେବା ସତ୍ୱେ ଏହାକୁ ନେଇ ବିବାଦ କିନ୍ତୁ ଥମିବାର ନା ନେଉ ନାହିଁ । ଜାତୀୟ ମହିଳା କମିସନ୍ ବା ଏନସିଡବ୍ଲ୍ୟୁ ନିର୍ବାଚନ କମିସନଙ୍କୁ ଚିଠି ଲେଖି ସୁପ୍ରିୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଜଣେ ମହିଳାଙ୍କ ବିରୋଧରେ ଘୋର ନିନ୍ଦନୀୟ ଟିପ୍ପଣୀ ଦେବା କଥାକୁ ସହଜରେ ଗ୍ରହଣ କରାଯିବା ଉଚିତ୍ ନୁହେଁ ବୋଲି ଜାତୀୟ ମହିଳା କମିସନ୍ କହିଛନ୍ତି । ସେପଟେ ବିଜେପି ମଧ୍ୟ ସୁପ୍ରିୟାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

ଗତ ନଭେମ୍ବର ୨୪ ରବିବାର ସନ୍ଧ୍ୟାରେ ବିଜେପି ଲୋକସଭା ନିର୍ବାଚନକୁ ନେଇ ନିଜର ପଂଚମ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଏଥିରେ ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ହିମାଚଳ ପ୍ରଦେଶ ମଣ୍ଡିରୁ ପ୍ରାର୍ଥୀ କରିଥିଲା ବିଜେପି । ଏହାର ଦିନକ ପରେ ସୁ୍ପ୍ରିୟା ଶ୍ରୀନେଟଙ୍କ ଇଂଷ୍ଟାଗ୍ରାମ ପେଜ୍ରେ କଙ୍ଗନାଙ୍କ ଏକ ବୋଲ୍ଡ ଫଟୋ ସହ ଏକ ବିବାଦୀୟ ଟିପ୍ପଣୀ ଲେଖାଯାଇଥିଲା । ମଣ୍ଡିରେ କଣ ଦାମ ରହିଛି କିଏ କହି ପାରିବ କି ପୋଷ୍ଟରେ ଉଲ୍ଲେଖ କରାଯାଇଥିଲା । ଏହି ପୋଷ୍ଟର ସ୍କ୍ରିନସଟକୁ ନେଇ କଙ୍ଗନା ମଧ୍ୟ ସୋସିଆଲ ମିଡିଆରେ ଜବାବ ରଖିଥିଲେ । କିଭଳି ନିଜ ୨୦ ବର୍ଷ ଅଭିନୟ କ୍ୟାରିୟରେ ଭିନ୍ନ ଭିନ୍ନ ମହିଳାଙ୍କ ଚରିତ୍ର ପରଦାରେ ଦର୍ଶାଇଛନ୍ତି, ତାହା ବଖାଣିବା ସହ ପ୍ରତ୍ୟେକ ମହିଳାଙ୍କ ସ୍ୱାଭିମାନ ଅଛି ବୋଲି ଲେଖିଥିଲେ । ସେପଟେ କଙ୍ଗନାଙ୍କୁ ଟିକେଟ୍ ମିଳିବା ପରେ ମଙ୍ଗଳବାର ଦିଲ୍ଲୀରେ ପହଁଚି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି କଙ୍ଗନା ।

ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ କଙ୍ଗନାଙ୍କ ନା ଘୋଷଣା ହେବା ପରେ ସୋମବାର ହିମାଚଳର ମଣ୍ଡି ପହଂଚିଥିଲେ କଙ୍ଗନା ରଣାୱତ । ପୈତୃକ ଗାଁ ଭମ୍ବାଲା ପହଁଚି କଙ୍ଗନା କହିଥିଲେ, ମଣ୍ଡି ମୋ ଜନ୍ମମାଟି, ଏବଂ ମୋ ଜନ୍ମମାଟି ମତେ ପୁଣି ଡାକିଛି । ମଣ୍ଡିରେ ପ୍ରତ୍ୟେତ ଲୋକଙ୍କ ପାଖରେ ପହଁଚିବାକୁ ଆହ୍ୱାନ ଦେଇଥିଲେ କଙ୍ଗନା । ଅଭିନେତ୍ରୀ ଭାବେ କଙ୍ଗନା ବିପୁଳ ସଫଳତା ହାତେଇବା ପରେ ଏବେ ରାଜନୀତିରେ ନିଜ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । ଆଉ ତାଙ୍କୁ ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି ।