ଜେଲ ଭିତରୁ ନିଶା ସାମ୍ରାଜ୍ୟକୁ ନିୟନ୍ତ୍ରଣ: ମୋବାଇଲରେ ହେଉଥିଲା ଅପରେଟିଂ

84

କନକ ବ୍ୟୁରୋ: ଜେଲ୍ ଭିତରେ ବେଧଡ଼କ ଚାଲିଥିଲା ଧଳାଜହର ନେଟୱର୍କ । ଗୋଟିଏ ଫୋନ୍ କଲ କରିଦେଲା ସବୁ ପର୍ଦ୍ଦାଫାସ । ପୂରା ଅପରେଟିଂର ମାଷ୍ଟର ମାଇଷ୍ଟ ହେଉଛି ସଂଜୟ ପ୍ରଧାନ ଓରଫ ସଂଜୁ । ସଂଜୁ ଓ ତା’ର ସହଯୋଗୀ ଜେଲ ଭିତରେ ସଜା କାଟିବା ସହ ଚଳାଇଥିଲେ ବ୍ରାଉନସୁଗର ନେଟୱର୍କ । ମାମଲାରେ ଆଉ ୭ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଗିରଫଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ଉଠିଲା ପ୍ରଶ୍ନ, ଜେଲରେ ଧଳାଜହରର ସାମ୍ରାଜ୍ୟ ଚାଲିଥିବା କେମିତି ଜାଣିପାରିଲାନି ପୁଲିସ ।

ଖୋର୍ଦ୍ଧା ଜେଲରେ ଥିବା ଏହି ନିଶା ମାଫିଆଙ୍କ ଖବର ବଲିଉଡ ଫିଲ୍ମର କାହାଣୀ ଠାରୁ କୌଣସି ଗୁଣରେ କମ ନୁହେଁ । ଖୋର୍ଦ୍ଧା ଜେଲରୁ ବାହାରୁଥିବା ଏ ବ୍ୟକ୍ତି ହେଉଛନ୍ତି ଦୁର୍ଦ୍ଦାନ୍ତ ନିଶା ମାଫିଆ ସଂଜୟ କୁମାର ପ୍ରଧାନ ଓରଫ ସଂଜୁ । ଆଉ ପଛରେ ସହଯୋଗୀ ମିକି ଓରଫ ମନୋରଞ୍ଜ ସାହୁ । ଏମାନେ ଜେଲ୍ରେ ଥାଇ ବେଧଡ଼କ ଚଳାଉଥିଲେ ଧଳାଜହରର ସାମ୍ରାଜ୍ୟ । କିନ୍ତୁ ଗୋଟିଏ ମୋବାଇଲ ଫୋନ୍ ସବୁ କଳାକାରନାମାର ପର୍ଦ୍ଦାଫାସ କରିଦେଲା । ଜେଲ ଭିତରେ ମୋବାଇଲ ଫୋନରେ ନିଜ ଲୋକଙ୍କୁ ନିର୍ଦ୍ଦେଶ ଦେଉଥିଲେ, ଆଉ ଧଳାଜହର ବେପାର ଚଳାଉଥିଲେ । ମାମଲାରେ ୭ଜଣଙ୍କୁ ଗିରଫ କରିଛି ପୁଲିସ ।

ଘଟଣାରେ ପ୍ରଥମେ ୪ ଜଣଙ୍କୁ ଗିରଫ କରିଥିଲା ପୁଲିସ । ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା ପରେ ଆଉ ୯ଟି ମୋବାଇଲ ଜବତ ହୋଇଥିଲା । ଜେଲ ଭିତରୁ ବ୍ରାଉନସୁଗାର ମାଫିଆ ସଂଜୁ ଓ ମିକି ମୋବାଇଲରେ ନିର୍ଦ୍ଦେଶ ଦେଇ ବ୍ରାଉନସୁଗାର ନେଟୱର୍କ ଚଳାଉଥିଲେ । ଏଯାଏଁ ସେମାନଙ୍କ ଠାରୁ ୨୦ଟି ମୋବାଇଲ ଜବତ ହୋଇସାରିଛି । ସେପଟେ ଏପରି ଘଟଣାକୁ ନିନ୍ଦା କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ । ଖୋର୍ଦ୍ଧାର ଗୁରୁଜଙ୍ଗ, ଠେଙ୍ଗାହାଟ, ସାମନ୍ତରାପୁର, ଟାଙ୍ଗିସାହି, ପଲା, ଭଲିଆବାଡ଼ି ଆଦି ଅଂଚଳ ବ୍ରାଉନସୁଗାରର ପେଣ୍ଠସ୍ଥଳୀ ପାଲଟିଛି ।

ଏଠି ପ୍ରଶ୍ନ ଉଠୁଛି
– ଜେଲ୍ ଭିତରେ ବ୍ରାଉନ୍ସୁଗାର ନେଟ୍ୱର୍କ ଚାଲିଥିବା କେମିତି ଜାଣିପାରିଲାନି ପୁଲିସ?
– କଡ଼ା ସୁରକ୍ଷା ସତ୍ତେ୍ୱ ଜେଲ୍ ଭିତରକୁ କେମିତି ଗଲା ମୋବାଇଲ?
– ମୋବାଇଲ ଯୋଗାଇବାରେ ଅପରାଧିଙ୍କୁ ଜେଲ୍ର କେହି କର୍ମଚାରୀ ସହଯୋଗ କରୁଥିଲେ କି?