ନୂଆପଡ଼ାରେ ୧୦ ଘଂଟିଆ ବନ୍ଦ ପାଳନ: ମନ୍ତ୍ରୀଙ୍କ ବିରୋଧରେ ତଦନ୍ତ ଦାବି

84

କନକ ବ୍ୟୁରୋ: ଯୋଜନା ଓ ସଂଯୋଜନା ମନ୍ତ୍ରୀ ତଥା ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ । ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ନୂଆପଡ଼ା ସଦରରେ ୧୦ ଘଂଟିଆ ବନ୍ଦ ପାଳନ କରିଛି ଜିଲ୍ଲା ସ୍ୱାଭିମାନ ମଂଚ ଓ ବିଜୁ ପରିବାର । ସକାଳ ୬ଟାରୁ ପିକେଟିଂ କରି ସଦରର ଦୋକାନ ବଜାର, ସରକାରୀ ଅଫିସ, ବ୍ୟାଙ୍କ ଆଦି ବନ୍ଦ କରାଯାଇଛି । ୩୫୩ ନମ୍ବର ଜାତୀୟ ରାଜପଥରେ ରାସ୍ତା ଅବରୋଧ କରିବା ଫଳରେ ବହୁ ସଂଖ୍ୟାରେ ରାସ୍ତାର ଦୁଇ ପାଶ୍ୱର୍ରେ ଅଟକି ରହିଥିଲା ଶହ ଶହ ଗାଡ଼ି । ମନ୍ତ୍ରୀ ଢୋଲକିଆଙ୍କ କୁଶ ପୁତଳିକା ଦାହ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ସବୁଠୁ ବଡ଼ କଥା ହେଲା, ସ୍ଥାନୀୟ ବିଜେଡି ନେତା ଓ କର୍ମୀ, ଢୋଲକିଆଙ୍କୁ ବିରୋଧ କରିଛନ୍ତି ।

ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ଘେରିଛି କଂଗ୍ରେସ । ଢୋଲକିଆଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ ।
ଢୋଲକିଆଙ୍କ ବିରୋଧରେ ଅଭିଯୋଗ
‘ଅନ୍ୱେଷା’ ପ୍ରୋଜେକ୍ଟରେ ବ୍ୟାପକ ହେରଫେର
ବିଧାୟକ ପାଣ୍ଠିର ଅପବ୍ୟବହାର
ଆଇଡିଏଫ୍ରେ ଘୋଟାଲା
ବିଏସ୍କେୱାଇ କାର୍ଡଧାରୀଙ୍କୁ ରାୟପୁର ପଠାଇ ଘରୋଇ ମେଡିକାଲ୍ରୁ ଲାଂଚ ନେଉଛନ୍ତି

ପ୍ରେସମିଟ୍ କରି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । ଅନ୍ୟପଟେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି, ତାଙ୍କର କିଛି ବିରୋଧୀ ଟିକେଟ୍ ପାଇଁ ଆଶାୟୀ ଅଛନ୍ତି, ତେଣୁ ମିଛ ଅଭିଯୋଗ କରି ବନ୍ଦ ପାଳନ କରୁଛନ୍ତି । ବିଜେଡି-ବିଜେପି ମେଂଟକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବା ବେଳେ ଢୋଲକିଆଙ୍କ ପାଇଁ ନୂଆପଡ଼ାରେ ବନ୍ଦ ପାଳନ ରୋଚକ ସ୍ଥିତି ସୃଷ୍ଟି ହୋଇଛି ।