ନାଗାବଳୀ ଉପରେ ସରୁନି ବିଜୁ ସେତୁ ନିର୍ମାଣ: ୨୦୧୯ରୁ ଆରମ୍ଭ ହୋଇଥିବା କାମ ଏବେ ବି ଅଧାରେ 

83

କନକ ବ୍ୟୁରୋ: ସଂଯୋଗ ହୋଇପାରୁନି ବିଜୁ ସେତୁ । ସମୟ ସୀମା ଶେଷ ପରେ ବି ଅଧାପନ୍ତରିଆ ହୋଇ ପଡିରହଛି ପୋଲ କାମ । ଫଳରେ ନାଗାବଳୀ ନଦୀର ଆରପଟେ ଥିବା ଦୁଇଟି ପଚାଂୟତର ପ୍ରାୟ ୩୦ ଖଣ୍ଡ ଗ୍ରାମବାସୀ ଲୋକ ବହୁ ଦୁର୍ଦ୍ଧଶାର ସମ୍ମୁଖିନ ହଉଛନ୍ତି । ଜୀବନକୁ ବାଜି ଲଗାଇ ବେକେ ପାଣିରେ ପଶି ଯା’ଆସ କରୁଛନ୍ତି । ରାୟଗଡାରୁ ଦେଖନ୍ତୁ ଏହି ରିପୋର୍ଟ ।

ଆପଣ ହୁଏତ କେବେ ଦେଖିନଥିବେ କୌଣସି ନେତା କି ସରକାରୀ ବାବୁଙ୍କୁ ଏମିତି ପାଣି ପାରିହୋଇ ଯାତ୍ରା କରୁଥିବେ । କାରଣ ବାବୁଙ୍କ ଗମନାଗମନ ପାଇଁ ଚକାଚକ୍ ରାସ୍ତା ଥାଏ, ନେତା ବଡବଡ ଗାଡିରେ ଲୋକଙ୍କ ପାଖରେ ପହଂଚନ୍ତି । ରାସ୍ତା ନଥିବା କିମ୍ବା ପୋଲ ନଥିବା ନଦୀରେ କେବଳ ଅପହଂଚ ଇଲାକାର ଅସହାୟ ମଣିଷ ଯାତାୟତ କରନ୍ତି ।

ନାଗାବଳୀ ନଦୀ ଆରପଟେ କେରେଡା ଓ ହାଟ ଶେଷଖାଲ ପଂଚାୟତର ୩୦ଟି ଗାଁକୁ ଯୋଗାଯୋଗ ମାଧ୍ୟମ ହେଉଛି ଏହି ଜଳପଥ । ନଦୀ ସେପଟେ ଗାଁ ରହିଥିବା ବେଳେ ଏପଟେ ରହିଛି, ଶିକ୍ଷା, ସ୍ୱାସ୍ଥ୍ୟ ଓ ବଜାର ବ୍ୟବସ୍ଥା । ତେଣୁ ବର୍ଷା ୪ ମାସ ନଗାବଳୀରେ ଏଭଳି ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳୁଛି । ବେକେ ପାଣିରେ ପଶି ଯାଆସ କରୁଛନ୍ତି ଛୋଟ ପିଲାଙ୍କ ଠାରୁ ବୃଦ୍ଧବୃଦ୍ଧା ସମସ୍ତେ ।

ନାଗାବଳୀ ସେପଟେ ଥିବା ଗାଁକୁ ସଂଯୋଗ ପାଇଁ ବିଜୁ ସେତୁ ନିର୍ମାଣ ହେଉଛି । ବିଜୁ ସେତୁ ପାଇଁ ୨୦୧୮ ମସିହାରେ ୧୧ କୋଟି ୫୩ ଲକ୍ଷ ୫୦ ହଜାର ଟଙ୍କା ମଂଜୁରି ହୋଇଛି । ୨୦୧୯, ମାର୍ଚ ମାସରୁ ଆରମ୍ଭ ହୋଇଥିବା ପୋଲ ନିର୍ମାଣ କାମ ୨୦୨୧ ମାର୍ଚ୍ଚ ମାସରେ ସାରିବା ପାଇଁ ନିର୍ଦେଶ ରହିଛି । ହେଲେ ଏଯାଏଁ ପୋଲର ୧୦ଟି ପିଲାରରୁ ୪ଟି ପିଲାର ତିଆରି ହୋଇଛି । ୩ଟି ପିଲାରକୁ ସଂଯୋଗ କରି ବିଜୁ ସେତୁ ନିର୍ମାଣ କାମ ଅଟକି ଯାଇଛି ।

ନାଗାବଳୀ ସେପଟେ ଥିବା ୩୦ଟି ଗାଁ ୮ ହଜାରରୁ ଅଧିକ ଲୋକଙ୍କ ପାଇଁ ୧୯୯୩ ମସିହାରୁ ଖିଲିମିସଗୁଡା ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ହୋଇଛି । ହେଲେ ଡାକ୍ତରଖାନା ହେବା ଦିନରୁ ଅଚଳ ହୋଇପଡିଛି । ତେଣୁ ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚରରେ ବୋହି ନଦୀ ପାର କରାଉଛନ୍ତି ସଂପର୍କୀୟ ।