ଆଗପଛ ହୋଇ ଚାଲିଗଲେ ବାପା-ମାଆ: ଅନାଥ ହୋଇଗଲେ ୩ କୁନି କୁନି ପିଲା

339

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପଣ୍ଡି ଗାଁର ତ୍ରିନାଥ ମାଝୀ । ବୟସ ତାଙ୍କର ୭୫ରୁ ଉଦ୍ଧ୍ବ । ନିଜ ପ୍ରତିପୋଷଣ କଷ୍ଟକର ହୋଇପଡୁଥିବା ବେଳେ ବୋଝ ଉପରେ ନଳିତା ବିଡାଭଳି ୩ ବାପା, ମାଆ ଛେଉଣ୍ଡ ଶୁଶୁଙ୍କ ବୋଝ ଏବେ ତାଙ୍କ କାନ୍ଧରେ ।

ଜେଜେ, ତୁମେ ଆମ ଦୁନିଆ । ତୁମରି ପାଖରେ ରହିବୁ । ବାପା-ମା’ଙ୍କ ପରେ ତୁମ କୋଳରେ ଶୋଇବୁ, ତୁମେ ଯାହା ଦେବ ତାହା ଖାଇ ଭୋକ ମେଂଟାଇବୁ । ମୁହଁ ଖୋଲି କିଛି କହିପାରୁନଥିବା ଭାଇ-ଭଉଣୀ ୩ ଜଣ ହୁଏତ ଏମିତି କିଛି ଭାବୁଥିବେ । ହେଲେ ଜେଜେ ବାପା ଯେ ବୁଢା ହୋଇଗଲେଣି, କାମ କରି ତାଙ୍କୁ ପୋଶିବା ପାଇଁ ଅଂଟାରେ ଆଉ ବଳ ନାହିଁ । ସେ କଥା ସେମାନେ ବୁଝି ପାରୁନାହାନ୍ତି । ଯାହା କଳାହାଣ୍ଡି ଜୟପାଟଣା ବ୍ଲକ ପଣ୍ଡି ଗାଁର ୭୫ ବର୍ଷିୟ ତ୍ରିନାଥ ମାଝୀଙ୍କୁ ଚିନ୍ତାରେ ପକାଇଛି ।

ପୁଅ ଦାଦନ ଖଟିବାକୁ ଯାଇ ଅଫେରା ରାଇଜକୁ ଚାଲିଗଲା । କରୋନା ବେଳେ ପୁଅର ମୃତ୍ୟୁ ଖବର ଆସିଲା, କିନ୍ତୁ ଶବ ଆସିଲା ନାହିଁ । ପୁଅ ପରେ ବୋହୂ କ୍ଷୀରମଣି ବି ଅବେଳରେ ଆରପାରିକୁ ଚାଲିଗଲେ । ପୁଅ-ବୋହୂଙ୍କ ମୃତ୍ୟୁ ପରେ ଅନାଥ ହୋଇଗଲେ ନାତି ନାତୁଣୀ । ବୁଢା ଜେଜେ ବାପାଙ୍କ ମୁଣ୍ଡ ଉପରେ ଛିଣ୍ଡି ପଡିଲା ଦୁଃଖର ପାହାଡ । ଖଟିବାକୁ ବଳ ନାହିଁ କି ଆଖିକୁ ଭଲ କରି ଦେଖାଯାଉନାହିଁ । ଏଭଳି ସ୍ଥିତିରେ ୩ ଅନାଥ ପିଲାଙ୍କୁ କଣ ଖାଇବାକୁ ଦେବେ କେମିତି ଲାଳନପାଳନ କରିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି । ସେପଟେ ପ୍ରଶାସନ ପକ୍ଷରୁ ପିଲାମାନଙ୍କ ଥଇଥାନ ପାଇଁ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।