ମହାଠକ ସୁକେଶର ଜେଲ ଡିଜିଙ୍କୁ ଚିଠି, ଗରିବ କଏଦୀମାନଙ୍କୁ ୫ କୋଟି ଟଙ୍କା ଦାନ କରିବାକୁ ମାଗିଲେ ଅନୁମତି

798

କନକ ବ୍ୟୁରୋ : ଅର୍ଥ ହେରଫେର ମାମଲାରେ ଜେଲରେ ବନ୍ଦ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣି ଚିଠିକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଏଥର ସେ ନା କେଜ୍ରିୱାଲ ନା ଆମ୍ ଆଦମୀ ପାର୍ଟି ବିରୋଧରେ କିଛି ଲେଖିଛନ୍ତି । ଏଥର ସେ ମହାଠକରୁ ମହାଦାନୀ ହେବା ପାଇଁ ଜେଲ ଡିଜିଙ୍କୁ ଏକ ଚିଠି ଲେଖିଛନ୍ତି । ଏଥିରେ ସେ ଜେଲ ଡିଜିଙ୍କୁ ଅନୁରୋଧ କରିଛନ୍ତି କି, ତାଙ୍କୁ ଅନୁମତି ଦେଲେ ସେ ତାଙ୍କ ଜନ୍ମଦିନରେ ଗରିବ କଏଦୀମାନଙ୍କୁ ୫କୋଟି ୧୧ଲକ୍ଷ ଟଙ୍କା ଦାନ କରିବେ ।

ସୁକେଶ ନିଜ ହାତରେ ଏହି ଚିଠି ଲେଖି ଜେଲ ଡିଜିଙ୍କ ନିକଟକୁ ପଠାଇଛନ୍ତି । ଏଥିରେ ସେ କହିଛନ୍ତି କି ତାଙ୍କର ଜନ୍ମଦିନରେ ସେ ଗରିବ କଏଦୀମାନଙ୍କୁ ଦାନ କରିବାକୁ ଚାହୁଁଛନ୍ତି । ଯେଉଁ କଏଦୀମାନେ ସେମାନଙ୍କ ଜମାନତ୍ ରାଶି ନଦେଇପାରି ଜେଲରେ ଅଛନ୍ତି ସେମାନଙ୍କ ପାଇଁ ସେ ୫କୋଟି ୧୧ ଲକ୍ଷ ଟଙ୍କା ଦାନ ଦେବାକୁ ଚାହୁଁଛନ୍ତି ।

ସୂଚନା ଥାଉକି ୨୦୦ କୋଟି ଟଙ୍କା ଠକେଇ ମାମଲାରେ ସୁକେଶ ଚନ୍ଦ୍ରଶେଖର ଏବେ ଜେଲରେ ଅଛନ୍ତି । ଏହା ବ୍ୟତୀତ ତାଙ୍କର ବଲିଉଡ ଅଭିନେତ୍ରୀ ନୋରା ଫତେହୀ ଓ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ସହ ଥିବା ପ୍ରେମ ସଂପର୍କକୁ ନେଇ ମଧ୍ୟ ସେ ବେଶ୍ ଚର୍ଚ୍ଚାକୁ ଆସିଛନ୍ତି । ଉଭୟ ନୋରା ଓ ଜ୍ୟାକଲିନଙ୍କୁ ସେ ଦାମୀ ଉପହାର ଦେଇଥିବା ନେଇ ଇଡିକୁ ସୂଚନା ମିଳିବା ପରେ ଇଡି ପକ୍ଷରୁ ଉଭୟ ନୋରା ଓ ଜ୍ୟାକଲିନଙ୍କୁ ବାରମ୍ବାର ଜେରା କରାଯାଉଛି ।