ଲଗାତର କଂଗ୍ରେସର ବିପର୍ଯ୍ୟୟ। ୮ ବର୍ଷରେ ୪୭ ବିଧାନସଭା ନିର୍ବାଚନ, ମାତ୍ର ୬ରେ ବିଜୟ।

102

କନକ ବ୍ୟୁରୋ: ବର୍ଷ ୨୦୨୨ ଶେଷ ହେଉ ହେଉ ଦୁଇଟି ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । କାରଣ ଦଳ ହିମାଚଳ ପ୍ରଦେଶରେ ୫ ବର୍ଷ ପରେ ପୁଣିଥରେ ସରକାରକୁ ଫେରିଛି । ସେପଟେ କିନ୍ତୁ ଗୁଜରାଟରେ ସବୁଠାରୁ ବଡ ପରାଜୟ ମିଳିଛି । ୧୮୨ରୁ ମାତ୍ର ୨୦ ସିଟ୍ ହାତେଇଛି ଦଳ । ମାତ୍ର କିଛି ମାସର ଅପେକ୍ଷା ପରେ ଦଳ ୩ ରାଜ୍ୟରେ ଶାସନରେ କରିଛି । କିନ୍ତୁ, କେନ୍ଦ୍ରସ୍ତରରେ ଦଳର ସ୍ଥିତି ଦୁର୍ବଳ ହୋଇଚାଲିଛି ।

ମାର୍ଚ୍ଚ ମାସରେ ପଞ୍ଜାବ ବିଧାନସଭା ନିର୍ବାଚନରେ ଦଳକୁ ଜୋରଦାର ଝଟକା ମିଳିଥିଲା ଏହି ପରାଜୟ ପରେ ଦଳ କେବଳ ରାଜସ୍ଥାନ ଏବଂ ଛତିଶଗଡରେ ସରକାରରେ ରହିଛି । ତେବେ ବର୍ଷ ଶେଷ ହେଉ ହେଉ ଦଳ ୩ ରାଜ୍ୟରେ ସରକାରରେ ରହିଛି । କଂଗ୍ରେସ ଲଗାତର ନିଜ ପାଇଁ ଗାତ ଖୋଳିଚାଲିଛି । ଗତ ୮ ବର୍ଷରେ ୪୭ ବିଧାନସଭା ନିର୍ବାଚନରେ ମାତ୍ର ୬ଟି କଂଗ୍ରେସ ସପକ୍ଷରେ ଯାଇଛି ।

୨୦୦୬ରେ କଂଗ୍ରେସ ଶାସିତ ରାଜ୍ୟ ସଂଖ୍ୟା ୧୬ ଥିଲା । ଆଜି କିନ୍ତୁ ଏହି ସଂଖ୍ୟା ୩ରାଜ୍ୟରେ ପହଞ୍ଚିଛି । ୧୯୯୮ରେ ସୋନିଆ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ହେବା ପରେ ସେତେବେଳେ ଦଳର ୧୦ ମୁଖ୍ୟମନ୍ତ୍ରୀ ରହିଥିଲେ । ୨୦୦୬ରେ ଏହା ବଢି ୧୬ରେ ପହଞ୍ଚିଥିଲା । ଗତ ୨ ଲୋକସଭା ନିର୍ବାଚନରେ କଂଗ୍ରେସର ଦୁର୍ଗତୀ ହୋଇଛି । ୨୦୧୪ରେ କଂଗ୍ରେସ ମାତ୍ର ୪୪ ଏବଂ ୨୦୧୯ରେ ଦଳ ମାତ୍ର ୫୨ଟି ଲୋକସଭା ଆସନ ଜିତିପାରିଥିଲା । ୨୦୧୪ ନିର୍ବାଚନରେ କଂଗ୍ରେସ ୨୦୦୯ ତୁଳନାରେ ୨୦୬ଟି ଆସନ ହରାଇଥିଲା । ହିମାଚଳ ପ୍ରଦେଶରେ କଂଗ୍ରେସ ସିନା ସରକାରକୁ ଆସିଛି କିନ୍ତୁ, ଫଳାଫଳ କହୁଛି ଯେ ସେଠାରେ କଂଗ୍ରେସର ସ୍ଥିତି ଅନୁକୂଳ ନାହିଁ । କଂଗ୍ରେସ ହିମାଚଳରେ ୪୩.୯୦ ପ୍ରତିଶତ ଭୋଟ ପାଇଥିବା ବେଳେ ଭାଜପା ୪୩ ପ୍ରତିଶତ ଭୋଟ ପାଇଛି । ଏହି ଅନୁପାତକୁ ଯଦି ଦେଖିବା କଂଗ୍ରେସ ମାତ୍ର ଦଶମିକ ୯୦ ପ୍ରତିଶତ ଭୋଟ ଅଧିକ ପାଇଛି । କଂଗ୍ରେସ ୬୮ ଆସନରୁ ୪୦ ଆସନରେ ବିଜୟ ହାସଲ କରିଛି ।

ତେବେ ନିର୍ବାଚନରେ ୪୩ ପ୍ରତିଶତ ଭୋଟ ପାଇଥିଲେ ବି ବିଜେପି ମାତ୍ର ୨୫ ସିଟରେ ବିଜୟୀ ହୋଇଛି । ଅନେକ ଆସନରେ ମାତ୍ର କିଛି ଭୋଟରେ ହାର-ଜିତ ସ୍ପଷ୍ଟ ହୋଇଛି । ଗତ ବିଧାନସଭା ନିର୍ବାଚନ ତୁଳନାରେ କଂଗ୍ରେସର ଭୋଟ ପ୍ରତିଶତ ବଢିଛି । ବିଜେପି ଏବଂ କଂଗ୍ରେସ ସମସ୍ତ ୬୮ ଆସନରେ ନିର୍ବାଚନ ଲଢିଥିଲେ ।