ହିମାଚଳ ନିର୍ବାଚନ ପାଇଁ ଘୋଷଣାପତ୍ର ଜାରିକଲା କଂଗ୍ରେସ । ସରକାରକୁ ଆସିଲେ ପ୍ରଥମ କ୍ୟାବିନେଟରେ ୧ ଲକ୍ଷ ସରକାରୀ ଚାକିରି

134

କନକ ବ୍ୟୁରୋ : ଶୁକ୍ରବାର ହିମାଚଳପ୍ରଦେଶରେ ପହଁଚି କ୍ୟାମ୍ପେନ କରିଥିଲେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବାଡ୍ରା । ରାଜ୍ୟବାସୀଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି କିଛି ପ୍ରତିଶ୍ରୁତି ଦେଇଥିଲେ ଓ ବିଜେପି ସରକାରଙ୍କ ବିରୋଧରେ ବର୍ଷିଥିଲେ । ପ୍ରତିଶ୍ରୁତିର ୨୪ଘଂଟା ନପୁରୁଣ ଦଳ ନିର୍ବାଚନୀ ଇସ୍ତାହାର ଜାରି କରିଛି । ଏହି ନିର୍ବାଚନୀ ଇସ୍ତାହାର ନାଁ ରହିଛି କଂଗ୍ରେସ ପ୍ରତିଜ୍ଞା ପତ୍ର । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଏଆସିସି ଇନଚାର୍ଜ ରାଜୀବ ଶୁକ୍ଳା, ପ୍ରଦେଶ ସଭାପତି ପ୍ରତିଭା ସିଂ, କଂଗ୍ରେସ ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ସୁଖବିନ୍ଦର ସିଂଙ୍କ ଉପସ୍ଥିତିରେ ଦଳ ଏହି ନିର୍ବାଚନୀ ଇସ୍ତାହା ଜାରି କରିଛି ।

ହିମାଚଳ ପାଇଁ କଂଗ୍ରେସର ପ୍ରତିଶ୍ରୁତି ବର୍ଷା

• ୫ବର୍ଷରେ ୫ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯିବ
• ପ୍ରତିମାସରେ ପ୍ରତ୍ୟେକ ମହିଳାଙ୍କୁ ୧୫ଶହଙ୍କ ଟଙ୍କା ମିଳିବ
• ପୁରୁଣା ପେନସନ ସ୍କିମ ଲାଗୁ ହେବ
• ୩ଶହ ୟୁନିଟ ପର୍ଯ୍ୟନ୍ତ ମିଳିବ ମାଗଣା ବିଦ୍ୟୁତ
• ରାଜ୍ୟରେ ନୂଆ ନିଯୁକ୍ତି ବୋର୍ଡ ଗଠନ କରାଯିବ
• ବିଜ୍ଞପ୍ତି ପ୍ରକାଶର ୬ମାସ ମଧ୍ୟରେ ସବୁ ପଦବୀ ପୂରଣ ହେବ
• ସବୁ ସରକାରୀ କର୍ମଚାରୀଙ୍କୁ ବକେୟା ଅର୍ଥ ମିଳିବ
• ସମସ୍ତ ଠିକା କର୍ମଚାରୀଙ୍କୁ ୨ବର୍ଷ ଭିତରେ ନିୟମିତ କରାଯିବ
• କଂଗ୍ରେସ କ୍ଷମତାକୁ ଆସିଲେ ହିମାଚଳରୁ ଅଗ୍ନିବୀର ଯୋଜନା ବନ୍ଦ ହେବ

ଏଥିସହ କଂଗ୍ରେସ କହିଛି ଯୁଗବର୍ଗଙ୍କ ଶିକ୍ଷାଠୁ ନେଇ ଚାକିରି ସମସ୍ୟା ବୁଝି ସମାଧାନ ରାଜ୍ୟରେ ଗଠନ ହେବ ଯୁବ କମିଶନ ଦରବୃଦ୍ଧି, ବେକାରୀ, ସରକାରୀ ଚାକିରିଆଙ୍କ ସମସ୍ୟାକୁ ଗୁରୁତ୍ୱ ଦେବ ଦଳ । ମହିଳା, ଯୁବବର୍ଗ, ଅବସରପ୍ରାପ୍ତ କର୍ମଚାରୀଙ୍କୁ ଗୁରୁତ୍ୱ ଦିଆଯିବ । ଭୋଟବ୍ୟାଙ୍କ ପାଇଁ କଂଗ୍ରେସ ପର୍ଯ୍ୟଟନ, ପରିବହନ, ଦୁର୍ନୀତିମୁକ୍ତ ରାଜ୍ୟ, କୃଷି, ପଶୁପାଳନ,ବନ ଓ ପରିବେଶ ସଂରକ୍ଷଣ, ଶିଳ୍ପ, ବିଦ୍ୟୁତ, ଗ୍ରାମୀଣ ଓ ସହରୀ ବିକାଶ ସହ ପ୍ରାୟ ସମସ୍ତ ଦିଗକୁ ନଜରରେ ରଖି କଂଗ୍ରେସ କରିଛି ପ୍ରତିଶ୍ରୁତିର ବର୍ଷା ।

ବିଗତ ୩୦ବର୍ଷ ଧରି ହିମାଚଳବାସୀ ପ୍ରତିଥର ସରକାରରେ ପରିବର୍ତନ ଆଣିଛନ୍ତି । ୧୯୮୫ ମସିହାରେ ବୀରଭଦ୍ର ସିଂ ୨ୟ ଥର ପାଇଁ ହିମାଚଳର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହା ପରେ ପ୍ରତିଥର ସେଠାରେ କେବେ ବିଜେପି ତ ପୁଣି କେବେ କଂଗ୍ରେସ ହାତକୁ ଆସିଛି ଶାସନ ଡୋରି । ତେଣୁ ପୁଣି ଥରେ କ୍ଷମତା ହାତେଇବା ପାଇଁ କଂଗ୍ରେସ ନିଜର ନିର୍ବାଚନୀ ଇସ୍ତାହାରରେ ପ୍ରତି ବର୍ଗଙ୍କୁ ଧ୍ୟାନ ଦେଇଛି ।