ପୋଲିସର ବର୍ବରତା ବିରୋଧରେ ଉପରାଷ୍ଟ୍ରପତିଙ୍କୁ ଫେରାଦ ହେଲା କଂଗ୍ରେସ। ବିଭିନ୍ନ ରାଜ୍ୟରେ କର୍ମୀଙ୍କ ବିକ୍ଷୋଭ।

118

କନକ ବ୍ୟୁରୋ : ନ୍ୟାସନାଲ ହେରାଲ୍ଡ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି ପଚରାଉଚରା କରୁଛି । ଏହାକୁ ନେଇ ସାରା ଦେଶରେ କଂଗ୍ରେସର ନେତା ଓ କର୍ମୀ ଜୋରଦାର ପ୍ରଦର୍ଶନ ମଧ୍ୟ କରୁଛନ୍ତି । ଏହି ମାମଲାରେ ପୋଲିସକୁ ନେଇ କଂଗ୍ରେସର ନେତା ଗମ୍ଭୀର ଅଭିଯୋଗ କରିଛନ୍ତି । ତେବେ ଏହି ପ୍ରସଙ୍ଗରେ ଉପରାଷ୍ଟ୍ରପତିଙ୍କୁ ଭେଟିଛନ୍ତି କଂଗ୍ରେସର ବରିଷ୍ଠ ନେତା।

କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ପୋଲିସ ହେପାଜତରେ ଥିବା ସମସ୍ତ କଂଗ୍ରେସ ନେତାଙ୍କୁ ଅସାମ୍ବିଧାନିକ ଭାବେ ରଖାଯାଇଛି । ତାଙ୍କ ବିରୋଧରେ ମାମଲା ନହୋଇ ମଧ୍ୟ ସେମାନେ ପୋଲିସ ହେପାଜତରେ ରହିଛନ୍ତି । ଆମର ଅନେକ ନେତାଙ୍କୁ ଡାକ୍ତରଖାନାକୁ ଯାଇଛନ୍ତି । ଏ ଘଟଣାକୁ ନେଇ ଆମେ ରାଜ୍ୟସଭା ସଭାପତି ତଥା ଉପରାଷ୍ଟ୍ରପତିଙ୍କୁ ଦେଖାକରି ଫେରାଦ ହୋଇଛୁ ବୋଲି ଖଡଗେ ପ୍ରତିକ୍ରିୟା ରଖିଛନ୍ତି ।

ସେପଟେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି . ଚିଦମ୍ବରମ କହିଛନ୍ତି, ପୋଲିସ ବିନା ତୌଣସି ଲିଖିତ ଆଦେଶରେ ସାଂସଦଙ୍କୁ ୮ରୁ ୧୨ ଘଣ୍ଟା ହେପାଜତରେ ରଖିଥିଲା । ସେମାନଙ୍କୁ ଖାଦ୍ୟ ଓ ପାଣି ମଧ୍ୟ ଦିଆଯାଇନଥିଲା । ତେବେ ଏନେଇ ସାଂସଦ ମାନେ ପଚାରିବାରୁ ସେମାନଙ୍କୁ ପୋଲିସ ଗିରଫ କରିଥିଲା । ପୋଲିସ ଏନେଇ କୌଣସି ଜବାବ ମଧ୍ୟ ରଖିନଥିଲା । ଏହା ଜଣେ ବ୍ୟକ୍ତିର ସ୍ୱାଧୀନତାର ଉଲ୍ଲଂଘନ ବୋଲି ଚିଦମ୍ବରମ କହିଛନ୍ତି । ଏଥିରେ ମୌଳିକ ଅଧିକାର ମଧ୍ୟ କ୍ଷୁର୍ଣ୍ଣ ହୋଇଛି । ଏନେଇ ଆମେ ରାଜ୍ୟସଭା ସଭାପତିଙ୍କୁ ଲିଖିତ ଅଭିଯୋଗ କରିଛୁ ।