ଆଖିଡୋଳା ଓ ରେଟିନା ସ୍କାନ ସହ ସଂରକ୍ଷିତ ରଖାଯିବ ଅପରାଧିକ ଜୈବିକ ନମୁନା । ଡାଟାବେସରୁ ସହଜରେ ଚିହ୍ନଟ ହୋଇପାରିବେ ଅପରାଧୀ ।

117

କନକ ବ୍ୟୁରୋ: ଆଖି କହିବ ଦୋଷୀ କିଏ? ଆଖିରୁ ମିଳିବ ଅପରାଧୀଙ୍କ ସୂଚନା । ଅପରାଧୀ ଚିହ୍ନଟ ହେବେ ଆଖିର ‘ଆଇରିସ୍ ବା ଆଖି ଡୋଳା’ ଏବଂ ରେଟିନାରୁ । ଗତ ଏପ୍ରିଲ ମାସରେ କ୍ରିମିନାଲ୍ ପ୍ରୋସେଡୁୟର (ଆଇଡେଂଟିଫିକେସନ୍) ଆକ୍ଟ-୨୦୨୨ରେ ପାରିତ ହେବା ପରେ ଆଜିଠାରୁ ଏହା କାର୍ଯ୍ୟକାରୀ ହୋଇଛି । ବ୍ରିିଟିଶ ଅମଳର ଆଇନ ବଦଳରେ ନୂଆ ଆଇନ କାର୍ଯ୍ୟ କରିବ । ଏଥିରେ ଅଭିଯୁକ୍ତ ଗିରଫ ହେବାଠାରୁ ଟ୍ରାଏଲ ଏବଂ ଦୋଷୀ ସାବ୍ୟସ୍ତ ପର୍ଯ୍ୟନ୍ତ ଏହି ନିୟମ ଅନୁସାରେ ହେବ । ଏହି ନିୟମ ବ୍ୟକ୍ତି ସ୍ୱାଧୀନତା ଓ ଗୋପନୀୟତାକୁ ଉଲ୍ଲଙ୍ଘନ କରିବ ବୋଲି ସମାଲୋଚନା କରିଥିଲେ ବିରୋଧୀ । କିନ୍ତୁ ସଂସଦରେ ଏହା ପାରିତ ହେବା ପରେ ଆଇନରେ ପରିଣତ ହୋଇଛି ।

ଉଭୟ ଦୋଷୀ ଓ ଅଭିଯୁକ୍ତଙ୍କ ଫିଜିକାଲ୍ ବା ଶାରୀରିକ ଓ ବାଓଲଜିକାଲ୍ ବା ଜୈବିକ ନମୁନା ସଂଗ୍ରହ କରିପାରିବ ପୁଲିସ । ଆଙ୍ଗୁଠି ଛାପ, ପାପୁଲି ଛାପ, ପାଦର ଛାପ, ଫଟୋଗ୍ରାଫ୍, ଆଖି ଡୋଳା ଓ ରେଟିନାର ସ୍କାନ୍ କରି ସଂରକ୍ଷଣ କରିପାରିବ ପୁଲିସ । ଏହାଛଡ଼ା ହସ୍ତାକ୍ଷର, ଦସ୍ତଖତ ମଧ୍ୟ ରଖାଯାଇପାରିବ । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ମଧ୍ୟ ଏହାକୁ ଷ୍ଟୋର କରି ରଖିପାରିବ । ଫଳରେ ଅପରାଧୀ ଚିହ୍ନଟ ପ୍ରକ୍ରିିୟା ସହଜ ହୋଇପାରିବ ବୋଲି କୁହାଯାଉଛି ।

ଆସନ୍ତୁ ଦେଖିବା ନୂଆ ନିୟମ କଣ…

  • ଅପରାଧୀଙ୍କ ଆଇରିସ୍ ବା ଆଖି ଡୋଳା ଏବଂ ରେଟିନା ସ୍କାନ୍ ଓ ଅନ୍ୟାନ୍ୟ ଜୈବିକ ନମୁନା ୭୫ ବର୍ଷ ପର୍ଯ୍ୟନ୍ତ ସଂରକ୍ଷଣ କରି ରଖାଯାଇପାରିବ
  • ଯେକୌଣସି ଅପରାଧରେ ଅଭିଯୁକ୍ତ କିମ୍ବା ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ଶାରୀରିକ ଓ ଜୈବିକ ନମୁନା ନିଆଯାଇ ପାରିବ
  • ୭ ବର୍ଷ କାରାଦଣ୍ଡ ଥିବା ଅପରାଧରେ ଅଭିଯୁକ୍ତଙ୍କ ନମୁନା ରଖିବା ପାଇଁ ଅନୁମତି ନେବା ଆବଶ୍ୟକ ନାହିଁ
  • ମହିଳା ଓ ଶିଶୁଙ୍କ ବିରୋଧରେ ଅଭିଯୋଗ ହୋଇଥିଲେ ବିନା ଅନୁମତିରେ ରଖାଯାଇପାରିବ ନମୁନା
  • ମାଜିଷ୍ଟ୍ରେଟଙ୍କ ଆଦେଶ ଥିଲେ ଯେକୌଣସି ଲୋକଙ୍କ ନମୁନା ସଂଗ୍ରହ କରାଯାଇପାରିବ
  • ଆଙ୍ଗୁଠି ଛାପ, ପାପୁଲି ଛାପ, ପାଦର ଛାପ, ଫଟୋଗ୍ରାଫ୍, ଆଖି ଡୋଳା ଓ ରେଟିନାର ସ୍କାନ୍ କରି ସଂରକ୍ଷଣ କରିପାରିବ ପୁଲିସ
  • ଏହାଛଡ଼ା ହସ୍ତାକ୍ଷର, ଦସ୍ତଖତ ମଧ୍ୟ ରଖାଯାଇପାରିବ
  • ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ମଧ୍ୟ ଏହାକୁ ଷ୍ଟୋର କରି ରଖିପାରିବ