କଂଗ୍ରେସର ସମସ୍ତ ବ୍ୟାଙ୍କ ଆକାଉଁଟ ହେଲା ଅସ୍ଥାୟୀ ଅଚଳ । ଆଇଟି ଟ୍ରିବ୍ୟୁନାଲଙ୍କ ହସ୍ତକ୍ଷେପ ପରେ ମିଳିଲା ଆଶ୍ୱସ୍ତି

154

କନକ ବ୍ୟୁରୋ : ଯୁବ କଂଗ୍ରେସର ସମସ୍ତ ବ୍ୟାଙ୍କ ଆକାଉଁଟ ଫ୍ରିଜ ବା ଅସ୍ଥାୟୀଭାବେ ଅଚଳ ହୋଇଛି । ଦେଇପାରୁନୁ ଦରମା, ବିଲ ପୈଠ ମଧ୍ୟ କରିପାରୁନୁ । ୯ଟି ବ୍ୟାଙ୍କ ଆକାଉଂଟ ଫ୍ରିଜ ବା ଅସ୍ଥାୟୀଅଚଳ କରାଯାଇଥିବା କଂଗ୍ରେସର କୋଷାଧ୍ୟକ୍ଷ ଅଜୟ ମାକେନ ଶୁକ୍ରବାର ଅଭିଯୋଗ କରିଥିଲେ । । କଂଗ୍ରେସ କହିଛି, ନିର୍ବାଚନ ତାରିଖ ଘୋଷଣାକୁ ଆଉ ଅଳ୍ପ ଦିନ ବାକି ଅଛି । ଏହା ପୂର୍ବରୁ କେନ୍ଦ୍ର ସରକାର ବ୍ୟାଙ୍କ ଆକାଉଂଟ ଫ୍ରିଜ କରାଇ ପ୍ରତିଶୋଧ ନେଉଛନ୍ତି । ୟୁଥ କଂଗ୍ରେସ ଏବଂ କଂଗ୍ରେସ ଦଳକୁ ୨୧୦ କୋଟି ଟଂକା ରିକୋଭରୀ କରିବାକୁ ଆୟକର ଟିମ୍ କହିଥିବା କଂଗ୍ରେସ ଅଭିଯୋଗ କରିଛି । ଯେଉଁସବୁ ଟଂକା ଏହିସବୁ ଆକାଉଂଟରେ ରହିଛି ତାହା କ୍ରାଉଡ ଫଣ୍ଡିଂ ଜରିଆରେ ସଂଗୃହୀତ ହୋଇଛି ବୋଲି ଅଜୟ ମାକେନ କହିଛନ୍ତି ।

ଏହି ମାମଲାରେ କଂଗ୍ରେସ ସାଂସଦ ତଥା ଆଇନଜୀବୀ ବିବେକ ତନଖା ଆୟକର ବିଭାଗର ଟ୍ରିବ୍ୟୁନାଲ ଆଗରେ ପକ୍ଷ ରଖିଥିଲା । ଦଳ ନିଜ ଆକାଉଁଟ ବ୍ୟବହାର କରିପାରିବ ଏନେଇ ଆଇଟି ଟ୍ରିବ୍ୟୁନାଲ ଶୁଣାଣୀ କରି ଅନୁମତି ଦେଇଛନ୍ତି । ଆଗାମୀ ଶୁଣାଣୀ ପର୍ଯ୍ୟନ୍ତି ବ୍ୟାଙ୍କ ଖାତା ଅଚଳ ହେବ ନାହିଁ ବୋଲି ଟ୍ରିବ୍ୟୁନାଲ କହିଛନ୍ତି । ଏହି ମାମଲାର ପରବର୍ତୀ ଶୁଣାଣି ବୁଧବାର ହେବ ।

ସୂଚନା ଅନୁସାରେ କଂଗ୍ରେସର ମୋଟ ୯ଟି ବ୍ୟାଙ୍କ ଆକାଉଁଟର ଅଚଳ ହୋଇଯାଇଥିଲା । ଦଳ କହିଛି ଏହା ଗଣତାନ୍ତ୍ରିକ ପ୍ରକିୟାର ହତ୍ୟା କରାଯାଇଛି । ସେପଟେ ଦିଲ୍ଲିରେ ଜୋରଦାର ପ୍ରଦର୍ଶନ କରିଛି ଯୁବ କଂଗ୍ରେସ । ଆଗାମୀ ଦିନରେ କଂଗ୍ରେସ ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇବା ନେଇ ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।