କଂଗ୍ରେସ କେନ୍ଦ୍ରୀୟ ନେତାଙ୍କ ବଡ ଅଭିଯୋଗ,‘ପ୍ରଧାନମନ୍ତ୍ରୀଙ୍କ କଥାରେ ପରିଚାଳିତ ଓଡିଶା ସରକାର’

131

କନକ ବ୍ୟୁରୋ: ରାଜ୍ୟରେ ଭାରତଯୋଡ ପଦଯାତ୍ରା ପାଇଁ ରଣନୀତି ପ୍ରସ୍ତୁତ କରୁଛି ଦଳ । ପଦଯାତ୍ରା ପାଇଁ କେନ୍ଦ୍ରୀୟ ନେତା ଓଡିଶା ଗସ୍ତରେ ଆସି ଦଳୀୟ ନେତାଙ୍କ ସହ ଆଲୋଚନା କରିି ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି  । ଆଉ ବୈଠକ ପରେ ବିଜେଡି ଓ ବିଜେପିର ଦଳର ସମ୍ପର୍କକୁ ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ କଥାରେ ଓଡିଶା ସରକାର ପରିଚାଳିତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦୀଙ୍କ କଥାରେ ଉଠବସ ହେଉଛନ୍ତି । ନରେନ୍ଦ୍ର ମୋଦୀ ଯେମିତି କହୁଛନ୍ତି ନବୀନ ସେମିତି ପରିଚାଳିତ ହେଉଛନ୍ତି । ରାଜ୍ୟରେ ଯଦିଓ ବିଜେଡି-ବିଜେପି ଲଢୁଛନ୍ତି ହେଲେ ଦିଲ୍ଲୀରେ ଏକାଠି ହୋଇଯାଆନ୍ତି ଏହି ଦୁଇ ଦଳ । ବିଜେଡି ସାଂସଦ ମାନେ ମଧ୍ୟ ମୋଦୀଙ୍କ କଥାରେ ଉଠବସ ହେଉଛନ୍ତି  । ତେଣୁ ଏହି ଯାତ୍ରା ଓଡିଶାରେ ଉଭୟ ବିଜେଡି ଏବଂ ବିଜେପି ବିରୋଧରେ ହେବ ।

ବିଜେଡି- ବିଜେପି ସମ୍ପର୍କକୁ ନେଇ କଂଗ୍ରେସର ସମାଲୋଚନା ପରେ ଜବାବ ରଖିଛି ବିଜେଡି । ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, କଂଗ୍ରେସକୁ ନଯୋଡି ଏ ବୟାନବାଜି କଣ ପାଇଁ । କଂଗ୍ରେସର ବୟାନ ମୂଲ୍ୟହୀନ । କଂଗ୍ରେସର କେନ୍ଦ୍ରୀୟ ନେତାଙ୍କ ବୟାନକୁ ସମାଲୋଚନା କରିଛି ବିଜେପି ।

ଅକ୍ଟୋବର ୩୧ରୁ ଓଡିଶାରେ ଭାରତ ଯୋଡ ପଦଯାତ୍ରା କରିବାକୁ ଯୋଜନା କରିଛି କଂଗ୍ରେସ । ଭୁବନେଶ୍ୱର ଇନ୍ଦିରା ପାର୍କରୁ ଆରମ୍ଭ ହେବ ପଦଯାତ୍ରା । ଶହେ ଦିନ ଭିତରେ ୨୫ଜିଲ୍ଲାର ୨୨ଶହ ୫୦ କିଲୋମିଟର ପଦଯାତ୍ରା କରିବେ କଂଗ୍ରେସ ନେତା । କେନ୍ଦ୍ରରେ ବିଜେପି କ୍ଷମତାକୁ  ଆସିବା ପରେ କେମିତି, ଦରଦାମ ଓ ବେକାରୀ ବୃଦ୍ଧି ପାଇଛି । ପୁଞ୍ଜିପତିଙ୍କ ହାତକୁ  ଶିଳ୍ପସଂସ୍ଥାକୁ ଟେକିଦିଆଯାଇଛି । ଧର୍ମ ଜାତି ନାଁରେ ସାମାଜକୁ ରାଜନୈତିକ ଉଦେଶ୍ୟରେ ଭାଙ୍ଗି ଦିଆଯାଉଛି, ସେ ନେଇ ଲୋକଙ୍କୁ ସଚେତନ କରିବେ । କଂଗ୍ରେସର ଏହି ଯାତ୍ରାକୁ ସମାଲୋଚନା କରିଛି ବିଜେପି । ବିଜେପି- ବିଜେଡି ସମ୍ପର୍କକୁ ନେଇ କଂଗ୍ରେସ ନେତାଙ୍କ ଅଭିଯୋଗ ନୂଆ ନୁହେଁ । ହେଲେ ଭାରତ ଯୋଡୋ ଯାତ୍ରା ପୂର୍ବରୁ କେନ୍ଦ୍ରୀୟ ନେତାଙ୍କ ଏହି ବୟାନ ଓ ପଦଯାତ୍ରା ପ୍ରସ୍ତୁତି ରାଜ୍ୟ ରାଜନୀତିକୁ ଉଷ୍ଣ କରିଛି ।