ନିଆଁରେ ପୋଡି ହୋଇ ସ୍ୱାମୀ-ସ୍ତ୍ରୀ ମୃତ: ଦୁଇ ସପ୍ତାହ ତଳେ ହୋଇଥିଲା ବାପାଙ୍କ ଦେହାନ୍ତ

1,251

କନକ ବ୍ୟୁରୋ: ନିଆଁରେ ପୋଡ଼ି ହୋଇ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ । ବୁଗୁଡ଼ା ବ୍ଲକ କରଚୁଲି ପଂଚାୟତ ଅନ୍ତର୍ଗତ ବଡ଼ତଣ୍ଡା ଗ୍ରାମରୁ ଆସିଛି ଏଭଳି ଅଭାବନୀୟ ଘଟଣା । ଗତ ୧୨ ତାରିଖରେ ଗାଁର ପଦ୍ମାବତୀ ଜାନି ରୋଷେଇ କରୁଥିବା ବେଳେ ଅସାବଧାନତା ଯୋଗୁଁ ଶାଢିରେ ନିଆଁ ଲାଗି ଯାଇଥିଲା । ତାଙ୍କୁ ବଂଚାଇବା ପ୍ରୟାସରେ ସ୍ୱାମୀ ରାଜକୁମାରଙ୍କ ପୋଷାକରେ ମଧ୍ୟ ନିଆଁ ଲାଗିଯାଇଥିଲା । ଫଳରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କର ଅର୍ଦ୍ଧାଧିକ ଅଂଶ ପୋଡ଼ି ହୋଇଯାଇଥିଲା ।

ଦୁହିଁଙ୍କୁ ପ୍ରଥମେ ବୁଗୁଡ଼ା ମେଡିକାଲକୁ ନିଆଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା । ପରେ ୧୪ ତାରିଖରେ ଦୁହିଁଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦୁହିଁଙ୍କର ମୃତ୍ୟୁ ହୋଇଛି । ବଡ଼ କଥା ହେଉଛି ଦୁଇ ସପ୍ତାହ ତଳେ ରାଜକୁମାରଙ୍କ ବାପା ଆରପାରିକୁ ଚାଲିଯାଇଥିଲେ । ଅର୍ଥାତ ତିନି ଜଣ ସଦସ୍ୟଙ୍କର ଏପରି ଅକାଳ ବିୟୋଗ ପରିବାରକୁ ନାହିଁ ନଥିବା କଷ୍ଟ ଦେଇଛି ।