ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ, ଧାର୍ଯ୍ୟ ସମୟରେ ଘର ନସାରିଲେ ଦେବାକୁ ପଡିବ ଜରିମାନା।

687

କନକ ବ୍ୟୁରୋ: ସମାଲୋଚନା ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କଠୋର ହୋଇଛି କେନ୍ଦ୍ର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କ ବୟାନବାଜି ଭିତରେ କଠୋର ଆଭିମୁଖ୍ୟ ଦେଖାଇଛି କେନ୍ଦ୍ର । କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ ଓଡିଶା ସମେତ ଦେଶର ସମସ୍ତ ରାଜ୍ୟକୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା । ରାଜ୍ୟମାନଙ୍କୁ ସ୍ପଷ୍ଟ ଭାବରେ କୁହାଯାଇଛି, ଯଦି କୌଣସି ରାଜ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଞ୍ଜୁର ହୋଇଥିବା ଘରର ଆବଣ୍ଟନ ବା ନିର୍ମାଣ କାର୍ଯ୍ୟ, ଧାର୍ଯ୍ୟ ସମୟରେ ଶେଷ କରିବାରେ ବିଫଳ ହୁଅନ୍ତି ତେବେ ସମ୍ପୃକ୍ତ ରାଜ୍ୟଙ୍କୁ ଜରିମାନା ଦେବାକୁ ପଡିବ । ଜରିମାନା ଟଙ୍କାକୁ କେନ୍ଦ୍ର ସରକାର ତାଙ୍କ ଭାଗରୁ କାଟି ଦେବେ ।
ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁସାରେ,
– ମଞ୍ଜୁରୀ ପରଠୁ ଆବାସ ଆବଣ୍ଟନ ଯଦି ଗୋଟିଏ ମାସରୁ ଅଧିକ ବିଳମ୍ବ ହୁଏ ତେବେ ରାଜ୍ୟ ସରକାରଙ୍କୁ ୧୦ ଟଙ୍କା ଜରିମାନା ଦେବାକୁ ପଡ଼ିବ
– ତାପରେ ପ୍ରତ୍ୟେକ ମାସର ବିଳମ୍ବ ପାଇଁ ପ୍ରତିମାସ ୨୦ ଟଙ୍କା ହିସାବରେ ଜରିମାନା ଦେବାକୁ ହେବ
– ଯଦି କୌଣସି ଆବାସ ପାଇଁ ରାଶି ମଞ୍ଜୁର ହୋଇଯାଇଛି ଏବଂ ପୈଠରେ ବିଳମ୍ବ ହେଉଛି ସେଥିପାଇଁ ପ୍ରତି ସପ୍ତାହରେ ୧୦ ଟଙ୍କା ହିସାବରେ ହିତାଧିକାରୀଙ୍କୁ ଦେବାକୁ ପଡ଼ିବ
– କିନ୍ତୁ ଯଦି ଆବାସ ନିର୍ମାଣ ପାଇଁ କେନ୍ଦ୍ରର ପାଣ୍ଠି ଉପଲବ୍ଧ ହେଉନାହିଁ ତେବେ ରାଜ୍ୟମାନଙ୍କ ଉପରେ ଜରିମାନା ପଡିବ ନାହିଁ

କେନ୍ଦ୍ରର କଠୋର ଆଭିମୁଖ୍ୟକୁ ନେଇ ପୁଣି ଥରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ରାଜ୍ୟ ବିଜେପି ନେତା କହିଛନ୍ତି, ଗରିବ ଲୋକଙ୍କ ସହ ଖେଳୁଥିବା ରାଜ୍ୟ ସରକାରଙ୍କୁ ଏହା ଏକ ସଠିକ ଉତ୍ତର । ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, ଆବାସ ନେଇ କେନ୍ଦ୍ର ସରକାର ଯାହା ସବୁ ନିର୍ଦ୍ଦେଶ ଦେଇଛନ୍ତି, ତାହାଠୁ ଆମେ ଅଧିକ କରୁଛୁ ।

୨୦୨୪ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨କୋଟି ୯୫ଲକ୍ଷ ଘର କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ହେଲେ, ଓଡିଶା, ଆସାମ, ଛତିଶଗଡ଼, ବିହାର ଭଳି ରାଜ୍ୟରେ ବାସ୍ତବ ସ୍ଥିତି ଲକ୍ଷ୍ୟ ଠାରୁ ବହୁ ଦୂରରେ ରହିଛି । ସବୁ ଲୋକଙ୍କୁ ପକା ଘର ଯୋଗାଇ ଦେବାକୁ ସରକାର ନେଇଥିବା ଡେଡଲାଇନ ପୂରିବାକୁ ଆଉ ମାତ୍ର ୧୯ମାସ ରହିଛି । ତେଣୁ ଏତେ କମ୍ ସମୟ ଲକ୍ଷ୍ୟ ପୂରଣ କରିବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ।