ଆସନ୍ତା ୭ରୁ କଂଗ୍ରେସର ‘ଭାରତ ଯୋଡୋ’ ଅଭିଯାନ । ୫ ମାସ ଧରି ଚାଲିବ ବିଶାଳ ଜନସମ୍ପର୍କ ପଦଯାତ୍ରା ।

96

କନକ ବ୍ୟୁରୋ: ଆସନ୍ତା ୭ ତାରିଖରୁ କଂଗ୍ରେସ ‘ଭାରତ ଯୋଡ଼ୋ’ ଅଭିଯାନ ଆରମ୍ଭ କରିବ । କନ୍ୟାକୁମାରୀରୁ ରାହୁଲ ଗାନ୍ଧୀ ଏହି ଅଭିଯାନ ଆରମ୍ଭ କରିବେ । ଏହା ଏକ ବଡ଼ ଜନସଂପର୍କ ପଦଯାତ୍ରା ବୋଲି ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏଆଇସିସି ମୁଖପାତ୍ର ଅଂଶୁଲ ଅଭିଜିତ ।

ସବୁଠାରୁ ବଡ଼କଥା ହେଲା, ଏହି ପଦଯାତ୍ରା ୧୨ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ହେବ । ୧୫୦ ଦିନର ଏହି ପଦଯାତ୍ରାରେ ପ୍ରାୟ ୩୫୦୦ କିଲୋମିଟର ପରିଧି ଭିତରେ ଯାଏଁ କରାଯିବ । ପଦଯାତ୍ରାରେ ୩୦% ମହିଳା ସାମିଲ ହେବେ। ୱେବସାଇଟରେ ଏହାର ସିଧା ପ୍ରସାରଣ ହେବ ।

ଏହି ପଦଯାତ୍ରାର ମୂଳ ଲକ୍ଷ୍ୟ ହେଉଛି । ଭୁଶୁଡ଼ି ପଡ଼ିଥିବା ଅର୍ଥନୀତି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟାକୁ ନେଇ ଲୋକଙ୍କ ପାଖକୁ ପହଞ୍ଚାଇବ କଂଗ୍ରେସ । ଲୋକଙ୍କୁ ସଚେତନ କରାଇ ଲୋକଙ୍କ ସମସ୍ୟା ଶୁଣିବେ ବୋଲି କଂଗ୍ରେସ ଏହି ‘ଭାରତ ଯୋଡୋ’ ଅଭିଯାନରେ ମୁଦ୍ଦା କରିଛି ।

ଏପଟେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଓଡ଼ିଶାରେ ମଧ୍ୟ ଏହି ପଦଯାତ୍ରା ହେବ। ଓଡ଼ିଶା କଂଗ୍ରେସରୁ ୧୦୦ ଜଣ ପ୍ରତିନିଧି ଯିବେ । ସେମାନେ ଓଡ଼ିଶାରୁ ପାଣି ଓ ମାଟି ନେଇ ‘ଭାରତ ଯୋଡ଼ୋ’ ଅଭିଯାନରେ ସାମିଲ ହେବେ । ଜାତୀୟ ପତାକା ସହିତ ଏହି ପଦଯାତ୍ରାର ଉଦ୍ଦେଶ୍ୟ ହେଉଛି କଂଗ୍ରେସ ସହ ଅନ୍ୟ ଦଳର ନେତା, କର୍ମୀ ଓ ଯୁବଗୋଷ୍ଠୀମାନେ ସାମିଲ ହୋଇପାରିବେ । ଏବେ ଦେଶର ପରିସ୍ଥିତି ଏମିତି ଯେ, ବିରୋଧୀମାନେ ଲୋକଙ୍କ ପାଖକୁ ଯାଇ ସଚେତନ କରାଇବା ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ ।