ମେୟର ନିର୍ବାଚନ ପାଇଁ କଂଗ୍ରେସ କଲା ପ୍ରାର୍ଥୀ ଘୋଷଣା । ବିଜେପି, ବିଜେଡିରୁ ଲଢିବ କିଏ?

160

କନକ ବ୍ୟୁରୋ: ପୌର ନିର୍ବାଚନ ପାଇଁ ରାଜଧାନୀ ରାଜନୀତି ସରଗରମ ହୋଇଛି । ରାଜଧାନୀର ବିଭିନ୍ନ ୱାର୍ଡରେ ନିର୍ବାଚନୀ ଉଷ୍ମତା ବି ବାରି ହେଲାଣି । ଆଶାୟୀ ପ୍ରାର୍ଥୀମାନେ ଦଳରୁ ଟିକେଟ ପାଇବା ପାଇଁ ଲବି ବି ଚଳାଇଛନ୍ତି । ନେତାଙ୍କ ଘରେ ଭିଡ୍ ଦେଖିବାକୁ ମିଳୁଛି । କିନ୍ତୁ ଏହାର ଭିତରେ ମହାନଗର ନିଗମର ମେୟର ପ୍ରାର୍ଥୀଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା । କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି କିନ୍ତୁ ବିଜେଡି ଓ ବିଜେପି କାହାକୁ ମେୟର ପ୍ରାର୍ଥୀ କରିବେ ତାହା ଘୋଷଣା କରିନାହାଁନ୍ତି । ଯାହା ଉପରେ ସମସ୍ତଙ୍କ ନଜର ରହିଛି ।

  • କଂଗ୍ରେସର ମଧୁସ୍ମିତା ଆଚାର୍ଯ୍ୟ
  • ବିଜେଡିରୁ କିଏ? ବିଜେପିରୁ କିଏ?

ଭୁବନେଶ୍ୱର ମହାନଗର ନିଗମ ମେୟର ପ୍ରାର୍ଥୀ ଘୋଷଣା ନେଇ ଛକାପଞ୍ଝା ଭିତରେ, କଂଗ୍ରେସ ଆଗୁଆ ନାଁ ଘୋଷଣା କରିଛି । ସମାଜସେବୀ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ଭୁବନେଶ୍ୱର ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ମଧୁସ୍ମିତା ପୂର୍ବତନ କଂଗ୍ରେସ ବିଧାୟକ ସ୍ୱର୍ଗତ କାଙ୍ଗାଳି ପଣ୍ଡାଙ୍କ ବୋହୁ । ସେ ଛାତ୍ରଜୀବନରୁ ରାଜନୀତିରେ ସକ୍ରିୟ ଥିଲେ । ଏଥିସହ ସେ ବିଭିନ୍ନ ସମାଜ ସେବା କାର୍ଯ୍ୟରେ ଜଡିତ ଥିଲେ । ଟିକେଟ ପାଇବା ପରେ ଦଳକୁ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଭୋଟ ଦେବାକୁ ଅପିଲ କରିଛନ୍ତି ମଧୁସ୍ମିତା ।

ତେବେ କଂଗ୍ରେସ ମେୟର ପ୍ରାର୍ଥୀ ଘୋଷଣା କରିଥିଲେ ବି ଶାସକ ବିଜେଡି ଓ ବିଜେପି ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ ପରସ୍ପର ପରସ୍ପରକୁ ଛକିଛନ୍ତି । ଗୋଟିଏ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ଆଉ ଗୋଟିଏ ଦଳ ଘୋଷଣା କରିବ ବୋଲି ଚର୍ଚ୍ଚା ହେଉଛି ।

ଏସବୁ ଭିତରେ ଶାସକ ଦଳରୁ ଟିକେଟ ପାଇବା ପାଇଁ ଆଶାୟୀ ପ୍ରାର୍ଥୀ ଲବିକୁ ଜୋରଦାର କରିଛନ୍ତି । ବିଜେଡି ବିଧାୟକଙ୍କ ଘରେ ଭିଡ ଦେଖିବାକୁ ମିଳିଛି । କିନ୍ତୁ ସୁପ୍ରିମୋ କାହା ଉପରେ ଭରସା କରୁଛନ୍ତି ତା ଉପରେ ସମସ୍ତ୍ଙ୍କ ନଜର ରହିଛି । ବିଜେପି ମଧ୍ୟ କାହାକୁ ମେୟର ପ୍ରାର୍ଥୀ କରିବ ରହସ୍ୟ ଉପରୁ ପରଦା ହଟାଇନି । ଖୁବଶୀଘ୍ର ପ୍ରାର୍ଥୀ ନାଁ ଘୋଷଣା କରାଯିବ ବୋଲି କହୁଥିଲେ ବି ସାଂସଦ ଅପରାଜିତାଙ୍କ ପାଖରେ ଆଶାୟୀଙ୍କ ଭିଡ ଦେଖିବାକୁ ମିଳିଛି । ଏଥିସହ ପଞ୍ଚାୟତ ଫଳାଫଳକୁ ନେଇ ଅପରାଜିତା କହିଛନ୍ତି, ପୌର ନିର୍ବାଚନ ଉପରେ ପ୍ରଭାବ ପଡିବ ନାହିଁ । ସୂର୍ଯ୍ୟାସ୍ତ ପରେ ହିଁ ସୂର୍ଯ୍ୟୋଦୟ ହେବ । ନାମାଙ୍କନ ସମୟ ସରିଆସୁଥିବାବେଳେ, କାହାକୁ ଟିକେଟ ମିଳିବ ତାକୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି ଏବଂ ନୂଆ ନୂଆ ନାଁ ଚର୍ଚ୍ଚାକୁ ଆସିବାରେ ଲାଗିଛି । ଏବେ ଅପେକ୍ଷା କାହା ନାଁରେ ବାଜିବ ମୋହର ।