କର୍ଣ୍ଣାଟକରେ ନିର୍ବାଚନ ଇସ୍ତାହାରରେ ମାଗଣା ପ୍ରତିଶ୍ରୁତି । ସବୁ ଘରକୁ ୨୦୦ ୟୁନିଟ ଯାଏ ମାଗଣା ବିଜୁଳି, ପରିବାର ମହିଳା ମୁଖ୍ୟଙ୍କୁ ୨ ହଜାର ଟଙ୍କା

130

କନକ ବ୍ୟୁରୋ : ମେ ୧୦ରେ ପଡିବ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ । ଠିକ ଏହାର ୮ଦିନ ପୂର୍ବରୁ ରାଜ୍ୟ ପାଇଁ ପୁଳା ପୁଳା ମାଗଣା ପ୍ରତିଶ୍ରୁତି ଆଣିଛି କଂଗ୍ରେସ । ସୋମବାର ବିଜେପି ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଥିବାବେଳେ ମଙ୍ଗଳବାର ଏହାକୁ ଟକ୍କର ଦେଇ କଂଗ୍ରେସ ଜାରି କରିଛି ନିର୍ବାଚନୀ ଇସ୍ତାହାର । ଆସନ୍ତୁ ନଜର ପକାଇବା ଉଭୟ ଦଳ ଜନତାଙ୍କୁ କି କି ପ୍ରତିଶ୍ରୁତି ଦେଇଛନ୍ତି ।

କଂଗ୍ରେସର ମାଗଣା ପ୍ରତିଶ୍ରୁତି
– ସବୁ ଘରକୁ ୨ ଶହ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି
– ପରିବାରର ମହିଳା ମୁଖ୍ୟଙ୍କୁ ମିଳିବ ୨ ହଜାର ଟଙ୍କା
– ବିପିଏଲ୍ ପରିବାରର ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାସକୁ ୧୦ କିଲୋ ଚାଉଳ
– ବେରୋଜଗାର ସ୍ନାତକଙ୍କୁ ୨ ବର୍ଷ ଯାଏଁ ମାସକୁ ୩ ହଜାର ଟଙ୍କା
– ବେରୋଜଗାର ଡିପ୍ଲୋମାଧାରୀଙ୍କୁ ମାସକୁ ଦେଢ ହଜାର ଟଙ୍କା
– ରାତିରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କୁ ୫ ହଜାର ଟଙ୍କାର ଭତ୍ତା
– ମତ୍ସ୍ୟଜୀବୀଙ୍କୁ ବର୍ଷକୁ ୫ ଶହ ଲିଟର ଟ୍ୟାକ୍ସ ଫ୍ରି ଡିଜେଲ
– କ୍ଷୀର ସବସିଡି ୫ ଟଙ୍କାରୁ ବୃଦ୍ଧି କରି ୭ ଟଙ୍କା କରାଯିବ
– ବଜରଙ୍ଗଦଳ ଓ ପିଆଇଏଫ ସଂଗଠନକୁ ବ୍ୟାନ୍ କରାଯିବ

ସୋମବାର ନିର୍ବାଚନୀ ଇସ୍ତାହାର ଜାରି ଲୋଭନୀୟ ଓ ଆକୃଷ୍ଟ କରୁଥିବା ପ୍ରତିଶ୍ରୁତି ଦେଇଥିଲା ବିଜେପି । ଦଳ ମହିଳା, ଯୁବକ ଓ ଚାଷୀଙ୍କୁ ଫୋକସ କରି ନିର୍ବାଚନ ଇସ୍ତାହାର ଜାରି କରିଥିଲା ।

ବିଜେପିର ମାଗଣା ପ୍ରତିଶ୍ରୁତି
– ପ୍ରତି ପରିବାରକୁ ବର୍ଷକୁ ୩ଟି ଗ୍ୟାସ୍ ସିଲିଣ୍ଡର ମାଗଣା
– ଉଗାଡି, ଦୀପାବଳି ଓ ଗଣେଶ ପୂଜାରେ ମିଳିବ ସିଲିଣ୍ଡର
– ବିପିଏଲ ପରିବାରକୁ ପ୍ରତିଦିନ ମିଳିବ ଅଧା ଲିଟର କ୍ଷୀର
– ଚାଷୀଙ୍କ ପାଇଁ ୫ଲକ୍ଷ ପର୍ଯ୍ୟନ୍ତ ଋଣରେ ସୁଧ ଲାଗିବନି
– ଚାଷୀଙ୍କୁ ବିହନ ପାଇଁ ପ୍ରତିବର୍ଷ ଦଶ ହଜାର ମିଳିବ
– ପ୍ରତିମାସରେ ମାଗଣା ୫କିଲୋ ଚାଉଳ ଓ ଗହମ ଦିଆଯିବ
– ପ୍ରତି ୱାର୍ଡରେ ଖୋଲିବ ଅଟଳ ଆହାର କେନ୍ଦ୍ର

ନିର୍ବାଚନ ଯେତିକି ପାଖଉଛି, ସେତିକି ସରଗରମ ହେଉଛି ନିର୍ବାଚନୀ ମାହୋଲ । ବାକ୍ ଯୁଦ୍ଧରେ ଭୋଟ୍ ସାଉଁଟିବାକୁ ଯୋଜନା ଚଳାଇଥିବା ରାଜନୈତିକ ଦଳ ଏବେ ଲୋକଙ୍କ ପାଖରେ ପ୍ରତିଶ୍ରୁତିର ପାହାଡ ଛିଡା କରି ଭୋଟ୍ ହାତେଇବାକୁ ଉଦ୍ୟମ କରୁଛନ୍ତି । ନିର୍ବାଚନ ଇସ୍ତାହାର ମାଧ୍ୟମରେ ଲୋକଙ୍କ ମନ ଜିଣିବାକୁ ଚେଷ୍ଟା କରୁଛନ୍ତି । ତେବେ କାହା ପ୍ରତିଶ୍ରୁତି ଅଧିକ ଫଳପ୍ରଦ ହେଉଛି? କିଏ ଜନତାଙ୍କୁ ଅଧିକ ଆକୃଷ୍ଟ କରିପାରୁଛି? କିଏ କର୍ଣ୍ଣାଟକ ଶାସନଗାଦୀ ହାତଉଛି ସେକଥା ମେ ୧୩ ଫଳାଫଳରେ ଜଣାପଡିବ