ବିଜେପି ପ୍ରାର୍ଥୀକୁ ବିଜେଡିର ସମର୍ଥନକୁ କଂଗ୍ରେସର ସମାଲୋଚନା ! କହିଲା, ନିଜର ସୁରକ୍ଷା ପାଇଁ ବିଜେପି ପାଖରେ ଆତ୍ମସମର୍ପଣ କରିଛି ବିଜେଡି

117

କନକ ବ୍ୟୁରୋ: ଅଶ୍ୱିନୀଙ୍କୁ ବିଜେଡିର ସମର୍ଥନ ପରେ ତେଜିଛି ରାଜନୀତି । ସିଟ ପାଇଁ ସମର୍ଥନ ପଛର କାରଣ କଣ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ବିଜେପି ଓ ବିଜେଡି ମଧ୍ୟରେ ଡିଲ ହୋଇଥିବା ପୁଣି ଥରେ ଉଠାଇଛି କଂଗ୍ରେସ । ଏଥିସହ ଓଡିଶା ପ୍ରତି ଅଶ୍ୱିନୀ ବୈଷ୍ଣବଙ୍କ ଅବଦାନ କଣ ବୋଲି ଦଳ ପ୍ରଶ୍ନ କରିଛି । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି-ବିଜେଡି ମଧ୍ୟରେ ଥିବା ଭିତିର ସଂପର୍କର ପର୍ଦ୍ଦାଫାସ କରିଛି କଂଗ୍ରେସ ।

ନିଜର ସୁରକ୍ଷା ପାଇଁ ବିଜେପି ନିକଟରେ ବିଜେଡି ଆତ୍ମସମର୍ପଣ କରିଥିବା ଅଭିଯୋଗ କରିଛି କଂଗ୍ରେସ । ଆମେ ମୂଲରୁ ବିଜେପି ଓ ବିଜେଡି ମଧ୍ୟରେ ଥିବା ଭିତିରି ସଂପର୍କ ନେଇ କହି ଆସୁଥିଲୁ । ଦୁଇ ଦଳ କେବଳ ରାଜନୈତିକ ଡ୍ରାମା କରୁଥିଲେ । ଯାହା ଏବେ ସ୍ପଷ୍ଟ ହୋଇଯାଇଛି । ଲୋକେ ଏହାର ଉଚିତ ବିଚାର କରିବେ ବୋଲି କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ ।

 

ଖାଲି ପଡିଥିବା ୩ ରାଜ୍ୟସଭା ଆସନ ପାଇଁ ଗତକାଲି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟସଭା ପାଇଁ ୨ ଦଳୀୟ ପ୍ରାର୍ଥୀଙ୍କ ନାଁ ବିଜେଡି ଘୋଷଣା କରିଥିବା ବେଳେ ଆଉ ଗୋଟିଏ ଆସନ ପାଇଁ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦଳ ସମର୍ଥନ କରିଥିଲେ ନବୀନ ପଟ୍ଟନାୟକ । ଯାହାକୁ ନେଇ ଏବେ ଜୋର ଧରିଛି ରାଜନୀତି । ବିଜେଡିର ଏଭଳି ଅଚାନକ ଆଭିମୁଖ୍ୟ ପରିବର୍ତ୍ତନ କୁ ନେଇ ବିରୋଧୀମାନେ ମୁଖ୍ୟମନ୍ତ୍ରୀଙ୍କୁ କାଠଗଡାରେ ଛିଡା କରିଛନ୍ତି ବିରୋଧୀ । କଂଗ୍ରେସ ପକ୍ଷରୁ ବିଜେଡିର ଦୋମୁହାଂ ନୀତିକୁ ସମାଲୋଚନା କରିଛନ୍ତି । କଂଗ୍ରେସ କହିଛି , ବିଭିନ୍ନ ସମୟରେ ବିଜେଡି କେନ୍ଦ୍ରୀୟ ଅବହେଳାକୁ ଆଳ କରି ବିଜେପିକୁ ବିରୋଧ କରୁଥିଲା । ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବା ବିଜେଡିର ଅସଲ ଚେହେରା ପଦାରେ ପଡିଯାଇଛି । ବିଜେଡି ଏକ ଆଂଚଳିକ ଦଳ । ନବୀନ ଚାହିଁଥିଲେ ନିଜ ଦଳରୁ ଏବଂ ଓଡିଶାରୁ ୩ ଜଣଙ୍କୁ ରାଜ୍ୟସଭା ପଠାଇପାରିଥାନ୍ତେ । ଉଭୟ ଦଳ ମଧ୍ୟରେ ଭିତିରି ବୁଝାମଣା ହୋଇଛି ବୋଲି କଂଗ୍ରେସ କହିଛି ।