ଦୁଇଟି ଦଳର ଜଣେ ରାଜ୍ୟସଭା ପ୍ରାର୍ଥୀ : ବିଜେଡ଼ି ସମର୍ଥନ ପରେ ବିଜେପିର ସାଧୁବାଦ, ମୋଦି ସରକାରଙ୍କ ବିଲ ପାସ୍ କରିବାରେ ସହଯୋଗୀ ହେବ କହିଲେ ବସନ୍ତ ପଣ୍ଡା

276

କନକ ବ୍ୟୁରୋ : ସମର୍ଥନ ଘୋଷଣା କଲେ ନବୀନ, ଧନ୍ୟବାଦ ଦେଲେ ବସନ୍ତ ପଣ୍ଡା । ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି । ନିର୍ବାଚନ ଶେଷ ହେବା ପରେ ଉଭୟ ଦଳର ନେତାଙ୍କ ମୁଡ଼୍ ବଦଳିଛି । ଟାର୍ଗେଟ କରିବା ବଦଳରେ ଏବେ ଉଭୟ ଦଳ ନେତାଙ୍କ କୋହଳ ମନୋଭାବ ସ୍ପଷ୍ଟ ନଜର ଆସୁଛି । ହେଲେ ଧନ୍ୟବାଦକୁ ନେଇ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ଅନ୍ୟପଟେ ବିଜେପି ପ୍ରାର୍ଥୀକୁ ସମର୍ଥନ ନେଇ ରାଜନୀତିର ଗନ୍ଧ ବାରିଛି କଂଗ୍ରେସ ।

ସମର୍ଥନ ପରେ ଧନ୍ୟବାଦ ଜଣାଇବା ଅତି ସ୍ୱାଭାବିକ । ଗତକାଲି ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ବିଜେଡି ସମର୍ଥନ କରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସମର୍ଥନ ଜଣାଇବା ପରେ ବିଜେଡ଼ି ଉଦ୍ଦେଶ୍ୟରେ ସାଧୁବାଦ ଜଣାଇଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା । ସେ କହିଛନ୍ତି ରାଜ୍ୟସଭା ବିଲ ଅନୁମୋଦନ କରିବା ସମୟରେ ବିଭିନ୍ନ ପ୍ରକାର ଅସୁବିଧା ସୃଷ୍ଟି ହେଉଥିଲା । ବିଜେଡ଼ି ସମର୍ଥନ ପରେ ଅସୁବିଧାରୁ ରକ୍ଷା ମିଳିବ । ସଙ୍ଘୀୟ ବ୍ୟବସ୍ଥାକୁ ସମ୍ମାନ ଦେବାକୁ ପଡ଼େ । ସମର୍ଥନ ପରେ ବର୍ତ୍ତମାନ ବିଜେପି ଜନକଲ୍ୟାଣକାରୀ ପଦକ୍ଷେପ ନେବାରେ ସକ୍ଷମ ହୋଇପାରିବ । ଗଠନମୂଳକ ସହଯୋଗ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼େ ଭାରତୀୟ ଜନତା ପାର୍ଟି । ବିଜେଡ଼ିର ସମର୍ଥନ ମଗାଯାଇଥିଲା, ଆଉ ସମର୍ଥନ ମିଳିବାରୁ ତାକୁ ସ୍ୱାଗତ ଜଣାଇଛନ୍ତି ବସନ୍ତ ପଣ୍ଡା ।

ଆଉ ମଧ୍ୟ ସେ କହିଛନ୍ତି ଆରୋପ ଓ ଅଭିଯୋଗ ଉପରେ ସମାଜ ତଥା ରାଜ୍ୟର ବିକାଶ ସମ୍ଭବ ନୁହେଁ । ରାଜ୍ୟ ଓ ଲୋକ କଲ୍ୟାଣ ପାଇଁ ଏସବୁ ଉର୍ଦ୍ଧ୍ୱରେ ଯାଇ ଚିନ୍ତା କରିବା ପାଇଁ ପଡ଼େ । ମାନ୍ୟବର ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଆଲୋଚନା କରି ଏହି ପଦକ୍ଷେପ ନେଇଛନ୍ତି । ତାହା ନିହାତି ପ୍ରଂଶସନୀୟ । ସେପଟେ ବିକାଶ ଗାଡ଼ିରେ କେହି ସହଯୋଗ କଲେ ସେଥିଲେ ରାଜନୀତି ଚଷମା ପିନ୍ଧାଇବା ଅନୁଚିତ ବୋଲି କହିଛନ୍ତି ବିଜେପି ବରିଷ୍ଠ ନେତା ଗୋଲକ । ଆଗମୀ ଓଡ଼ିଶା ଓ ଓଡ଼ିଶା ପାଇଁ ସଂଗ୍ରାମ ଜାରି ରଖିବ ବୋଲି ସେ କହିଛନ୍ତି ।