ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଲା ଅଭିଯୋଗ। ଗ୍ରାମାଞ୍ଚଳରେ ଉଦ୍ୟାନ ପାଇଁ ଆସୁଥିବା ଲକ୍ଷାଧିକ ଟଙ୍କା ହରିଲୁଟ୍।

51

କନକ ବ୍ୟୁରୋ: ଗ୍ରାମ ଉଦ୍ୟାନ ପାଇଁ ଓ ଗ୍ରାମୀଣ ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ସତ୍ୟବାଦୀ ବ୍ଲକର ବିଭିନ୍ନ ପଞ୍ଚାୟତ ପାଇଁ କୋଟି କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ବିଦ୍ୟାଧରପୁର ପଞ୍ଚାୟତର ପାର୍କକୁ ଛାଡ଼ିଦେଲେ ଅନ୍ୟ ସବୁ ପାର୍କ ଏବେ ବଣ ଜଙ୍ଗଲରେ ପରିଣତ ହୋଇଛି । କେଉଁଠି ମାଟି ପକାଇ ଟଙ୍କା ଉଠାଯାଇଛି ତ କେଉଁଠି ଅଧାଗଡ଼ା ପାଚେରୀ କରି ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି । କିନ୍ତୁ ସେଥିରୁ କେତେ ଟଙ୍କା ଖର୍ଚ୍ଚ ହେଉଛି, ଆଉ କେତେ ବାଟମାରଣା ହେଉଛି, ତା’ର ହିସାବ କେହି ରଖୁନାହାନ୍ତି । ଡୁଗଲ ପଞ୍ଚାୟତ ଅଧୀନରେ ଥିବା ପାର୍କ ପାଇଁ ଖର୍ଚ୍ଚ ହୋଇଛି ମୋଟ ୧୭ଲକ୍ଷ ଟଙ୍କା । ଖୋଦ୍ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରକାଶ ଚନ୍ଦ୍ର ଖଟେଇ ଏହି ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଯୋଜନାରେ ୯ଲକ୍ଷ ୫୦ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପଞ୍ଚାୟତ ମୁଖ୍ୟାଳୟରୁ ୭ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିଲା । ଏହି ଟଙ୍କାରେ ପାର୍କରେ ସୁନ୍ଦର ଆଲୋକୀରକରଣ ସମେତ ସୁନ୍ଦର ଫୁଲ, ଶୌଚାଳୟ ଓ ଗେଟ୍ କରାଯାଇଥିଲା, କିନ୍ତୁ ରକ୍ଷଣବେକ୍ଷଣ ଅଭାବରୁ ପାର୍କଟି କାନ୍ଦୁରୀ ବଣ ପାଲଟିଛି । ଆଉ ଏଠାରେ ସେ ଛେଳି ଚରୁଥିବା ଅଭିଯୋଗ ଆଣିଛନ୍ତି ପୂର୍ବତନ ସରପଞ୍ଚ । ସରପଞ୍ଚ ଆହୁରି ଅଭିଯୋଗ ଆଣିଛନ୍ତି ଯେ ଖର୍ଚ୍ଚ ହୋଇଥିବା ଟଙ୍କାରୁ ସେ ୨ଲକ୍ଷ ୮୦ହଜାର ଟଙ୍କା ବକେୟା ପାଇନାହାନ୍ତି ।

ସେହିପରି ପେଣ୍ଠପଡ଼ା ପଞ୍ଚାୟତରେ ଥିବା ପାର୍କର ଫଳକ ନଥିବା ସହ ଗେଟ୍ ଆଗରେ ପାର୍କର ନାମକାରଣ ମଧ୍ୟ ଗାୟବ ହୋଇଛି । ଆଉ ଏବେ ପାର୍କରେ ସୃଷ୍ଟି ହୋଇଥିବା କିଆ ବୁଦାରେ ପଡ଼ିଛି ଉଦଘାଟନୀ ଫଳକ । ପାର୍କର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ପିଲାମାନେ ଏଠାକୁ ଖେଳିବାକୁ ସୁଦ୍ଧା ଆସୁନାହାନ୍ତି । ଜୟପୁର, ବିଶ୍ୱନାଥପୁର, ସଣ୍ଡାରା ଶାସନ, ଆଲିଶା, ମଧୁବନ, ମୂଳଅଲସା, ସୁକାଳ ଆଦି ପଞ୍ଚାୟତରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ପାର୍କ ସମ୍ପୂର୍ଣ୍ଣ ହୋଇନାହିଁ । ସେପଟେ ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ ପଣ୍ଡା କହିଛନ୍ତି ଯେ କିଛି ଜାଗାରୁ ଅଭିଯୋଗ ଆସିଛି । ଏହାର ତୁରନ୍ତ ସମାଧାନ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।