ଯଦି ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ହୁଏ କିମ୍ବା ବାତିଲ ହୋଇଯାଏ, ତେବେ କଣ ହେବ ? ଜାଣନ୍ତୁ କଣ ରହିଛି ଆଇସିସିର ନିୟମ?

334

କନକ ବ୍ୟୁରୋ : ଆରମ୍ଭ ହୋଇଛି ଟି-୨୦ ମହାସମର । ସୁପର-୧୨ ପର୍ଯ୍ୟାୟ ମ୍ୟାଚ୍ ପୂର୍ବରୁ ଆରମ୍ଭ ହୋଇଛି ରାଉଣ୍ଡ ପର୍ଯ୍ୟାୟ ମ୍ୟାଚ୍ । ଆଉ ଏହି ରାଉଣ୍ଡ ପର୍ଯ୍ୟାୟରୁ ୪ଟି ଟିମ୍ ସୁପର-୧୨ ପର୍ଯ୍ୟାୟର ଟିକେଟ ହାତେଇବେ । ତେବେ ସୁପର-୧୨ର ହାଇଭୋଲଟେଜ ମୁକାବିଲା ଦେଖିବାକୁ ମିଳିବ ଅକ୍ଟୋବର ୨୩ରେ । କାରଣ ମେଲବୋର୍ଣ୍ଣ ମୈଦାନରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ରୋହିତଙ୍କ ନେତୃତ୍ୱରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ମାତ୍ ଦେବାକୁ ପଡିଆକୁ ଓହ୍ଲାଇବ ମେନ୍ ଇନ୍ ବ୍ଲୁ । ଆଉ ସବୁଠୁ ବଡ କଥା ଗତ ଟି-୨୦ ବିଶ୍ୱକପ ପରାଜୟର ପ୍ରତିଶୋଧ ନେବାକୁ ଭାରତ ପାଖରେ ରହିଛି ସୁବର୍ଣ୍ଣ ସୁଯୋଗ । କାରଣ ଟିମ୍ ଇଣ୍ଡିଆର ଅଧିକାଂଶ ଖେଳାଳୀ ଏବେ ଜବରଦସ୍ତ ଫର୍ମରେ ରହିଛନ୍ତି । କୋହଲି ଓ ସୂର୍ଯ୍ୟକୁମାର ଯାଦବଙ୍କ ଫର୍ମ ଏବେ ବିଶ୍ୱର ବଡ ବଡ ଟିମଙ୍କ ନିଦ ହଜାଇଛି । ଯାହା ଟିମ୍ ଇଣ୍ଡିଆକୁ ପାକିସ୍ତାନ ବିପକ୍ଷ ମ୍ୟାଚରେ ଫେଭରିଟ୍ ରଖିଛି । ତେବେ ଏହି ହାଇଭୋଲଟେଜ ମ୍ୟାଚ୍ ଯଦି ବର୍ଷାରେ ଧୋଇଯାଏ କିମ୍ବା ଅନ୍ୟ କୌଣସି କାରଣରୁ ରଦ୍ଦ ହୁଏ ତେବେ କଣ ହେବ ତାହାକୁ ନେଇ ଅନେକ କ୍ରିକେଟ ପ୍ରେମୀଙ୍କ ମନରେ ପ୍ରଶ୍ନ ରହିଛି । ତେବେ ଆଇସିସିର ନିୟମ କଣ କହୁଛି ତାହା ଉପରେ ଥରେ ନଜର ପକାନ୍ତୁ ।

ଟି-୨୦ ବିଶ୍ୱକପ ପାଇଁ ଆଇସିସି ଜାରି କରିଥିବା ନିୟମ ଅନୁଯାୟୀ, ସୁପର-୧୨ ପର୍ଯ୍ୟାୟ ମ୍ୟାଚରେ କୌଣସି ଟିମ୍ ବିଜୟୀ ହେଲେ ୨ ପଏଣ୍ଟ ମିଳିବ । ସେହିଭଳି ପରାଜିତ ଟିମକୁ କୌଣସି ପଏଣ୍ଟ ମିଳିବ ନାହିଁ । ସେହିଭଳି ମ୍ୟାଚ୍ ଯଦି ଅମୀମାସିଂତ ରୁହେ କିମ୍ବା ରଦ୍ଦ ହୁଏ ତେବେ ଦୁଇ ଟିମକୁ ଗୋଟିଏ ପଏଣ୍ଟ ଲେଖାଏଁ ମିଳିବ । ସୁପର-୧୨ ପର୍ଯ୍ୟାୟ ମ୍ୟାଚ ପାଇଁ କୌଣସି ରିଜର୍ଭ ଦିନ ରଖାଯାଇନାହିଁ । ଅଥାର୍ତ ଥରେ ଖେଳ ବାତିଲ କିମ୍ବା ଅମୀମାଂସିତ ରହିଲେ ଏହା ପରେ ଆଉ ଖେଳାଯାଇପାରିବ ନାହିଁ ବରଂ ଉଭୟ ଟିମ ମଧ୍ୟରେ ପଏଣ୍ଟ ବାଣ୍ଟି ଦିଆଯିବ । ଏଭଳି ପରିସ୍ଥିତି ସୃଷ୍ଟି ହେଉ ବୋଲି କୌଣସି କ୍ରିକେଟପ୍ରେମୀ ଚାହିଁବେ ନାହିଁ । କାରଣ ଭାରତ-ପାକିସ୍ତାନର ମ୍ୟାଚକୁ ଦୀର୍ଘ ବର୍ଷ ଧରି ଅପେକ୍ଷା କରି ରହିଥାନ୍ତି କ୍ରିକେଟପ୍ରେମୀ ।

ଏଭଳି ସ୍ଥିତିରେ ସେମିଫାଇନାଲ ଟିକେଟ ପାଇଁ ଯଦି ଗ୍ରୁପର ଉଭୟ ଟିମର ପଏଣ୍ଟ ସମାନ ରୁହେ ତେବେ ପ୍ରଥମେ ଉନ୍ନତ ରନରେଟ ଥିବା ଟିମକୁ ସୁଯୋଗ ମିଳିବ । ରନରେଟ ସମାନ ଥିଲେ ଗ୍ରୁପ୍ ପର୍ଯ୍ୟାୟରେ କେଉଁ ଟିମ୍ ଅଧିକ ମ୍ୟାଚ୍ ଜିତିଛି ତାହାକୁ ମାପଦଣ୍ଡ ଭାବେ ବଛାଯିବ । କେବଳ ପ୍ଲେ ଅଫ ଓ ଫାଇନାଲ ମୁକାବିଲା ପାଇଁ ଆଇସିସିି ରିଜର୍ଭ ଦିନ ରଖିଛି । ଯଦି ଏହି ମ୍ୟାଚ ବର୍ଷା କିମ୍ବା ଅନ୍ୟ କାରଣରୁ ବାତିଲ ହୁଏ ତେବେ ନିର୍ଦ୍ଧାରିତ ରିଜର୍ଭ ଡେରେ ଖେଳାଯିବ । ଯେହେତୁ କେବଳ ଆଇସିସି ଇଭେଣ୍ଟରେ ଭାରତ ପାକିସ୍ତାନ ମୁହାଁମୁହିଁ ହେଉଛନ୍ତି ତେଣୁ ଏହି ମ୍ୟାଚରେ ବର୍ଷା ବାଧକ ନ ସାଜୁ ବୋଲି କ୍ରିକେଟପ୍ରେମୀ ଚାହୁଁଛନ୍ତି ।

ଅନ୍ୟପଟେ ଟିମ୍ ଇଣ୍ଡିଆର ଫ୍ୟୁଚର ଟୁର ପ୍ରୋଗ୍ରାମରେ ଆଗାମୀ ୫ ବର୍ଷ ମଧ୍ୟରେ ଭାରତ-ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳାଯିବ ନାହିଁ ବୋଲି ସ୍ପଷ୍ଟ ହୋଇଛି । ଅଥାର୍ତ ଆଗାମୀ ୫ ବର୍ଷ ମଧ୍ୟରେ କେବଳ ଆଇସିସି ଇଭେଣ୍ଟରେ ପରସ୍ପରକୁ ଭେଟିବେ ଭାରତ-ପାକିସ୍ତାନ । ଶେଷଥର ପାଇଁ ଗୋଟିଏ ଦଶନ୍ଧି ପୂର୍ବରୁ ଉଭୟ ଦେଶ ଦ୍ୱିପାକ୍ଷିକ ସିରିଜ ଖେଳିଥିଲେ ।