ଅଭିଯୋଗ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଗଲେ ଜିଲ୍ଲାପାଳ। ରୋଗୀଙ୍କ ହାଲଚାଲ ପଚାରି ବୁଝିଲେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା।

92

କନକ ବ୍ୟୁରୋ: ଅଭିଯୋଗ ପରେ ହଠାତ୍ ହସ୍ପିଟାଲରେ ପହଞ୍ଚିଗଲେ ଜିଲ୍ଲାପାଳ । ଜିଲ୍ଲାପାଳଙ୍କର ଅଚାନକ ହସ୍ପିଟାଲରେ ପହଞ୍ଚିବାକୁ ନେଇ ସେଠାକାର କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପାରଳାଖେମୁଣ୍ଡିରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା । ତାଙ୍କ ସହ ଥିଲେ ଗଜପତି ଏସପି ଜୟରାମ ଶତପଥୀ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ପାଇଁ ଟଙ୍କା ମଗାଯାଉଥିବା ବେଳେ ବାରମ୍ବାର ଅଭିଯୋଗ ଆସିଥିଲା । ଯାହାକୁ ନେଇ ଜିଲ୍ଲାପାଳ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଏ ସମ୍ପର୍କରେ ପଚାରି ବୁଝିଥିଲେ । ସତ ଜାଣିବା ପରେ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ ସହ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗସ୍ତ ସମୟରେ ଜିଲ୍ଲାପାଳ ରୋଗୀମାନଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ଯାଞ୍ଚ କରିଥିଲେ । ଖାଦ୍ୟର ମାନ ଖରାପ ଥିବାରୁ ଏଥିରେ ସୁଧାର ଆଣିବାକୁ କହିଥିଲେ ଜିଲ୍ଲାପାଳ । ଏହାଛଡ଼ା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ପୂର୍ବରୁ ମଧ୍ୟ ସ୍ୱାସ୍ଥ୍ୟ ସେବାରେ ଅନିୟମିତତାକୁ ନେଇ ବାରମ୍ବାର ଅଭିଯୋଗ ହୋଇଛି । ହେଲେ ଜିଲ୍ଲାପାଳଙ୍କ ଅଚାନକ ଗସ୍ତକୁ ଗୁରୁତ୍ୱର ସହ ନେଇଛି ପ୍ରଶାସନ ।