ଶାହାଙ୍କ ସ୍ୱାଗତ ପାଇଁ ପ୍ରତିଯୋଗିତା । ଅପରାଜିତା ବନାମ ଅନ୍ୟ ନେତା 

224

କନକ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ, ବିଜେପି ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି । ତାଙ୍କ ସ୍ୱାଗତ ପାଇଁ ରାଜ୍ୟ ବିଜେପି ଭିତରେ ଦେଖିବାକୁ ମିଳିଛି ପ୍ରତିଯୋଗିତା । ବିମାନବନ୍ଦରକୁ ଦଳର ନେତାମାନେ ଅଲଗା ଯାଇଥିବାବେଳେ ଅପରାଜିତା ନିଜର ସମର୍ଥକମାନଙ୍କୁ ଧରି ଶାହାଙ୍କ ଆସିବା ବାଟକୁ ଅପେକ୍ଷା କରିଥିଲେ । କେବଳ ସେତିକି ନୁହେଁ ଶାହା ଯେତେବେଳେ ଲିଙ୍ଗରାଜଙ୍କ ଦର୍ଶନ କରି ଫେରୁଥିଲେ ସେ ସମୟରେ ମଧ୍ୟ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଭୁବନେଶ୍ୱରରେ ପହଁଚିବା ପୂର୍ବରୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ । ଯାହାକୁ ଦେଖିଲେ ଲାଗୁଥିଲା ଯେମିତି ଅମିତ ଶାହାଙ୍କ ସ୍ୱାଗତ ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ରାଜ୍ୟ ବିଜେପିର ଅନ୍ୟମାନଙ୍କ ମଧ୍ୟରେ ଚାଲିଥିଲା ପ୍ରତିଯୋଗିତା । ଦଳର ନେତାମାନେ ଅଲଗା ଯାଇଥିବାବେଳେ ଅପରାଜିତା ନିଜର ସମର୍ଥକମାନଙ୍କୁ ଧରି ଶାହାଙ୍କ ଆସିବା ବାଟକୁ ଅପେକ୍ଷା କରିଥିଲେ । ନିଜେ ପାରମ୍ପରିକ ନୃତ୍ୟ କରୁଥିବା ମହିଳାମାନଙ୍କ ସହ ନୃତ୍ୟ କରିଥିଲେ । କେବଳ ଏତିକି ନୁହେଁ ଶାହାଙ୍କ ସ୍ୱାଗତ ପାଇଁ ଅପରାଜିତା ସ୍ୱତନ୍ତ୍ର ପୋଷ୍ଟର, ପ୍ଲାକାର୍ଡ ବନାଇଥିଲେ । ଯେଉଁଥିରେ ଶାହା ଓ ଅପରାଜିତାଙ୍କ ଫଟୋ ରହିଥିଲା । ଆଉ ସେହି ପୋଷ୍ଟରକୁ ଦଳ ପକ୍ଷରୁ ଲଗାଯାଇଥିବା ପୋଷ୍ଟର ଆଗରେ ରଖି ଦେଇଥିଲେ ଅପରାଜିତାଙ୍କ ସମର୍ଥକ ।

ଶାହାଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପିର ନେତାମାନେ ଉତ୍ସାହିତ ଅଛନ୍ତି, ସେତିକିବେଳେ ଅପରାଜିତାଙ୍କ ଏଭଳି ଆଭିମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଅପରାଜିତା ଦଳୀୟ ନେତାଙ୍କ ସହ ନଯାଇ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ ।  ତେବେ ଶାହା ଯେତେବେଳେ ଲିଙ୍ଗରାଜଙ୍କ ଦର୍ଶନ କରି ଫେରୁଥିଲେ ସେ ସମୟରେ ମଧ୍ୟ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି  । ସାଂସଦଙ୍କ ସମର୍ଥକମାନେ ରାଜ୍ୟ ବିଜେପି ନେତାଙ୍କ ସହ ଠେଲାପେଲା ହୋଇଥିଲେ । ଯେଉଁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅନ୍ୟପଟେ ଶାହାଙ୍କ ଗସ୍ତ ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ଉପରେ ବିର୍ଷଛନ୍ତି ଅପରାଜିତା ଷଡଙ୍ଗୀ । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତ ସମୟରେ ରାଜ୍ୟ ସରକାର ପ୍ରୋଟୋକଲ ମାନିନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି  । ଅପରାଜିତା କହିଛନ୍ତି ଅମିତ ଶାହା ଓଡିଶା ଗସ୍ତରେ ଆସିଥିଲେ ମଧ୍ୟ ତାଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଆସିନଥିଲେ । ପୋଲିସ୍ ଡିଜି କିମ୍ବା ଗୃହ ସଚିବ କାହାକୁ ମଧ୍ୟ ଦେଖିବାକୁ ମିଳିନଥିଲା । ଯାହା ପ୍ରୋଟୋକଲର ବିରୋଧାଚରଣ କରୁଛି ।

ତେବେ ପୂର୍ବରୁ ଅନେକ ସମୟରେ ଦେଖାଯାଇଛି, ସାଂସଦ ଅପରାଜିତା ଷଡଙ୍ଗୀ ଏକଲା ଚଲୋ ନୀତିରେ ଚାଲିଥାନ୍ତିି । ରାଜ୍ୟ ବିଜେପିର କୌଣସି ନେତାଙ୍କୁ ସାଙ୍ଗରେ ନନେଇ ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇ ଆସିଛି ।