ବିହାରରେ ‘୨୦୧୫’ ସମୀକରଣର ପୁନରାବୃତ୍ତି? ପୁଣି ହେବ ମହାଗଠବନ୍ଧନ ସରକାର!

155

କନକ ବ୍ୟୁରୋ: ଏନଡିଏରୁ ମୁହଁ ମୋଡି ଆରଜେଡି ଏବଂ କଂଗ୍ରେସ ସହ ମିଶି ଜେଡିୟୁ ସରକାର କରିବ ବୋଲି ଚର୍ଚ୍ଚା ହେଉଛି । ଆଗାମୀ ଦୁଇ ଦିନରେ ବିହାର ସରକାରରେ ହେବ ନବକଳେବର । ଏହି ଚର୍ଚ୍ଚା ପରେ ଆରଜେଡି, ଜେଡିୟୁ ସମସ୍ତ ବିଧାୟକଙ୍କୁ ପାଟନାରେ ରହିବାକୁ ନିର୍ଦ୍ଦେଶ ଦେଇଛିି । ନୀତିଶଙ୍କ ଏକଦା ଅନୁଗତ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନ ରାମ ମାଞ୍ଝିଙ୍କୁ ମଧ୍ୟ ନୂଆ ସରକାରରେ ସାମିଲ ହେବେ ବୋଲି ଜଣାପଡିଛି । ତେଣୁ ୨୦୧୫ରେ ଯେଭଳି ଆରଜେଡି, କଂଗ୍ରେସ ସହ ମିଶି ଜେଡିୟୁ ମହାଗଠବନ୍ଧନ ସରକାର କରିଥିଲା । ସେହିପରି ପୁଣିଥରେ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ଆସନରେ ବସିବେ ବୋଲି ଚର୍ଚ୍ଚା ହେଉଛି ।

ଯଦି ଏପରି ସମୀକରଣ ବଦଳେ ତାହେଲେ ନୀତିଶ ପୁଣି ଥରେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ । ମାର୍ଚ୍ଚ ୩, ୨୦୦୦ରେ ଯଦିଓ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । ଏହାପରେ ନଭେମ୍ବର ୨୪, ୨୦୦୫ରୁ ୨୦ ମେ ୨୦୧୪ ଯାଏ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । ୨୦୧୪ରେ ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ମୁଖ୍ୟମନ୍ତ୍ରୀ ଆସନ ଛାଡି ଦେଇଥିଲେ ନୀତୀଶ କୁମାର । ଏହାପରେ ୨୦୧୫ ବିଧାନସଭା ନିର୍ବାଚନ ବେଳକୁ ନଜିର ଚିରାଚରିତ ବିରୋଧୀ ଆରଜେଡି ଏବଂ ଅନ୍ୟ ଦଳ ସହ ମିଶି ନିର୍ବାଚନ ଲଢିଥିଲେ । ଏବଂ ନୀତିଶ ମହାଗଠବନ୍ଧନ ସରକାର ଗଢିଥିଲେ । କିନ୍ତୁ କ୍ଷମତାକୁ ନେଇ ମନାନ୍ତର ପରେ ଆରଜେଡିଠୁ ଦୂରେଇ ଯାଇ ପୁଣି ବିଜେପି ସହ ମିଶି ସରକାର ଗଢିଥିଲେ । ପରେ ୨୦୨୦ ବିଧାନସଭା ନିର୍ବାଚନରେ ବିଜେପି ସହ ଜେଡିୟୁ ମିଶି ସରକାର ଗଢିଛି । ଯଦିଓ ଜେଡିୟୁର ବିଧାୟକଙ୍କ ସଂଖ୍ୟା କମ୍ ରହିଛି ହେଲେ ଏନଡିଏ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରିଥିଲା ।

ଏବେ ମଧ୍ୟ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଆସନରେ ବସିବେ । ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ଆସନରେ ବସିବା ସହିତ ଗୃହ ବିଭାଗକୁ ନିଜ ପାଖରେ ରଖିବେ । ଯାହାକି ଏବେ ନୀତିଶ ନିଜ ପାଖରେ ରଖିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ତେବେ ଆରଜେଡିର ଅନ୍ୟ ନେତା ମଧ୍ୟ ବଡ ବଡ ପଦବୀ ପାଇବେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏବେ ଏହି ପ୍ରସଙ୍ଗରେ କିଛି ବୟାନବାଜି ନକରି ନିରବ ରହିବାକୁ ଆରଜେଡି ନେତାଙ୍କୁ ନିର୍ଦ୍ଦେଶଦିଆଯାଇଥିବା କୁହାଯାଉଛି । କେବଳ ଏତିକି ନୁହେଁ ବିହାରର ସର୍ବାଧିକ ବିଧାୟକ ରଖିଥିବା ଦଳ ଆରଜେଡିକୁ ବାଚସ୍ପତି ପଦ ଦେବାକୁ ମଧ୍ୟ ନୀତୀଶ ଚିନ୍ତା କରୁଛନ୍ତି ବୋଲି କୁହାଯାଉଛି ।