ଶାହାଙ୍କ ଫୋକସରେ ଓଡ଼ିଶା । ପ୍ରଜାତନ୍ତ୍ରର ୭୫ତମ ସ୍ୱନକ୍ଷତ୍ର ଉତ୍ସବରେ ଯୋଗ ଦେଇ କହିଲେ ଓଡ଼ିଶା ପାଇଁ ଆସିଛି ଆଚ୍ଛା ଦିନ ।

66

କନକ ବ୍ୟୁରୋ: ଗୋଟିଏ ମଞ୍ଚରେ ଗୃହମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୂର୍ବରୁ ବୋଧହୁଏ ଏପରି ଦୃଶ୍ୟ କେବେ ବି ଦେଖିବାକୁ ମିଳିନଥିଲା । ହେଲେ ଆଜି ସେମିତି ଏକ ସ୍ଥାନ ଥିଲା କଟକର ଇନଡୋର ଷ୍ଟାଡିୟମ । ଆଉ ଅବସର ଥିଲା ଦୈନିକ ଖବରକାଗଜ ପ୍ରଜାତନ୍ତ୍ରର ସ୍ୱନକ୍ଷତ୍ର ଉତ୍ସବ । ଏଥିରେ ଯୋଗ ଦେଇଥିଲେ ଶାହା ଏବଂ ଜୟ ଜଗନ୍ନାଥରୁ ଆରମ୍ଭ କରିଥିଲେ ଅଭିଭାଷଣ ।

ତେବେ କେନ୍ଦ୍ରରେ ଏନଡିଏ ସରକାର ସମୟରେ କିପରି ଓଡ଼ିଶାର ପ୍ରତିନିଧିତ୍ୱ ବଢ଼ିଛି, ତାହା ବର୍ଣ୍ଣନା କରିଥିଲେ ଶାହା । ଗରିବ ପରିବାରରୁ ଆସି ଦ୍ରୌପଦୀ ମୁର୍ମୁ କିପରି ମହାମହିମ ଦ୍ରୌପଦୀ ମୁର୍ମୁ ହୋଇପାରିଲେ, ବଖାଣିଥିଲେ କେନ୍ଦ୍ର ଗୃହମନ୍ତ୍ରୀ । ୨୦୧୯ ନିର୍ବାଚନ ପୂର୍ବରୁ ଓଡ଼ିଶା ଗସ୍ତ ସମୟରେ ଅମିତ ଶାହାଙ୍କର ଯେପରି ଆକ୍ରାମକ ଅବତାର ଦେଖିବାକୁ ମିଳିଥିଲା, ଚଳିତ ଗସ୍ତରେ ସେପରି ଦେଖିବାକୁ ମିଳିନି । କିନ୍ତୁ ତାଙ୍କ ଅଭିଭାଷଣରୁ ଜଣାପଡୁଥିଲା, ଶାହାଙ୍କ ଫୋକସରେ ରହିଛି ଓଡ଼ିଶା ।

ଅନ୍ୟପଟେ ପ୍ରଜାତନ୍ତ୍ର ସ୍ୱନକ୍ଷତ୍ର ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ବିନା ଭୟ ଓ ଅନୁଗ୍ରହରେ କାମ କରୁ ଗଣମାଧ୍ୟମ । ଓଡ଼ିଶାକୁ ଅଗ୍ରଣୀ ଅଞ୍ଚଳ କରିବା ପାଇଁ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ରାଜ୍ୟରେ ବିଜେପି ହେଉଛି ଶାସକ ଦଳର ପ୍ରମୁଖ ପ୍ରତିଦ୍ୱନ୍ଦୀ । ଅମିତ ଶାହା ସ୍ୱାଭାବିକ ଭାବେ ଜଣେ ଆକ୍ରମକ ନେତା ଭାବେ ଜଣାଶୁଣା ହୋଇଥିଲେ ବି ତାଙ୍କ ଭାଷଣରେ ସେପରି କିଛି ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇନଥିଲେ । ଅବଶ୍ୟ ପ୍ରଜାତନ୍ତ୍ରର ସ୍ୱନକ୍ଷତ୍ର ଉତ୍ସବ ଏକ ଭିନ୍ନ ମଞ୍ଚ ଥିଲା । ତେବେ ଦୁଇ ଦଳର ଶତାଧିକ ସମର୍ଥକ ଉତ୍ସବରେ ଉପସ୍ଥିତ ରହି ଶକ୍ତି ପ୍ରଦର୍ଶନ କରିଥିଲେ ।