ବଢୁଛି ପୁଲିସ ବାବୁଙ୍କ ପେଟ, ଚିନ୍ତାରେ କମିଶନରେଟ୍ ପୋଲିସ । ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି । ଶାରୀରିକ, ମାନସିକ ସୁସ୍ଥତା ଏବଂ ଫିଟନେସ୍ ଉପରେ ଗୁରୁତ୍ୱ

220

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କୁ ଏଏସଆଇ ଗୋପାଳ କୃଷ୍ଣ ଦାସ ଗୁଳି କରି ହତ୍ୟା କରିବା ପରେ, କମିଶନରେଟ୍ ପୋଲିସକୁ ଘାରିଛି କର୍ମଚାରୀଙ୍କ ଫିଟନେସ୍ ଚିନ୍ତା । ପୋଲିସ କର୍ମଚାରୀମାନେ ବିଭିନ୍ନ ପ୍ରକାରର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ହେଉଥିବାରୁ ସେମାନେ କେମିତି ଫିଟ୍ ରହିବେ ସେଥିପାଇଁ କମିଶନରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

  • ପୁଲିସକୁ ଫିଟନେସ୍ ଚିନ୍ତା
  • ନିୟମିତ ବ୍ୟାୟାମ କରିବାକୁ ପରାମର୍ଶ

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପରେ, ଭୁବନେଶ୍ୱର କମିଶନରେଟ୍ ପୁଲିସ ପକ୍ଷରୁ କର୍ମଚାରୀଙ୍କ ପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି । ଫିଟ୍ ରହିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଭୁବନେଶ୍ୱର କମିଶନରେଟ୍ ପୋଲିସ୍ ପକ୍ଷରୁ ଜାରି କରାଯାଇଛି ଗୋଟିଏ ନିର୍ଦ୍ଦେଶନାମା । ଭୁବନେଶ୍ୱର ଡିସିପି ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ନିର୍ଦ୍ଦେଶନାମାରେ କୁହାଯାଇଛି ..

  • ନିୟମିତ ଭାବେ ପ୍ରତିଦିନ ସକାଳ ୬ଟା ଓ ଅପରାହ୍ଣ ୪ଟାରେ ଫିଜିକାଲ ଟ୍ରେନିଂରେ ଯୋଗ ଦିଅନ୍ତୁ
  • ଡ୍ୟୁଟିର ସୁବିଧା ଅନୁସାରେ ନିଜ କ୍ୟାମ୍ପସ ସଫେଇ କାର୍ଯ୍ୟରେ ସାମିଲ ହୁଅନ୍ତୁୁ
  • ପ୍ରତ୍ୟକ ଦିନ ପୁଲିସ କର୍ମଚାରୀଙ୍କ ଉପସ୍ଥାନ ନିଆଯିବ
  • ମାସିକ ଉପସ୍ଥାନ ହାରାହାରି ୮୦ ପ୍ରତିଶତରୁ କମ ନହେବା ଆବଶ୍ୟକ
  • ଓଜନ ଟାର୍ଗେଟ ଦିଆଯିବ ଓ ନିୟମିତ ତଦାରଖ କରାଯିବ
  • ଶରୀରର ଓଜନ ପ୍ରତି ୨ସପ୍ତାହରେ ରେକର୍ଡ କରାଯିବ
  • ଖିଲାପ କଲେ ଅର୍ଡଲୀ ରୁମ ଦାୟିତ୍ୱ ଦିଆଯିବ
  • ତମାଖୁ ଓ ମାଦକ ଦ୍ରବ୍ୟ ସେବନରୁ ଦୂରେଇ ରହିବାକୁ ଗୁରୁତ୍ୱ ଦିଅନ୍ତୁ
  • ୟୁନିଫର୍ମରେ ସ୍ମାର୍ଟ ଦେଖାଯିବ ଓ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ପ୍ରାଧାନ୍ୟ ଦିଅନ୍ତୁ

ଏହି ନିର୍ଦ୍ଦେଶନାମା ଭୁବନେଶ୍ୱର ସହରାଞ୍ଚଳ ପୋଲିସ, ଯେଉଁମାନେ ଏପିଆର, ଡିପିଓ, କମିସନରେଟ୍ ପୋଲିସ ମୁଖ୍ୟାଳୟ, ଟିମ୍ ୬୦, ଓଏସଏପି ମୋବିଲାଇଜ୍ଡ ଫୋର୍ସ ସହ ଜଡିତ ସେମାନଙ୍କ ପାଇଁ ଲାଗୁ ହେବ ।

କମିଶନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି ଆଇନଶୃଙ୍ଖଳା ରକ୍ଷା ଦାୟିତ୍ୱରେ ରହୁଥିବା କର୍ମଚାରୀମାନେ, ଉଭୟ ଶାରୀରିକ ଓ ମାନସିକ ଭାବେ ଫିଟ୍ ରହିବା ଆବଶ୍ୟକ । କିନ୍ତୁ ବହୁ କର୍ମଚାରୀ ଚାପ ଗ୍ରସ୍ତ ରହୁଥିବାରୁ ସେମାନେ ମାନସିକ ଓ ଶାରୀରିକ ଭାବେ ଅସୁସ୍ଥ ହୋଇପଡୁଛନ୍ତି । ତେଣୁ ସେମାନଙ୍କୁ ଫିଟ୍ ରହିବା ପାଇଁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ଏହି ନିର୍ଦ୍ଦେଶକୁ ପୁଲିସ କର୍ମଚାରୀ କେତେ ପାଳନ କରୁଛନ୍ତି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।