ଭୁବନେଶ୍ୱର ଆଇବିଏମର ନୂତନ କ୍ଲାଏଣ୍ଟ ଇନୋଭେସନ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ , ସେଣ୍ଟରରେ ରହିବ ୫୦୦ କର୍ମଚାରୀଙ୍କ ପାଇଁ କ୍ଷମତା

88

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ଚନ୍ଦକା ଶିଳ୍ପାଞ୍ଚଳରେ ଥିବା ଆଇବିଏମର କ୍ଲାଏଣ୍ଟ ଇନୋଭେସନ ସେଣ୍ଟରର ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି କି ଏହି ନୂତନ କେନ୍ଦ୍ର ଓଡିଶାକୁ ଭାରତର ଏକ ପ୍ରଯୁକ୍ତି ସମ୍ବଳ କେନ୍ଦ୍ର ଭାବେ ଅବସ୍ଥାପିତ କରିବ ।

ଏହି ନୂତନ କ୍ଲାଏଣ୍ଟ ଇନୋଭେସନ ସେଣ୍ଟରରେ ୫୦୦ କର୍ମଚାରୀଙ୍କ ପାଇଁ କ୍ଷମତା ରହିବ । କାରଣ କମ୍ପାନୀ ତରଫରୁ ଭାରତ ବାହାରେ ବିଶ୍ୱ ଗ୍ରାହକଙ୍କ ସେବାକୁ ବିସ୍ତାର କରିବାକୁ ଚେଷ୍ଟା କରୁଛି । ଏହା ବିଦ୍ୟମାନ କର୍ମଚାରୀଙ୍କ ପାଇଁ ସୁଯୋଗ ସୃ୍ଷ୍ଟି କରିବା ସହିତ କମ୍ପାନୀକୁ ଓଡିଶାର ବୈଷୟିକ ଶିକ୍ଷାଗତ ଇକୋସିଷ୍ଟମରୁ ସ୍ନାତକ ନିଯୁକ୍ତି ସମେତ ସାମ୍ଭାବ୍ୟ ପ୍ରତିଭାଙ୍କୁ ଉପଯୋଗ କରିବାରେ ସକ୍ଷମ ହୋଇପାରିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ବର୍ଷ ବର୍ଷ ଧରି ପୁନର୍ଜୀବିତ ଓଡିଶା ଅନେକ କ୍ଷେତ୍ରରେ ସଫଳତାର କାହାଣୀ ରଚନା କରିଛି । ନୂତନ ଚିନ୍ତାଧାରା, ନବସୃଜନ ଏବଂ ଉଦ୍ୟୋଗୀତା ଗ୍ରହଣ କରି ନୂତନ ଓଡିଶା ପ୍ରତି ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରି ଆଗକୁ ବଢୁଛି । ଏବେ ଓଡିଶା ଦେଶର ଏକ ଟେକ୍ନୋଲୋଜୀ ଉତ୍ସ କେନ୍ଦ୍ର ଭାବେ ଉଭା ହୋଇଥିବା କଥା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହାସହ ଭୁବନେଶ୍ୱରରେ ଉପଲବ୍ଧ ପରିସର ଉପରେ ଆଲାକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ କି ଅଧିକାଂଶ ଆଇଟି କମ୍ପାନୀ ଏବେ ଭୁବନେଶ୍ୱରରେ ପାଦ ରଖିଛନ୍ତି । ଏଠାରେ ଉପଲବ୍ଧ ସକ୍ଷମ ପରିବେଶ, ସୁବିଧା ସେବା ଏବଂ ବିଶାଳ ପ୍ରତିଭା ପୁଲ ଓଡିଶାକୁ ପସନ୍ଦର ଗନ୍ତବ୍ୟସ୍ଥଳରେ ପରିଣତ କରିଛି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତ ବେହେରା, ବିଭାଗୀୟ ସଚିବ ମନୋଜ କୁମାର ମିଶ୍ର ଯୋଗ ଦେଇଥିଲେ ।