ଟି-୨୦ ବିଶ୍ୱକପ୍ ପାଇଁ ଭାଷ୍ୟକାର ପ୍ୟାନେଲରେ ୩ ଭାରତୀୟ । ଜାଣନ୍ତୁ ଆଉ କାହାକୁ ତାଲିକାରେ ମିଳିଲା ସ୍ଥାନ ।

505

କନକ ବ୍ୟୁରୋ : ଆରମ୍ଭ ହୋଇଛି ଟି-୨୦ ମହାକୁମ୍ଭ । ରାଉଣ୍ଡ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଏସିଆ କପ୍ ଚାମ୍ପିୟନ ଶ୍ରୀଲଙ୍କାକୁ ମାତ୍ ଦେଇଛି ନାମ୍ବିଆ । ସେହିଭଳି ଟି-୨୦ ବିଶ୍ୱକପ ପାଇଁ ଆଜି ଆଇସିସି ପକ୍ଷରୁ ଭାଷ୍ୟକାର ପ୍ୟାନେଲ ଘୋଷଣା କରାଯାଇଛି । ଏହି ଟି-୨୦ ବିଶ୍ୱକପ ପାଇଁ ୨୯ ଜଣିଆ ଭାଷ୍ୟକାର ତାଲିକା ଘୋଷଣା ହୋଇଥିବା ବେଳେ ଭାରତରୁ ୩ ଜଣଙ୍କୁ ସ୍ଥାନ ମିଳିଛି । ଭାରତର ହର୍ଷ ଭୋଗଲେ, ସୁନୀଲ ଗାଭାସ୍କର ଓ ରବି ଶାସ୍ତ୍ରୀଙ୍କୁ ଟି-୨୦ ବିଶ୍ୱକପରେ ଭାଷ୍ୟକାର ଭୂମିକାରେ ଦେଖିବାକୁ ମିଳିବ । ସେହିଭଳି ଏହି ତାଲିକାରେ ସଦ୍ୟ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଇଆନ ମୋର୍ଗାନ, ଡେଲ ଷ୍ଟେନ, ନିଲ ଓ ବ୍ରାଏନଙ୍କୁ ଦେଖିବାକୁ ମିଳିବ । ସେହିଭଳି ଅନ୍ୟ ଖେଳାଳୀଙ୍କ ମଧ୍ୟରେ ଇଆନ ବିଶପ, ଆଡାମ ଗିଲକ୍ରିଷ୍ଟ, ଇସା ଗୁହା, ରସେଲ ଆର୍ନୋଲଡ, ବାର୍ଥୱେଟ୍, ସାମୁଏଲ ବଦ୍ରି, ମାଇକେଲ କ୍ଲାର୍କ, ସନ ପୋଲକ, ସେନ ୱାଟସନ, ଡାର୍କ ନାନିଜ, ନାସିର ହୁସେନ ରହିଛନ୍ତି ।

ଟି-୨୦ ବିଶ୍ୱକପର ଏହା ୮ମ ସଂସ୍କରଣ ହୋଇଥିବା ବେଳେ ଆସନ୍ତା ଅକ୍ଟୋବର ୧୩ରେ ମେଲବୋର୍ଣ୍ଣରେ ଫାଇନାଲ ମୁକାବିଲା ଖେଳାଯିବ । ଚଳିତଥର ଟି-୨୦ ବିଶ୍ୱକପର ପ୍ରସାରଣ ୨୨ଟି ଦେଶରେ ହେଉଛି । ଯାହା ଏକ ବଡ ରେକର୍ଡ । ଭାରତ ସମେତ ନେପାଳ, ଭୂଟାନ, ଶ୍ରୀଲଙ୍କା ଓ ମାଲଦ୍ୱୀପରେ ଷ୍ଟାର ନେଟୱର୍କ ବିଶ୍ୱକପର ଲାଇଭ ମ୍ୟାଚର ପ୍ରସାରଣ କରିବ । ସେହିଭଳି ପିଟିବି ଓ ଏଆରୱାଇ ନେଟୱର୍କ ପାକିସ୍ତାନରେ ବିଶ୍ୱକପର ପ୍ରସାରଣ କରିବ । ୟୁକେରେ ସ୍କାଇ ସ୍ପୋର୍ଟ୍ସ, ବାଂଲାଦେଶରେ ଗାଜି ଟିଭି, ଅଷ୍ଟ୍ରେଲିଆରେ ଫକ୍ସ ସ୍ପୋର୍ଟ୍ସ ଖେଳର ସିଧା ପ୍ରସାରଣ କରିବ । ଆସନ୍ତା ଅକ୍ଟୋବର ୨୩ରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ ଟି-୨୦ ବିଶ୍ୱକପର ହାଇଭୋଲଟେଜ ମୁକାବିଲା ।