ଦିଲ୍ଲୀରେ ବଦଳିଲା ମାଗଣା ବିଜୁଳି ବଣ୍ଟନ ନିୟମ । ଏବେ ଜାଣନ୍ତୁ କାହାକୁ ମିଳିବ ଏହି ସୁବିଧା

342

କନକ ବ୍ୟୁରୋ : ଦିଲ୍ଲୀରେ ମାଗଣା ବିଜୁଳିକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ ଘୋଷଣା କରିଛନ୍ତି । କେଜ୍ରିୱାଲଙ୍କ ଘୋଷଣା ମୁତାବକ ଏବେ ଦିଲ୍ଲୀରେ ଯାହାକୁ ମାଗଣା ବିଜୁଳି ଦରକାର ତାଙ୍କୁ ଆବେଦନ କରିବାକୁ ପଡିବ । ଏନେଇ ଆଜିଠାରୁ ଆବେଦନ ଆରମ୍ଭ ହେବ ବୋଲି କୁହାଯାଇଛି । ଏନେଇ କେଜ୍ରିୱାଲ କହିଛନ୍ତି କି କିଛି ଲୋକ ମାଗଣା ବିଜୁଳି ନେବାକୁ ମନା କରିଛନ୍ତି । ତେଣୁ ସରକାରଙ୍କ ନିଷ୍ପତ୍ତି ମୁତାବକ ଯେଉଁ ଉପଭୋକ୍ତାମାନେ ମାଗଣା ବିଜୁଳି ନେବାକୁ ଚାହୁଁଛନ୍ତି ସେମାନଙ୍କୁ ଆବେଦନ କରିବାକୁ ପଡିବ ।

ସେପଟେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି କି, ପ୍ରଥମେ ଦିଲ୍ଲୀରେ ବହୁତ ବିଜୁଳି ଖର୍ଚ୍ଚ ହେଉଥିଲା । ଏହାକୁ ଠିକ କରାଯାଇ ଏବେ ଲୋକଙ୍କୁ ୨୪ ଘଂଟିଆ ବିଜୁଳି ସେବା ଯୋଗାଇ ଦିଆଯାଉଛି । ଦିଲ୍ଲୀରେ ୫୮ ଲକ୍ଷ ବିଜୁଳି ଉପଭୋକ୍ତାଙ୍କ ମଧ୍ୟରୁ ୩୦ ଲକ୍ଷ ଉପଭୋକ୍ତାଙ୍କ ବିଜୁଳି ବିଲ୍ ଶୂନ ଆସୁଥିବା କଥା ସେ କହିଛନ୍ତି । ଏହାସହ ୧୭ ଲକ୍ଷ ଉପଭୋକ୍ତା ଅଧା ବିଲ ଦେଉଛନ୍ତି ।

ଅନ୍ୟପଟେ ଗୋଆରେ ଆଜି ୮ ଜଣ କଂଗ୍ରେସ ବିଧାୟକ ବିଜେପିରେ ଯୋଗଦେବା ଘଟଣା ଉପରେ କେଜ୍ରିୱାଲ ବିଜେପି ଉପରେ ବର୍ଷିଛନ୍ତି । ସେ କହିଛନ୍ତି କି ବିଜେପିର କେନ୍ଦ୍ରିୟ ନେତାମାନେ ରାଜ୍ୟରୁ ରାଜ୍ୟକୁ ବୁଲି ବିଧାୟକ କିଣୁଛନ୍ତି । ବିଧାୟକ କିଣିବା ପାଇଁ ଟଙ୍କା କେଉଁଠୁ ଆସୁଛି ବୋଲି ସେ ବିଜେପିକୁ ପ୍ରଶ୍ନ କରିଛନ୍ତି ।