ଲୁଟେରାଙ୍କୁ ନାହିଁ ପୋଲିସ ଭୟ! ବେଧଡକ ଲୁଟ କରି ଖସିଯାଉଛନ୍ତି

79

କନକ ବ୍ୟୁରୋ: ଦିନକ ତଳେ ରାଜଧାନୀରେ ଆତଙ୍କ ଖେଳାଇଥିବା ୯ ଜଣ ଲୁଟେରାଙ୍କୁ ବାନ୍ଧିଥିଲା କମିସନରେଟ ପୋଲିସ । କ୍ୟାମେରା ଆଗରେ ଲୁଟେରାଙ୍କ ପରେଡ କରାଇ ବାଃ ବାଃ ଲୁଟିଥିଲେ ପୋଲିସ ବାବୁ । ହେଲେ ୨୪ ଘଂଟା ନପୁରୁଣୁ ରାଜଧାନୀରେ ପୁଣି ଲୁଟପାଟ ଘଟଣା ପୋଲିସର ନିଦ ହଜାଇ ଦେଇଛନ୍ତି ।

ପୋଲିସ ଡାଳେ ଡାଳେ ଗଲେ, ଲୁଟେରା ପତ୍ରେ ପତ୍ରେ ଯାଉଛନ୍ତି । ରାଜଧାନୀରେ ଝରକା ତଡା ଗ୍ୟାଙ୍ଗର କାରନାମା ଦେଖିଲେ ଏହା ସ୍ପଷ୍ଟ ବୁଝି ହେଉଛି । ଭୁବନେଶ୍ୱର ମଂଚେଶ୍ୱର ଥାନା ଅଧିନ ପଳାଶୁଣି ଅଂଚଳର ପ୍ରାଚୀ ବିହାରରୁ ବଡ ଧରଣର ଲୁଟ ହୋଇଛି । ଘର ଝରକା ଭାଙ୍ଗି କଳାକନା ବୁଲାଇଛନ୍ତି ଲୁଟେରା ।

ଘରେ କେହିନଥିବା ବେଳେ ଝରକା ଭାଙ୍ଗି ଘରେ ପଶିଲେ ଲୁଟେରା । ଆଉ ଘର ବେଡରୁମରେ ପଶି ଲକର ଭାଙ୍ଗି, ୧୭ ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ଦେଢ ଲକ୍ଷ ଟଙ୍କା ନେଇ ଛୁ ମାରିଛନ୍ତି । ଘରେ ଥିବା ସିନ୍ଧୁକରୁ ମଧ୍ୟ ମୁଲ୍ୟବାନ ସାମଗ୍ରୀ ଲୁଟିନେଇଛନ୍ତି ଲୁଟେରା । ପ୍ରାୟ ୫ ଦିନ ହେଲା ଘରର ମାଲିକ ବାହାରେ ରହିଥିଲେ । ଆଉ ଏହାର ସୁଯୋଗ ନେଇ ଲୁଟେରା ଝରକା ଭାଙ୍ଗି ଘରେ ପଶି କଳାକନା ବୁଲାଇ ଦେଇଛନ୍ତି ।

ରାଜଧାନୀରେ ଲଗାତାର ଅପାର୍ଟମେଂଟରୁ ଲୁଟ ଘଟଣା ବଢିଚାଲିଛି । କିନ୍ତୁ ଅପରାଧୀ ଧରାପଡୁ ନାହାନ୍ତି । ଫଳରେ ରାଜଧାନୀରେ ଘର ତାଲା ଦେଇ ଅନ୍ୟଆଡେ ଯିବାରୁ ରାଜଧାନୀବାସିନ୍ଦା ସୁରକ୍ଷିତ ମଣୁ ନାହାନ୍ତି । ୯ ଜଣ ଆପାର୍ଟମେଂଟ ଲୁଟେରା ଗିରଫର ଦିନଟିଏ ନ ହେଉଣୁ ପୁଣି ଲୁଟ ଘଟଣା ପ୍ରମାଣିତ କରୁଛି ପୋଲିସକୁ ଭୟ କରୁନାହାନ୍ତି ଲୁଟେରା ।

କିଛି ଦିନ ତଳେ ପୋଲିସ କମିସନର ଲୁଟେରାଙ୍କୁ ଧରିବାକୁ ରାଜଧାନୀର ସମସ୍ତ ଥାନା ଅଧିକାରୀଙ୍କୁ ଡାକି ବୈଠକ କଲେ, ସିସିଟିଭି ଫୁଟେଜ ଯାଂଚ କରି ତୁରନ୍ତ ଅପରାଧୀଙ୍କୁ ଧରିବାକୁ ତାଗିଦ କରିଥିଲେ । କିନ୍ତୁ ତାହାର ଫଳାଫଳା ପ୍ରାଚୀବିହାର ଲୁଟ ଘଟଣାରୁ ଜଣାପଡିଛି । ରାଜଧାନୀରେ ଲଗାତାର ଲୁଟ ଘଟଣା ପଛର କାରଣକୁ ନେଇ ସାଧାରଣରେ ଚର୍ଚ୍ଚା
ନାଇଟ୍ ପାଟ୍ରୋଲିଂ କଡାକଡି ହେଉନାହିଁ !
ନିଛାଟିଆ ଅଂଚଳ ଉପରେ କାହିଁକି ନଜର ରଖୁନି ପୋଲିସ?
ଲୁଟ ପରେ ଲୁଟେରାଙ୍କ ଟେର କେମିତି ପାଇପାରୁନି କମିସନରେଟ ପୋଲିସ?
ବାହାର ରାଜ୍ୟର ଲୁଟେରାଙ୍କ ସଂପୃକ୍ତି ଅଭିଯୋଗ କାହିଁକି ନିଆଯାଉ ନାହିଁ କଡା କାର୍ଯ୍ୟାନୁଷ୍ଠାନ?