ସୋନିଆଙ୍କ ସମର୍ଥନରେ ଦିଲ୍ଲୀଠୁ ପଲ୍ଲୀ ଯାଏଁ କଂଗ୍ରେସର ବିକ୍ଷୋଭ: ରାସ୍ତା ଉପରେ ବସି ମୋଦି ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ

78

କନକ ବ୍ୟୁରୋ: ପୁଣି କଂଗ୍ରେସର ପ୍ରତିବାଦରେ କମ୍ପିଲା ରାଜଧାନୀ ଦିଲ୍ଲୀ । ପ୍ରବର୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟଠୁ ନେଇ ସଂସଦଭବନ । ଶହ ଶହ କଂଗ୍ରେସ ନେତା, କର୍ମୀ ଓ ସମର୍ଥକ ଇଡି ବିରୋଧରେ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଛନ୍ତି । ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜେରା କରୁଛି ଇଡି । ଏହାକୁ ଜୋରଦାର ବିରୋଧ କରୁଛି କଂଗ୍ରେସ । କେଉଁଠି ପୋଡାଜଳା ତ ପୁଣି କେଉଁଠି ପୁଲିସ ସହ ମୁହାଁମୁହିଁ । କିଛି ସ୍ଥାନରେ ଯୁବ ଓ ମହିଳା କଂଗ୍ରେସ ୱିଙ୍ଗସ ବିଶାଳ ରାଲି ବିକ୍ଷୋଭ କରିଥିବା ଦେଖିବାକୁ ମିଳିଛି । ଧାରଣାରେ ସାମିଲ ହୋଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି ଦେଶର ବେକାରୀ, ଦରଦାମ ବୃଦ୍ଧି, ଜିଏସଟି ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉପରୁ ଦେଶବାସୀଙ୍କ ଧ୍ୟାନ ହଟାଇବା ପାଇଁ ବିରୋଧୀଙ୍କ ଉପରେ ଜୋରର ଚାବୁକ ମାଡ କରୁଛନ୍ତି ସରକାର ।

ମଙ୍ଗଳବାର ସକାଳୁ ସଂସଦ ଭବନଠୁ ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରତିବାଦ କରି କଂଗ୍ରେସର ବରିଷ୍ଠ ନେତା ବସ ଯୋଗେ ଆସୁଥିବାବେଳେ ପ୍ରଥମେ ସେମାନଙ୍କୁ ହେପାଜତକୁ ନେଇ ପୁଲିସ ପରେ ଛାଡି ଦେଇଛି । ସଂସଦ ଭବନ ପରିସରରେ ଥିବା ଗାନ୍ଧୀ ମୂର୍ତି ତଳେ ଛିଡା ହୋଇ ସାଂସଦମାନେ ବିଜେପି ସରକାରଙ୍କ ବିରୋଧରେ ନାରାବାଜୀ କରିବା ସହ ଏହା ସୋନିଆଙ୍କ ବିରୋଧରେ ଏକ ଷଡଯନ୍ତ୍ର ବୋଲି କଂଗ୍ରେସ କହିଛି ।

ଇଡିରେ ସୋନିଆ ହାଜର ହେବାକୁ ନେଇ ସାରା ଦେଶରେ କଂଗ୍ରେସ ପକ୍ଷରୁ ହୋଇଛି ବିରୋଧ ପ୍ରଦର୍ଶନ । ରାଜଧାନୀ ଦିଲ୍ଲୀରେ କଂଗ୍ରେସ ର୍ୟାଲି ପାଇଁ ଅନୁମତି ମିଳି ନଥିବାରୁ ଦେଖିବାକୁ ମିଳିଛି ଜବରଦସ୍ତ ହଙ୍ଗାମା । ଇଡି କାର୍ଯ୍ୟାଳୟ ସମ୍ମୁଖରେ ଶକ୍ତି ପ୍ରଦର୍ଶନ କରିଛନ୍ତି କଂଗ୍ରେସ କର୍ମୀ । ଶହ ଶହ ସଂଖ୍ୟାରେ କଂଗ୍ରେସ କର୍ମୀ ରାସ୍ତାକୁ ଓହ୍ଲାଇ କରିଛନ୍ତି ବିରୋଧ । କଂଗ୍ରେସ ଶାସିତ ରାଜ୍ୟର ବରିଷ୍ଠନେତାମାନେ ଦିଲ୍ଲୀରେ ପହଁଚି ଇଡି ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ସ୍ଥିତିକୁ ଦେଖି କଂଗ୍ରେସ ଓ ଇଡି ମୁଖ୍ୟାଳୟ ସାମ୍ନାରେ ଲାଗିଛି୧୪୪ ଧାରା । କଂଗ୍ରେସ କହିଛି ବିରୋଧୀଙ୍କ ମୁହଁ ଚୁପ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଇଡିର ଅପବ୍ୟହାର କରୁଛି । ସେପଟେ ବିଜେପି କହିଛି ଦୁର୍ନୀତି ହୋଇଛି ଏହାର ଯାଂଚ ହେବା ଜରୁରୀ ।

ନ୍ୟାସନାଲ ହେରାଲ୍ଡ ସମ୍ପତି ହେରଫେର ମାମଲାରେ ସୋନିଆଙ୍କୁ ଇଡି ଜୁଲାଇ ୨୧ ତାରିଖରେ ସମନ ପଠାଇ ଜେରା କରିଥିଲା । ସେହି ସମୟରେ ମଧ୍ୟ କଂଗ୍ରେସ ସମାନ ଧରଣର ପ୍ରଦର୍ଶନ କରି ଏହାକୁ ବିରୋଧ ଜୋରଦାର ବିରୋଧ କରିଥିଲା । ତିନି ତିନି ଥର ଇଡି ସମନ ପଠାଇଥିଲେ ମଧ୍ୟ ଅସୁସ୍ଥତା କାରଣ ଦର୍ଶାଇ ସୋନିଆ ଜେରା ପାଇଁ ହାଜର ହୋଇନଥିଲେ ।