ଚୀନରେ ଅଣାୟତ କରୋନା ସ୍ଥିତି : ଝେଜିଆଙ୍ଗରେ ଦୈନିକ ସଂକ୍ରମଣ ୧୦ ଲକ୍ଷ; ରାସ୍ତାଘାଟ ଖାଁ ଖାଁ, ଘରୁ ବାହାରୁ ନାହାନ୍ତି ଲୋକେ

153

କନକ ବ୍ୟୁରୋ : ଚୀନରେ କରୋନାର ତାଣ୍ଡବ ଥମିବାର ନାଁ ନେଉନାହିଁ । ବିଶେଷକରି ଚୀନର ଝେଜିଆଙ୍ଗରେ କରୋନା ସଂକ୍ରମଣ ଅଣାୟତ ହୋଇପଡ଼ିଛି । ଏଠାରେ ଦୈନିକ ୧୦ଲକ୍ଷ ମାମଲା ସାମ୍ନାକୁ ଆସୁଛି । ଆଗକୁ ମଧ୍ୟ ସଂକ୍ରମଣ ସଂଖ୍ୟା ଦୁଇଗୁଣା ଅର୍ଥାତ ୨୦ଲକ୍ଷରେ ପହଞ୍ଚିବ ବୋଲି ଜଣାପଡ଼ୀଛି । ଆଶ୍ଚର୍ଯ୍ୟକର କଥା ହେଉଛି, ଝେଜିଆଙ୍ଗରେ ଲକ୍ଷାଧିକ ମାମଲା ଚିହ୍ନଟ ସତ୍ୱେ କରୋନାଜନିତ ମୃତ୍ୟୁ ସଂଖ୍ୟା ରେକର୍ଡ କରାଯାଇ ନାହିଁ ।

ଯାହାକୁ ନେଇ ଲୋକଙ୍କ ମନରେ ଭୟ ବଢ଼ିବାରେ ଲାଗିଛି । ଝେଜିଆଙ୍ଗରେ ସଂକ୍ରମଣ ଏତେ ମାତ୍ରାରେ ବୃଦ୍ଧି ପାଇବା ପରେ ରାସ୍ତାଘାଟ ଖାଁ ଖାଁ ହୋଇପଡ଼ିଛି । ଲୋକେ ମଧ୍ୟ ଘରୁ ବାହାରୁନାହାନ୍ତି । ଚାଇନିଜ୍ ସେଣ୍ଟର ଫର ଡିଜିଜ୍ ଆଣ୍ଡ ପ୍ରିଭେନସନ୍ ସୂଚନା ଦେଇଛି ଯେ ଦେଶରେ କରୋନା ସଂକ୍ରମଣ ମାମଲା ନୂଆ ରେକର୍ଡ ଛୁଇଁଛି । ହେଲେ ଦେଶରେ ଗତ ପାଞ୍ଚ ଦିନ ଧରି କୌଣସି କରୋନାଜନିତ ମୃତ୍ୟୁ ହୋଇନାହିଁ । ଅନ୍ୟପଟେ ସ୍ଥାନୀୟ ଲୋକେ ଓ ବିଶେଷଜ୍ଞ ସଠିକ୍ ରିପୋର୍ଟ ଦେବାକୁ ଦାବି କରିଛନ୍ତି ।

ଯେହେତୁ ବେଜିଂରେ ଜିରୋ କୋଭିଡ୍ ନୀତି ଲାଗୁ କରାଯାଇଥିଲା, ସେଥିପାଇଁ ଲକ୍ଷାଧିକ ଲୋକେ ଲକଡାଉନରେ ଘରେ ରହିଥିଲେ । ଆଉ ଏହାର ପ୍ରଭାବ ସିଧାସଳଖ ଦେଶର ଅର୍ଥନୀତି ଉପରେ ପଡ଼ିଥିଲା । କିନ୍ତୁ ନିକଟରେ ଚୀନରେ ନିୟମ କୋହଳ ହୋଇଥିଲା । ଯେଉଁ କାରଣରୁ କରୋନା ସଂକ୍ରମଣ ହଠାତ୍ ବଢ଼ିଯାଇଛି । ଆଉ ଏହା ସରକାରଙ୍କୁ ମଧ୍ୟ ଚିନ୍ତାରେ ପକାଇ ଦେଇଛି । ଜାନୁଆରୀରେ ଚୀନରେ କରୋନା ପିକ୍ ଛୁଇଁବ ବୋଲି ସୂଚନା ମିଳିଛି ।