ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଜିରୋ କାଜୁଏଲଟି ଉପରେ ଗୁରୁତ୍ୱ । ୮ ପଏଣ୍ଟ ଉପରେ ଫୋକସ୍ 

109

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟା ସ୍ଥିତିର ସମୀକ୍ଷା କରି ଯେମିତି ଗୋଟିଏ ବି ଜୀବନ ହାନି ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି । ୮ଟି ପଏଣ୍ଟ ଉପରେ ମୁଖ୍ୟମନ୍ତ୍ରୀ ଫୋକସ୍ କରିଛନ୍ତି । ବନ୍ୟା ପ୍ରଭାବିତ ୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିପଦସଙ୍କୁଳ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରାଥମିକତା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ସରକାରୀ କର୍ମଚାରୀଙ୍କ ଛୁଟି ୭ ଦିନ ପାଇଁ ବାତିଲ କରାଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍କୁଲ ଗୁଡିକୁ ମଧ୍ୟ ଛୁଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବନ୍ୟା ସ୍ଥିତି ସମୀକ୍ଷା ବେଳେ ଜିରୋ କାଜୁଆଲଟି ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।  ତେଣୁ ବନ୍ୟା ବେଳେ ଯେଭଳି ଜୀବନ ହାନି ନ ହୁଏ ଓ ଯୋଗାଯୋଗରେ ତ୍ରୁଟି ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି ନବୀନ ପଟ୍ଟନାୟକ । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ୮ଟି ପଏଣ୍ଟ ଉପରେ ଫୋକସ  କରିଛନ୍ତି । ସେଗୁଡିକ ହେଲା…

୧-ଆସନ୍ତା ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

୨-ସରକାରୀ ଅଧିକାରୀଙ୍କ ଛୁଟି ୭ ଦିନ ଯାଏଁ  ବାତିଲ

୩-୧୦ ଜିିଲ୍ଲାର ଜିଲ୍ଲାପାଳଙ୍କୁ ସର୍ତକ ରହିବାକୁ ନିର୍ଦ୍ଦେଶ

୪- ବିପଦସଙ୍କୁଳ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରାଥମିକତା

୫-ସାଧାରଣ ଜୀବନ ଯାତ୍ରାରେ ଯେଭଳି ଅସୁବିଧା ନହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ

୬-ହସ୍ପିଟାଲ, ବିଦ୍ୟୁତ ଓ ଜଳଯୋଗାଣ ବିଭାଗକୁ ନିରବଚ୍ଛିନ୍ନ ସେବା ଯୋଗାଇଦିଅ

୭-ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସ୍କୁଲ ଛୁଟି ପାଇଁ ନିର୍ଦ୍ଦେଶ

୮-ପ୍ରତ୍ୟେକ ଜୀବନ ସୁରକ୍ଷିତ ରହିବା ଉପରେ ଗୁରୁତ୍ୱ

ତେବେ ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ସବୁ ପ୍ରକାର ବ୍ୟବସ୍ଥା କରିଥିବା କଥା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ  ପ୍ରଭାବିତ ଜିଲ୍ଲାରେ  ୯ଟି ଓଡ୍ରାଫ ଟିମ, ୯ଟି ଏନଡିଆରଏଫ ଟିମ୍ ଓ  ୪୪ଟି ଅଗ୍ନିଶମ  ସେବା ୟୁନିଟକୁ  ସଜାଗ ରଖାଯାଇଛି । ସବୁ ଜିଲ୍ଲାର ଜିଲ୍ଲାପାଳ ହାଇଆଲର୍ଟରେ ଅଛନ୍ତି । ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି ।  ପ୍ରଚୁର ପରିମାଣର ବାଲିବସ୍ତା ଓ ବହ୍ଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ନଦୀବନ୍ଧ ଉପରେ ସତର୍କ ନଜର ରଖିବା ପାଇଁ ବି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲା ପ୍ରଶାସନ  ସଂପୂର୍ଣ୍ଣ ଭାବରେ ସଜାଗ ରହି ପରିସ୍ଥିତି ଉପରେ ନଜର ରଖିଛି ।  ତେବେ ସ୍ଥିତିକୁ ଦେଖିଲେ ଆସନ୍ତା ଦୁଇରୁ ୩ ଦିନ ଗୁରୁତ୍ୱପୂର୍ଣ୍ଣ  ବୋଲି କୁହାଯାଉଛି ।