ଟିମ ଇଣ୍ଡିଆର ଗୁମର ଖୋଲିଲେ ମୁଖ୍ୟ ଚୟନକର୍ତା, ଚେତନ ଶର୍ମାଙ୍କ ଷ୍ଟିଙ୍ଗ୍ ଅପରେସନ୍ ଭିଡିଓ

327

କନକ ବ୍ୟୁରୋ : ଆହତ ଏବଂ ବ୍ୟକ୍ତିଗତ ବିବାଦକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଭାରତୀୟ କିକେଟ୍ ଟିମର ଗୁମର ଖୋଲି ଦେଇଛନ୍ତି ଦଳର ମୁଖ୍ୟ ଚୟନକର୍ତା ଚେତନ ର୍ଶମା । ଯାହାକୁ ନେଇ ଏବେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଏକ ଘରୋଇ ମିଡିଆ ଚ୍ୟାନେଲ ପକ୍ଷରୁ କରାଯାଇଥିବା ଷ୍ଟିଙ୍ଗ୍ ଅପରେସନରେ ଚେତନ ଶର୍ମା ଦଳରେ ଖେଳାଳୀଙ୍କ ମଧ୍ୟରେ ଥିବା ବିବାଦ ଏବଂ ଆହତ ସମସ୍ୟାର ସବୁକିଛି ଖୋଲି ଦେଇଛନ୍ତି । ଷ୍ଟିଙ୍ଗ୍ ଅପରେସନ ଭିଡିଓ ପରେ ଏବେ ଅଡୁଆରେ ପଡିଯାଇଛନ୍ତି ଚେତନ ଶର୍ମା ।

ଚେତନ ଶର୍ମା କହିଛନ୍ତି କି, ବଡ ବଡ କ୍ରିକେଟରମାନେ ନିଜକୁ ଫିଟ୍ ରଖିବା ପାଇଁ ଇଞ୍ଜେକ୍ସନ୍ ନେଉଛନ୍ତି । ଆହତ ଥିବା ସତ୍ୱେ ଚୟନ ବେଳେ ଫିଟ୍ ରହିବାକୁ ଇଞ୍ଜେକ୍ସନ୍ ନେଉଛନ୍ତି । ଖେଳାଳି ଚୟନ ପୂର୍ବରୁ ଖେଳାଳିମାନେ ୮୦ରୁ ୮୫ ପ୍ରତିଶତ ଶାରୀରିକ ଭାବେ ଅଯୋଗ୍ୟ ଥାନ୍ତି । କିନ୍ତୁ ସେହି ଖେଳାଳିଙ୍କୁ ଦଳରେ ରଖିବା ପାଇଁ ଅନୁରୋଧ ଆସିଥାଏ । ଷ୍ଟାର ଖେଳାଳି ସଂପୂର୍ଣ୍ଣ ଅସୁସ୍ଥ ଥିଲେ ମଧ୍ୟ ଏନ୍ସିଏ ସେମାନଙ୍କୁ ସବୁଜ ସଙ୍କେତ ଦେଇଥାଏ

ବିରାଟ କୋହଲୀ, ରୋହିତ ଶର୍ମା ଓ ସୌରଭ ଗାଙ୍ଗୁଲିଙ୍କୁ ନେଇ ବଡ କଥା କହିଛନ୍ତି ଚେତନ ଶର୍ମା । ୨୦୨୧ ରେ ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକ ପଦବୀରୁ ବାଦ ଦିଆଯାଇଥିଲା । ଏହା ପରେ ଟି-୨୦ ବିଶ୍ୱକପ ପୂର୍ବରୁ ଟି-୨୦ ଅଧିନାକୟ ପଦ ଛାଡିବାକୁ କହିଥିଲେ କୋହଲୀ । ଏସମ୍ପର୍କରେ କୋହଲି ସମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲେ । ଯାହାକୁ ସେତେବେଳେର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଗ୍ରହଣ କରିନଥିଲେ । ନିଷ୍ପତିର ପୁର୍ନବିଚାର କରିବାକୁ କୋହଲିକୁ କହିଥିଲେ ଗାଙ୍ଗୁଲି । କିନ୍ତୁ କୋହଲି ତାଙ୍କ କଥା ନଶୁଣିବାରୁ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଷ୍ଟିଙ୍ଗ୍ ଅପରେସନରେ କହିଛନ୍ତି ଚେତନ ଶର୍ମା । ତେବେ ରୋହିତ ଓ କୋହଲୀଙ୍କ ମଧ୍ୟରେ ବିବାଦ ନାହିଁ ଅହଂକାର ଅଛି ବୋଲି କହିଛନ୍ତି ଚେତନ ଶର୍ମା । ଶୁବମନ ଗିଲ୍, ଇସାନ କିଶାନ ଦଳରେ ସ୍ଥାନ ଦେବା ପାଇଁ ରୋହିତ ଓ କୋହଲୀଙ୍କ ଭଳି ଖେଳାଳିଙ୍କୁ ହଟାଇବାକୁ ପଡ଼ିଥିବା କହିଛନ୍ତି ଚେତନ ଶର୍ମା ।

ଏହି ଷ୍ଟିଙ୍ଗ୍ ଅପରେସନର ଭିଡିଓ ଭାଇରାଲ ପରେ ବିସିସିଆଇ ତାଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି । ହେଲେ ସବୁଠୁ ଦୁଖଃର କଥା ହେଉଛି ଦଳର ମୁଖ୍ୟ ଚୟନକର୍ତାଙ୍କ ଏଭଳି ବୟାନ ସେତେବେଳେ ଆସିଛି ଯେତେବେଳେ ଟିମ୍ ତିନିଟି ଫର୍ମାଟରେ ଏକ ନମ୍ବରରେ ସ୍ଥାନରେ ପହଂଚିଛି ।