ଗୋପାଳର ନୂଆ ଠିକଣା ଚୌଦ୍ୱାର ଜେଲ, ସେଲ୍ ନମ୍ବର ୩ । କଡ଼ା ସୁରକ୍ଷା ବଳୟ ସହ ଲାଗିଛି ସିସିଟିଭି କ୍ୟାମେରା । ୩ଟି ସିଫ୍ଟରେ ଜଗିଛନ୍ତି ସୁରକ୍ଷାକର୍ମୀ, ଦାୟିତ୍ୱରେ ପୁଲିସ ଅଧିକାରୀ

106

କନକ ବ୍ୟୁରୋ: ନବଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସର ଏବେ ନୂଆ ଠିକଣା ପାଲଟିଛି ଚୌଦ୍ୱାର ଜେଲ୍ । ଗୋପାଳକୁ କଡା ସୁରକ୍ଷା ବଳୟରେ ରଖାଯାଇଛି । ଗୋପାଳ ରହିଥିବା ସେଲରେ ସିସିଟିଭି ଲଗାଯାଇଛି । ଏହା ଜରିଆରେ ସିଧାସଳଖ ଜେଲ ଅଧୀକ୍ଷକଙ୍କ କାର୍ଯ୍ୟାଳୟରୁ ନଜର ରଖାଯାଇପାରିବ । ଗୋପାଳ ଉପରେ ନଜର ରଖିବା ପାଇଁ ୩ଟି ସିପ୍ଟରେ ଜେଲ କର୍ମଚାରୀ ନିୟୋଜିତ ଅଛନ୍ତି । ଗୋପାଳର ଆଚରଣ ଉପରେ ବି ନଜର ରଖାଯାଇଛି । ଆଉ ଏସବୁ ଭିତରେ ଜେଲ ଡିଜି ଯାଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ।

ବଦଳିଯାଇଛି ଠିକଣା,ବଦଳି ଯାଇଛି ସୁରକ୍ଷା ବ୍ୟବସ୍ଥା । ଚୌଦ୍ୱାର ଜେଲର ଚାରିକାନ୍ଥ ଭିତରେ, ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ । ଗୋପାଳ ଉପରେ ରହିଛି ପୁଲିସର କଡ଼ା ନଜର । ଜୀବନ ପ୍ରତି ବିପଦ ଦର୍ଶାଇ ଚୌଦ୍ୱାର ଜେଲ ସ୍ଥାନାନ୍ତର ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ଗୋପାଳର ସୁରକ୍ଷାକୁ ଦୃଷ୍ଟିରେ ରଖି ଜେଲ କର୍ତୃପକ୍ଷଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

  • ଗୋପାଳକୁ ରଖାଯାଇଥିବା ୩ ନମ୍ବର ସେଲରେ ସିସି କ୍ୟାମେରା ଲଗାଯାଇଛି
  • ସିସିଟିଭି ଜରିଆରେ ସିଧାସଳଖ ଜେଲ ଅଧୀକ୍ଷକଙ୍କ କାର୍ଯ୍ୟାଳୟରୁ ନଜର ରଖାଯାଇପାରିବ
  • ଗୋପାଳର ସୁରକ୍ଷାରେ ତିନିଟି ସିଫ୍ଟରେ ୮ ଘଣ୍ଟା ଲେଖାଏଁ ଜେଲ କର୍ମଚାରୀ ନିୟୋଜିତ ରହିବେ
  • ପ୍ରତି ସିଫ୍ଟରେ ଜଣେ ଏଏସ୍ଆଇ ପାହ୍ୟାର ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବେ
  • ଗୋପାଳର ଆଚରଣ ସଂପର୍କରେ ପ୍ରତି ସିଫ୍ଟରେ ଜେଲ ଅଧିକ୍ଷକଙ୍କୁ ରିପୋର୍ଟ ଦିଆଯିବ

ସେହିପରି ଜେଲ ଅଧୀକ୍ଷକ ଗୋପାଳ ସମ୍ପର୍କରେ ଜେଲ ଡିଜିଙ୍କୁ ନିୟମିତ ବ୍ୟବଧାନରେ ରିପୋର୍ଟ ଦେବେ, ପ୍ରତିଦିନ ଜେଲରେ ଥିବା ଡାକ୍ତରମାନେ ଗୋପାଳର ସ୍ୱାସ୍ଥ୍ୟ ପରୀକ୍ଷା କରିବେ । କେବଳ ସେତିକି ନୁହେଁ, ସେଲ ନମ୍ବର ୩ରେ ୨୪ ଘଣ୍ଟା ରହିବେ ଗୋପାଳ । କେବଳ କେହି ତାଙ୍କୁ ସାକ୍ଷାତ କରିବା ପାଇଁ ଆସିଲେ ତାଙ୍କୁ ସେଲ୍ ବାହାରକୁ ଛଡ଼ାଯିବ । ଜେଲ ଭିତରେ ଗୋପାଳ ସୁରକ୍ଷା ନେଇ ଏତେ ସବୁ ବ୍ୟବସ୍ଥା ଭିତରେ, ଚୌଦ୍ୱାର ଜେଲ୍ ପହଞ୍ଚିଥିଲେ ଜେଲ୍ ଡିଜି ମନୋଜ ଛାବ୍ରା । ଜେଲର ସୁରକ୍ଷା ବ୍ୟବସ୍ଥା ନେଇ ନିଜେ ଯାଞ୍ଚ କରିଥିଲେ । ସେହିପରି ଜେଲ କର୍ତ୍ତୃପକ୍ଷଙ୍କ ସହ ଏନେଇ ଆଲୋଚନା କରିଥିଲେ ।

ଜୀବନ ପ୍ରତି ବିପଦର ଆଶଙ୍କା ଏବଂ ଜେଲ ଭିତରେ ମମିତା ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ପରେ, ଗୋପାଳର ସୁରକ୍ଷାକୁ ନେଇ ଅଧିକ ତତ୍ପର ହୋଇଯାଇଛି ପୁଲିସ ଓ ଜେଲ ପ୍ରଶାସନ । ଏପଟେ ନବ ଦାସଙ୍କ ହତ୍ୟାକୁ ୧୮ ଦିନ ବିତି ଯାଇଥିଲେ ବି ହତ୍ୟାର କାରଣ ଏବଂ ହତ୍ୟା ପଛର ଚେହେରା ନେଇ କୌଣସି ସ୍ପଷ୍ଟତା ଆସିପାରିନାହିଁ । ଯାହା, ବିରୋଧୀଙ୍କୁ ସମାଲୋଚନା କରିବା ପାଇଁ ସୁଯୋଗ ଆଣି ଦେଇଛି । ବରିଷ୍ଠ ନେତା ବିଜୟ ମହାପାତ୍ର, ଏହି ହତ୍ୟାକାଣ୍ଡକୁ ସମ୍ପୂର୍ଣ୍ଣ ଆରେଞ୍ଜଡ ମର୍ଡର ବୋଲି ଅଭିଯୋଗ କରିଛନ୍ତି । ଏପଟେ ପିସିସି ପ୍ରଭାରୀ ଚେଲାକୁମାର କହିଛନ୍ତି, ନବ ଦାସଙ୍କ ଭଳି ଅବସ୍ଥା କାହାର ବି ହୋଇପାରେ । ଆଜି ନବ ତ କାଲି ଆଉ କିଏ?

ରାଜନୀତିର ଏହି ବୟାନବାଜି ଭିତରେ ଗୋଟିଏ ପାଦ ଆଗକୁ ଯାଇ, ପ୍ରଦୀପ ପୁରୋହିତ ଗୋପଳ ପିନ୍ଧୁଥିବା ଟି-ସାର୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏଭଳି ଟି-ସାର୍ଟ ପିନ୍ଧାଇ କ୍ରାଇମବ୍ରାଞ୍ଚ୍ କି ବାର୍ତା ଦେବାକୁ ଚାହୁଛି ବୋଲି ସେ କହିଛନ୍ତି । କ୍ରାଇମବ୍ରାଞ୍ଚ୍, ସି-ସାର୍ଟ ପିନ୍ଧାଇ ଦେଖାଇବାକୁ ଚାହୁଁଛି ଗୋପାଳ ହିଁ ନବ ଦାସଙ୍କ ହତ୍ୟାକାରୀ । ତେବେ ଏସବୁ ଭିତରେ ପଲିଗ୍ରାଫ୍ ଏବଂ ନାର୍କୋ ଟେଷ୍ଟ କରିବା ପରେ ମଧ୍ୟ ଗୋପାଳ କହୁଥିବା କଥାକୁ ନେଇ ସନ୍ଦେହରେ ରହିଛି କ୍ରାଇମବ୍ରାଞ୍ଚ । ସୂଚନା ଅନୁସାରେ, ଗୋପାଳର କଥାରେ କେତେ ସତ୍ୟତା ରହିଛି, ସେ ସମ୍ପର୍କରେ ବିଦେଶର କିଛି ବିଶେଷଜ୍ଞଙ୍କର ପରାମର୍ଶ ନେଇପାରେ ଏହି ତଦନ୍ତକାରୀ ସଂସ୍ଥା ।