ମାନସିକ ଭିନ୍ନକ୍ଷମ ମହିଳାଙ୍କ ପ୍ରତି ଅମାନବୀୟ ଆଚରଣ: ବୃଦ୍ଧା ମାଆଙ୍କ ଗଳିତ ଶବ ଉଦ୍ଧାର ପରେ ଖଟିଆରେ ବାନ୍ଧି ହସପିଟାଲ ପଠାଇଲା ପୁଲିସ 

112

କନକ ବ୍ୟୁରୋ: ଏହା ଏପରି ଏକ ଖବର ଯାହାକୁ ଶୁଣିଲେ ଆପଣ ବିଚଳିତ ହୋଇପଡିବେ । ମାଆଙ୍କ ଗଳିତ ମୃତଦେହ ଉଦ୍ଧାର ପରେ ଘରେ ରହିଥିବା ମାନସିକ ଭିନ୍ନକ୍ଷମ ଝିଅ ପ୍ରତି ଅମାନବୀୟ ଆଚରଣ ଦେଖାଇଛନ୍ତି ପୁଲିସ କର୍ମଚାରୀ । ଖଟିଆରେ ତାଙ୍କୁ ବାନ୍ଧି ହସପିଟାଲକୁ ନିଆଯାଇଛି ।

ପ୍ରାୟ ତିନି-ଚାରି ଦିନ ବନ୍ଦ ରହିଥିଲା ଘର । ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବାରୁ ଅଘଟଣର ସଂଦେହ କରି ପୁଲିସକୁ ଖବର ଦେଇଥିଲେ ପଡ଼ୋଶୀ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବନ୍ଦ ରହିଥିବା ଘର ଭାଙ୍ଗି ପଶିଥିଲା ପୁଲିସ । ଘର ଭିତରେ ଯାହା ଦେଖିଥିଲେ, ସେଥିରେ ଆଶ୍ଚର୍ଯ୍ୟ ହୋଇଥିଲା ପୁଲିସ । ଘର ଭିତରେ ପଡିଥିଲା ୭୦ ବର୍ଷୀୟା ବୃଦ୍ଧା ମଂଜୁ ପୁରୀଙ୍କ ମୃତଦେହ । ଘର ଭିତରେ ଥିଲେ ତାଙ୍କର ୪୦ ବର୍ଷୀୟା ମାନସିକ ଭିନ୍ନକ୍ଷମ ଝିଅ ପ୍ରିୟଙ୍କା । ଗତ ବର୍ଷ ମଂଜୁଙ୍କ ସ୍ୱାମୀ ନରୋତମ ପୁରୀଙ୍କର କରୋନାରେ ମୃତ୍ୟୁ ହୋଇଥିଲା । ବାପାଙ୍କ ମୃତ୍ୟୁ ପରେ ମାନସିକ ଭାରସାମ୍ୟ ହରାଇ ବସିଥିଲେ ଝିଅ ପ୍ରିୟଙ୍କା ।

ବୃଦ୍ଧା ମଂଜୁ ଭୋଇଙ୍କ ମୃତଦେହକୁ ଉଦ୍ଧାର କରି ମର୍ଗ ହାଉସରେ ରଖାଯାଇଛି । କିନ୍ତୁ ଝିଅ ପ୍ରିୟଙ୍କାଙ୍କୁ ଉଦ୍ଧାର କରିବା ବେଳେ ନାକେଦମ୍ ହୋଇ ପଡିଥିଲା ପୁଲିସ । କିଛି ଦିନ ନଖାଇ ନପିଇ ପଡି ରହିଥିଲେ ପ୍ରିୟଙ୍କା । ଘର ଛାଡି ଯିବାକୁ ରାଜି ହୋଇନଥିଲେ । ଶେଷରେ ଅତି ଅମାନବୀୟ ଭାବେ ବାନ୍ଧି ଆମ୍ବୁଲାନ୍ସରେ ନିଆ ଯାଇଥିଲା ଇସ୍ପାତ ଜେନେରାଲ୍ ହସ୍ପିଟାଲକୁ । ତେବେ ପ୍ରଶ୍ନ ଉଠୁଛି –

ମାନସିକ ଭିନ୍ନକ୍ଷମ ଜଣେ ମହିଳାଙ୍କୁ ଉଦ୍ଧାର କରିବା ବେଳେ କ’ଣ ରହିଛି ବ୍ୟବସ୍ଥା?

ଉଦ୍ଧାର ପାଇଁ ଆଉ କିଛି ବିକଳ୍ପ ପୁଲିସ ପାଖରେ ନଥିଲା କି?

ଉଦ୍ଧାର ବେଳେ ତାଲିମ ପ୍ରାପ୍ତ କର୍ମଚାରୀଙ୍କ ସହାୟତା କାହିଁକି ନିଆଗଲା ନାହିଁ?