ଗୁଜୁରାଟରେ କାନାଡା ପ୍ରଧାନମନ୍ତ୍ରୀ : ସାବରମତୀ ଆଶ୍ରମରେ ଚରଖାରେ କାଟିଲେ ସୂତା,ଅକ୍ଷରଧାମ ମନ୍ଦିରରେ ରଂଗାରଂଗ ସ୍ୱାଗତ

41

କନକ ବ୍ୟୁରୋ : ଗୁଜରାଟରେ କାନାଡା ପ୍ରଧାନମନ୍ତ୍ରୀ । ସାବରମତୀ ଆଶ୍ରମ ଓ ଅକ୍ଷରଧାମ ମନ୍ଦିର ପରିଦର୍ଶନ କଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ । ୭ ଦିନିଆ ଭାରତ ଗସ୍ତରେ ଆସିଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଆଜି ଗୁଜରାଟ ଗସ୍ତ କରିଛନ୍ତି । ଏହି ଅବସରରେ ସେ ପ୍ରସିଦ୍ଧ ସାବରମତୀ ଆଶ୍ରମ ପରିଦର୍ଶନ କରିଛନ୍ତି । ପରିବାର ସହ ସାବରମତୀ ଆଶ୍ରମ ବୁଲି ଦେଖିବା ସହ ଚରଖାରେ ସୂତା କାଟିଛନ୍ତି ଜଷ୍ଟିନ୍ ଟ୍ରୁଡୋ । ଜଷ୍ଟିନଙ୍କ ପତ୍ନୀ ଓ ତାଙ୍କର ତିନି ସନ୍ତାନ ମଧ୍ୟ ଚରଖାରେ ସୂତା କାଟୁଥିବା ଦେଖିବାକୁ ମିଳିଛି । ସାବରମତୀ ଆଶ୍ରମର ଅନ୍ତେବାସୀମାନେ କାନାଡା ପ୍ରଧାନମନ୍ତ୍ରୀଙ୍କ ପରିବାରକୁ ଆଶ୍ରମର ବିଭିନ୍ନ ସ୍ଥାନ ବୁଲି ଦେଖାଇଛନ୍ତି ।

ଏହାପରେ ଜଷ୍ଟିନ ଟ୍ରୁଡୋ ସପରିବାର ଗାନ୍ଧିନଗର ଗସ୍ତ କରିଛନ୍ତି । ସେଠାରେ ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଓ ପରିବାର । ପତ୍ନୀ ଓ ପିଲାଙ୍କ ସହ ଅକ୍ଷରଧାମ ମନ୍ଦିର ବୁଲି ଦେଖିଛନ୍ତି ଜଷ୍ଟିନ୍ ଟ୍ରୁଡୋ । ମନ୍ଦିରର ପୂଜକମାନେ କାନାଡା ପ୍ରଧାନମନ୍ତ୍ରୀଙ୍କ ପରିବାରକୁ ମନ୍ଦିର ପରିସରରେ ବିଭିନ୍ନ ସ୍ଥାନ ବୁଲି ଦେଖାଇଛନ୍ତି । ଟ୍ରୁଡୋ ପରିବାରକୁ ସ୍ୱାଗତ କରିବା ପାଇଁ ଅକ୍ଷରଧାମ ମନ୍ଦିର ପରିସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ଗୁଜରାଟରେ କାନାଡା ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ସ୍ୱାଗତ କରାଯାଇଛି । କାନାଡା ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଉଦ୍ଦେଶ୍ୟରେ ରାଜ୍ୟର ପ୍ରତ୍ୟେକ ସହରର ବିଭିନ୍ନ ସ୍ଥାନରେ ହୋର୍ଡିଂ ଓ ପୋଷ୍ଟର ଲଗାଯାଇଛି ।